ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ପାରିବାରିକ କଳହରୁ ନିର୍ମମ ହତ୍ୟା ପରେ ଅଭିଯୁକ୍ତ ଫେରାର

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର କରୁଣ ମୃତ୍ୟୁ ହୋଇଥିବା ବେଳେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଅଭିଯୁକ୍ତ ଶୈଳେନ୍ଦ୍ର ମଳିକ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ନିଜ ସ୍ତ୍ରୀ ରୋଜାଲିନଙ୍କୁ ଟାଙ୍ଗିଆରେ ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଜିଲ୍ଲାର ନେମାଳ ଥାନା ଅନ୍ତର୍ଗତ ସହଦେବପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର କରୁଣ ମୃତ୍ୟୁ ହୋଇଥିବା ବେଳେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଅଭିଯୁକ୍ତ ଶୈଳେନ୍ଦ୍ର ମଳିକ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ନିଜ ସ୍ତ୍ରୀ ରୋଜାଲିନଙ୍କୁ ଟାଙ୍ଗିଆରେ ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଶୈଳେନ୍ଦ୍ର ଏବଂ ରୋଜାଲିନ ନିଜ ଶୋଇବା ଘରେ ଥିବା ବେଳେ ହଠାତ୍ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଶୈଳେନ୍ଦ୍ର ଏକ ଟାଙ୍ଗିଆରେ ରୋଜାଲିନଙ୍କ କାନ ଓ ମୁଣ୍ଡକୁ ଶକ୍ତ ଆଘାତ କରିଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ହତ୍ୟାକାଣ୍ଡ ଘଟାଇବା ପରେ ଶୈଳେନ୍ଦ୍ର ଅନ୍ୟ ଏକ ଘରେ ଶୋଇଥିବା ନିଜ ବାପା, ମା’ ଏବଂ ଭାଇଙ୍କ କବାଟ ବାଡ଼େଇ ସେମାନଙ୍କୁ ମଧ୍ୟ ହାଣି ଦେବାର ଧମକ ଦେଇଥିଲା। ଏହାପରେ ସେ ଘରୁ ବାହାରକୁ ଯାଇ ଫେରାର ହୋଇଯାଇଛି । ସୂଚନାଯୋଗ୍ୟ ଯେ, ମାତ୍ର ୨ ମାସ ତଳେ ଶୈଳେନ୍ଦ୍ର ଅହମଦାବାଦରୁ ଚାକିରି ଛାଡ଼ି ଆସି କେନ୍ଦ୍ରାପଡ଼ା ସଦର ଥାନା ନାନକାର ଗ୍ରାମର ରୋଜାଲିନଙ୍କୁ ବିବାହ କରିଥିଲେ । ପୂର୍ବରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ଥିବା ବେଳେ ହଠାତ୍ ଏଭଳି ଜଘନ୍ୟ ହତ୍ୟାକାଣ୍ଡ କାହିଁକି ଘଟିଲା, ତାହା ସ୍ଥାନୀୟ ଲୋକଙ୍କୁ ଚକିତ କରିଛି ।

ଏହି ଘଟଣାରେ ରୋଜାଲିନଙ୍କ ପରିବାର ଲୋକେ ଶୈଳେନ୍ଦ୍ରଙ୍କ ପରିବାର ସଦସ୍ୟଙ୍କ ସମ୍ପୃକ୍ତି ଥିବା ନେଇ ଗୁରୁତର ଅଭିଯୋଗ କରିଛନ୍ତି। ଅନ୍ୟପଟେ ଶୈଳେନ୍ଦ୍ରଙ୍କ ବାପା ଓ ମା’ ଏହି ଘଟଣା ସମ୍ପର୍କରେ କିଛି ଜାଣିନଥିବା ଏବଂ ଏହା ଏକ ଆକସ୍ମିକ ଘଟଣା ବୋଲି ସଫେଇ ଦେଇଛନ୍ତି। ନେମାଳ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଶୈଳେନ୍ଦ୍ର ଗିରଫ ହେବା ପରେ ଏବଂ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ହତ୍ୟାର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *