ବାୟୁ ପ୍ରଦୂଷଣ ଓ ଦୀପାବଳି ପ୍ରସ୍ତୁତି ମଧ୍ୟରେ ଆଜି ରାଜଧାନୀ ଦିଲ୍ଲୀ ଏକ ବଡ଼ ଧରଣର ରାଜନୈତିକ ମୁହାଁମୁହିଁର ସାକ୍ଷୀ ହୋଇଛି । ଗୋଟିଏ ପଟେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର୍) ରେ ବ୍ୟାପକ ହେରଫେର୍
ବାୟୁ ପ୍ରଦୂଷଣ ଓ ଦୀପାବଳି ପ୍ରସ୍ତୁତି ମଧ୍ୟରେ ଆଜି ରାଜଧାନୀ ଦିଲ୍ଲୀ ଏକ ବଡ଼ ଧରଣର ରାଜନୈତିକ ମୁହାଁମୁହିଁର ସାକ୍ଷୀ ହୋଇଛି । ଗୋଟିଏ ପଟେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର୍) ରେ ବ୍ୟାପକ ହେରଫେର୍ ଓ ଭୋଟ୍ ଚୋରି ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ପଦତ୍ୟାଗ ଦାବିରେ ବିରୋଧୀ ”ଇଣ୍ଡିଆ” ମେଣ୍ଟ ପକ୍ଷରୁ ”ଚଲୋ ଦିଲ୍ଲୀ” ମେଗା ରାଲି ଆୟୋଜିତ ହେଉଛି । ଅନ୍ୟପଟେ, ୧୯୮୪ ଶିଖ୍ ବିରୋଧୀ ଦଙ୍ଗାକୁ ପ୍ରସଙ୍ଗ କରି ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ କଂଗ୍ରେସ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା କରାଯାଉଛି।
ବିରୋଧୀ ମେଣ୍ଟର ”ଚଲୋ ଦିଲ୍ଲୀ” ମାର୍ଚ୍ଚ ଅପରାହ୍ନ ୧୨ଟାରେ ସେଣ୍ଟ୍ରାଲ ଦିଲ୍ଲୀର ମିଣ୍ଟୋ ରୋଡ୍-କନୋଟ୍ ପ୍ଲେସ୍ ସଂଯୋଗସ୍ଥଳରୁ ଆରମ୍ଭ ହୋଇ ରାମଲୀଳା ମଇଦାନଠାରେ ପହଞ୍ଚିବ । ଏହି ମେଗା ରାଲିରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀ, ହେମନ୍ତ ସୋରେନ୍, ରେବନ୍ତ ରେଡ୍ଡୀ, ତେଜସ୍ୱୀ ଯାଦବ ଏବଂ ଅଖିଲେଶ ଯାଦବଙ୍କ ସମେତ ୨୧ଟି ରାଜନୈତିକ ଦଳର ବରିଷ୍ଠ ନେତାମାନେ ସାମିଲ ହେଉଛନ୍ତି । ଗତକାଲି ଖଡ଼ଗେଙ୍କ ବାସଭବନରେ ‘ସିଇସି’ ଙ୍କ ବିରୋଧରେ ଆଗତ ପ୍ରତୀକାତ୍ମକ ମହାଭିଯୋଗ ପ୍ରସ୍ତାବ ପରେ ଏହି ରାଲି ଅଧିକ ଆକ୍ରାମକ ହୋଇଛି, ଯେଉଁଥିରେ ୧୩.୨ କୋଟି ଭୋଟରଙ୍କ ନାମ ବାଦ୍ ଦିଆଯିବା ନେଇ ଅଭିଯୋଗ ଅଣାଯାଇଛି । ତେବେ ”କୋକରୋଚ୍ ଜନତା ପାର୍ଟି” (ସିଜେପି) ର ସଂସ୍ଥାପକ ଅଭିଜିତ୍ ଦୀପକେ ବିରୋଧୀଙ୍କୁ ନୈତିକ ସମର୍ଥନ ଜଣାଇଥିଲେ ହେଁ, ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବାକୁ ଏହି ରାଲିରୁ ଦୂରେଇ ରହିଛନ୍ତି ।
ଅପରପକ୍ଷରେ, ଦୀପାବଳି ପୂର୍ବରୁ ରାଲି ଯୋଗୁଁ ୨୦ରୁ ଊର୍ଦ୍ଧ୍ୱ ପ୍ରମୁଖ ବଜାରରେ ବ୍ୟବସାୟ ବାଧାପ୍ରାପ୍ତ ହେବା ନେଇ ବ୍ୟବସାୟୀ ସଂଘ ଚିନ୍ତା ପ୍ରକାଶ କରିଥିବା ବେଳେ, ରାହୁଲ ଗାନ୍ଧୀ ଆନ୍ଦୋଳନକାରୀଙ୍କୁ ପ୍ରତିବାଦ ସହ ସ୍ଥାନୀୟ ଦୋକାନଗୁଡ଼ିକରୁ କିଣାକିଣି କରି ବ୍ୟବସାୟୀଙ୍କୁ ସହାୟତା କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଆନ୍ଦୋଳନକୁ କାଉଣ୍ଟର କରିବା ପାଇଁ ବିଜେପି ପକ୍ଷରୁ ପଶ୍ଚିମ ଦିଲ୍ଲୀର ହରି ନଗରରୁ ତିଲକ ନଗର ପର୍ଯ୍ୟନ୍ତ ଶିଖ୍ ବିରୋଧୀ ଦଙ୍ଗାର ଶହୀଦମାନଙ୍କ ସ୍ମରଣରେ ପ୍ରତିବାଦ ମାର୍ଚ୍ଚ କରାଯାଉଛି, ଯାହାର ନେତୃତ୍ୱ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ବାଂସୁରୀ ସ୍ୱରାଜ ନେଉଛନ୍ତି। ରାଜଧାନୀରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଦିଲ୍ଲୀ ପୁଲିସ ଓ ସିଆରପିଏଫର ୧୦,୦୦୦ ରୁ ଊର୍ଦ୍ଧ୍ୱ ଯବାନଙ୍କୁ ନିୟୋଜିତ କରାଯାଇଛି ।

