କୁକୁର ଭୁକିଲା, ଭୟରେ ୫୦ ଫୁଟ୍ ଗଭୀର କୂଅରେ ଖସିଲେ ନାବାଳିକା

ଉତ୍ତରପ୍ରଦେଶର ଫରୁଖାବାଦରୁ ଆସିଛି ଚମକାଇଦେବା ଭଳି ଘଟଣା । ସ୍କୁଲରୁ ଘରକୁ ଫେରୁଥିବା ଜଣେ ନାବାଳିକା କୁକୁର ଭୁକିବାରୁ ଭୟଭୀତ ହୋଇ ଦୌଡ଼ିବା ସମୟରେ ଏକ ଜରାଜୀର୍ଣ୍ଣ କୂଅ ଉପରେ ଚଢ଼ିଯାଇଥିଲେ ।

ଉତ୍ତରପ୍ରଦେଶର ଫରୁଖାବାଦରୁ ଆସିଛି ଚମକାଇଦେବା ଭଳି ଘଟଣା । ସ୍କୁଲରୁ ଘରକୁ ଫେରୁଥିବା ଜଣେ ନାବାଳିକା କୁକୁର ଭୁକିବାରୁ ଭୟଭୀତ ହୋଇ ଦୌଡ଼ିବା ସମୟରେ ଏକ ଜରାଜୀର୍ଣ୍ଣ କୂଅ ଉପରେ ଚଢ଼ିଯାଇଥିଲେ । ହେଲେ ହଠାତ୍ କୂଅ ଉପରେ ଥିବା ପୁରୁଣା ପଟା ଭାଙ୍ଗିଯିବାରୁ ପ୍ରାୟ ୫୦ ଫୁଟ୍ ଗଭୀର କୂଅ ଭିତରକୁ ଖସିପଡ଼ିଥିଲେ ନାବାଳିକା । ଘଟଣାଟି ଫରୁଖାବାଦ ଜିଲ୍ଲାର କାୟମଗଞ୍ଜ ଥାନା ଅଞ୍ଚଳର ରସିଦାବାଦ ବଲ୍ଲଭ ଗାଁରେ ଘଟିଛି । ସୌମ୍ୟା ନାମକ ଏହି ନାବାଳିକା ନିଜ ଭଉଣୀମାନଙ୍କ ସହ ସ୍କୁଲରୁ ଫେରୁଥିଲେ । ରାସ୍ତାରେ ଏକ କୁକୁର ତାଙ୍କ ଆଡ଼କୁ ଭୁକିବାରୁ ସେ ଭୟରେ ପାଖରେ ଥିବା ପୁରୁଣା କୂଅ ଉପରେ ଚଢ଼ିଯାଇଥିଲେ । ଠିକ୍ ସେହି ସମୟରେ ଜରାଜୀର୍ଣ୍ଣ ପଟାଟି ଭାଙ୍ଗିଯାଇଥିଲା । ନାବାଳିକା କୂଅ ଭିତରେ ପଡ଼ିଯିବା ପରେ ତାଙ୍କ ଚିତ୍କାର ଶୁଣି ପରିବାର ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଏକାଠି ହୋଇଥିଲେ । ତୁରନ୍ତ ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଖବର ଦିଆଯାଇଥିଲା । ଖବର ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା । କୂଅଟି ଗଭୀର ହୋଇଥିବାରୁ ଭିତରେ ଅକ୍ସିଜେନ୍ କମ୍ ଥିବା ଆଶଙ୍କା କରାଯାଇଥିଲା । ତେଣୁ ଜଣେ ପ୍ରଶିକ୍ଷିତ ପୁଲିସ କର୍ମଚାରୀ ଅକ୍ସିଜେନ୍ ମାସ୍କ ପିନ୍ଧି କୂଅ ଭିତରକୁ ଓହ୍ଲାଇଥିଲେ ।

ଦୁଇରୁ ତିନିଥର ଉଦ୍ଧାର ଉଦ୍ୟମ ପରେ ଶେଷରେ ନାବାଳିକାଙ୍କୁ ସୁରକ୍ଷିତ ଭାବେ କୂଅରୁ ବାହାର କରାଯାଇଥିଲା । ଉଦ୍ଧାର ପରେ ସୌମ୍ୟାଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନିଆଯାଇଥିଲା । ଡାକ୍ତରଙ୍କ କହିବା ଅନୁସାରେ, ତାଙ୍କ ଅବସ୍ଥା ବର୍ତ୍ତମାନ ବିପଦମୁକ୍ତ ରହିଛି । ଏପଟେ ନାବାଳିକାଙ୍କ ଜୀବନ ବଞ୍ଚାଇବାରେ ସାହସିକତା ଦେଖାଇଥିବା ପୁଲିସ କର୍ମଚାରୀ ମନୋଜ କୁମାରଙ୍କୁ ପୁରସ୍କୃତ କରିବା ପାଇଁ ଅଧିକାରୀଙ୍କ ପକ୍ଷରୁ ସୁପାରିଶ କରାଯାଇଛି । ତେବେ ଏହି ଘଟଣା ପରେ ଗାଁ ଓ ଆଖପାଖ ଅଞ୍ଚଳରେ ଥିବା ଖୋଲା ଏବଂ ଜରାଜୀର୍ଣ୍ଣ କୂଅଗୁଡ଼ିକର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ଏଭଳି କୂଅକୁ ଘୋଡ଼ାଇବା କିମ୍ବା ଚାରିପାଖରେ ସୁରକ୍ଷିତ ବାଡ଼ ଲଗାଇବା ନେଇ ପ୍ରଶାସନ ପଦକ୍ଷେପ ନେବା ଜରୁରୀ । 

Leave a Reply

Your email address will not be published. Required fields are marked *