୧୩ରୁ ୧୬ ଅଗଷ୍ଟ ଭିଜିବ ଦେଶ , ବଢ଼ିବ ପ୍ରବଳ ବର୍ଷାର ପ୍ରଭାବ

ପାଣିପାଗ ଆକଳନ ଅନୁସାରେ ଅଗଷ୍ଟ ୧୩ ଓ ୧୪ ତାରିଖରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ବର୍ଷା ବଢ଼ିବା ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ମଧ୍ୟ ହୋଇପାରେ ।

ପାଣିପାଗ ଆକଳନ ଅନୁସାରେ ଅଗଷ୍ଟ ୧୩ ଓ ୧୪ ତାରିଖରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ବର୍ଷା ବଢ଼ିବା ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ମଧ୍ୟ ହୋଇପାରେ । ଅଗଷ୍ଟ ୧୫ରୁ ବର୍ଷାର ପ୍ରଭାବ ପୂର୍ବ ଉତ୍ତରପ୍ରଦେଶ ଓ ପୂର୍ବ ମଧ୍ୟପ୍ରଦେଶ ଦିଗକୁ ବଢ଼ିପାରେ । ଏପଟେ ଆଜି ମଧ୍ୟ ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ପୂର୍ବ ରାଜସ୍ଥାନ, ଗାଙ୍ଗୀୟ ପଶ୍ଚିମବଙ୍ଗ, ମଧ୍ୟ ମହାରାଷ୍ଟ୍ର ଓ ଓଡ଼ିଶା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି । ତେବେ ଅଗଷ୍ଟ ୧୬ ପରେ ମୌସୁମୀ ଟ୍ରଫ୍‌ ଉତ୍ତର ଦିଗକୁ ସରିପାରେ । ଏହାର ପ୍ରଭାବରେ ବିହାର, ନେପାଳ, ପୂର୍ବ ଉତ୍ତରପ୍ରଦେଶର ପାଦଦେଶ ଏବଂ ହିମାଳୟ ସଂଲଗ୍ନ ଅଞ୍ଚଳରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି। ଏହି ବର୍ଷା ଅବଧି ପ୍ରାୟ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଜାରି ରହିପାରେ ।

ଅନ୍ୟପଟେ ପଶ୍ଚିମ, ମଧ୍ୟ ଓ ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ଅଗଷ୍ଟ ୧୬ ପରଠାରୁ ମୌସୁମୀ କାର୍ଯ୍ୟକଳାପ ଦୁର୍ବଳ ହେବାର ଆକଳନ ରହିଛି । ଅର୍ଥାତ୍‌, ଗୋଟିଏ ପଟେ ପୂର୍ବ ଓ ଉତ୍ତର ଅଞ୍ଚଳରେ ବର୍ଷା ବଢ଼ିବ, ଅନ୍ୟପଟେ କିଛି ରାଜ୍ୟରେ ମୌସୁମୀ ପ୍ରଭାବ କମିପାରେ । ଲଗାଣ ବର୍ଷା ଆଶଙ୍କା ଥିବାରୁ ଚାଷୀମାନଙ୍କୁ ଜମିରୁ ପାଣି ନିଷ୍କାସନର ବ୍ୟବସ୍ଥା କରିବା, ଫସଲ ଓ କୃଷି ଯନ୍ତ୍ରପାତିକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି । ଝଡ଼ତୋଫାନ କିମ୍ବା ବିଜୁଳି ସମୟରେ ଗୃହପାଳିତ ପଶୁଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନେବାକୁ କୁହାଯାଇଛି । ତେଣୁ ଆସନ୍ତା କିଛି ଦିନ ଓଡ଼ିଶା ସମେତ ପୂର୍ବ ଭାରତ ପାଇଁ ପାଣିପାଗ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବଙ୍ଗୋପସାଗରରେ ନୂଆ ଲଘୁଚାପ କେତେ ଘନୀଭୂତ ହେଉଛି ଏବଂ ଏହାର ଗତିପଥ କିପରି ରହୁଛି, ତାହା ଉପରେ ଆଗାମୀ ବର୍ଷାର ତୀବ୍ରତା ନିର୍ଭର କରିବ । 

Leave a Reply

Your email address will not be published. Required fields are marked *