ଭାରତର ଏହି ନିଷ୍ପତ୍ତିକୁ ବେଜିଂ ‘ଏକପାଖିଆ ଓ ବେଆଇନ’ କହିଛି । ଏଥିସହ ଲଦାଖକୁ ନେଇ ନିଜର ଦାବି ଦୋହରାଇବା ସହ ଏହି ପଦକ୍ଷେପକୁ ଚୀନ୍ ସ୍ୱୀକାର କରେ ନାହିଁ ବୋଲି ସ୍ପଷ୍ଟ କରିଛି ।
ଲଦାଖର ୨୮ଟି ସ୍ଥାନର ମାନକ ନାମ ଘୋଷଣା କରିବା ସହ ସେଗୁଡ଼ିକୁ ସରକାରୀ ମାନଚିତ୍ରରେ ସାମିଲ କରିବା ପାଇଁ ଭାରତର ପଦକ୍ଷେପକୁ ବିରୋଧ କରିଛି ଚୀନ୍ । ଭାରତର ଏହି ନିଷ୍ପତ୍ତିକୁ ବେଜିଂ ‘ଏକପାଖିଆ ଓ ବେଆଇନ’ କହିଛି । ଏଥିସହ ଲଦାଖକୁ ନେଇ ନିଜର ଦାବି ଦୋହରାଇବା ସହ ଏହି ପଦକ୍ଷେପକୁ ଚୀନ୍ ସ୍ୱୀକାର କରେ ନାହିଁ ବୋଲି ସ୍ପଷ୍ଟ କରିଛି ।
ବେଜିଂରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ନିୟମିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମାଓ ନିଙ୍ଗ୍ ଏହି ପ୍ରସଙ୍ଗରେ ଚୀନ୍ର ଆଭିମୁଖ୍ୟ ରଖିଛନ୍ତି । ଭାରତୀୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଲଦାଖର ସୀମାନ୍ତ ଅଞ୍ଚଳର ୨୮ଟି ସ୍ଥାନର ମାନକ ନାମ ନିର୍ଦ୍ଧାରଣ କରାଯିବା ଏବଂ ସେଗୁଡ଼ିକୁ ସରକାରୀ ମାନଚିତ୍ରରେ ଚିହ୍ନିତ କରାଯିବା ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ।
ଏହାର ଉତ୍ତରରେ ମାଓ ନିଙ୍ଗ୍ କହିଥିଲେ ଯେ, ଭାରତ ଏକପାଖିଆ ଭାବେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିଛି । ଚୀନ୍ ଏହି ପଦକ୍ଷେପକୁ ସ୍ୱୀକୃତି ଦିଏ ନାହିଁ । ଚୀନ୍ର ଦାବି ଅନୁଯାୟୀ, ଭାରତ-ଚୀନ୍ ସୀମାର ପଶ୍ଚିମ ଭାଗ ଚୀନ୍ର ଅଂଶ ହୋଇ ରହିଆସିଛି ଏବଂ ଏହାର ସ୍ଥିତି ପରିବର୍ତ୍ତନ କରାଯାଇପାରିବ ନାହିଁ ।
୨୮ଟି ସ୍ଥାନର ନାମକୁ ମାନକୀକରଣ କରିଛି ଭାରତ
ଚଳିତ ଅକ୍ଟୋବର ମାସର ଆରମ୍ଭରେ ଭାରତ ଲଦାଖର ୨୮ଟି ସ୍ଥାନର ନାମକୁ ମାନକୀକରଣ କରିଥିଲା । ଏହି ସ୍ଥାନଗୁଡ଼ିକୁ ସରକାରୀ ସର୍ଭେ ଅଫ୍ ଇଣ୍ଡିଆ ମାନଚିତ୍ରରେ ଚିହ୍ନିତ କରାଯାଇଛି । ଏହି ତାଲିକାରେ ଆତିଶା ଗିରି, ବ୍ରାଙ୍ଗସା, ଚାପଚିଙ୍ଗାଲ ପାସ୍ ସମେତ ଅନ୍ୟାନ୍ୟ ସ୍ଥାନ ରହିଛି । ଏହି ପଦକ୍ଷେପ ଜରିଆରେ ସୀମାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନର ନାମ ଓ ପରିଚୟକୁ ସ୍ପଷ୍ଟ କରିବା ସହ ଜନସଚେତନତା ବୃଦ୍ଧି କରିବା ଭାରତ ସରକାରଙ୍କ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।
ଅରୁଣାଚଳ ପ୍ରଦେଶକୁ ନେଇ ମଧ୍ୟ ରହିଛି ବିବାଦ
ଲଦାଖରେ ଭାରତର ଏହି ପଦକ୍ଷେପକୁ ୨୦୨୩ରେ ଚୀନ୍ ପକ୍ଷରୁ ଅରୁଣାଚଳ ପ୍ରଦେଶର କେତେକ ସ୍ଥାନର ନାମ ପରିବର୍ତ୍ତନ କରାଯିବା ଘଟଣା ସହ ଯୋଡ଼ି ଦେଖାଯାଉଛି । ଚୀନ୍ ଅରୁଣାଚଳ ପ୍ରଦେଶକୁ ‘ଜାଙ୍ଗନାନ୍’ ବା ‘ଦକ୍ଷିଣ ତିବ୍ବତ’ ବୋଲି ଦାବି କରୁଥିବା ବେଳେ ଭାରତ ଏହି ଦାବିକୁ ଦୃଢ଼ ଭାବେ ଖଣ୍ଡନ କରିଆସିଛି । ପୂର୍ବରୁ ମଧ୍ୟ ଲଦାଖର ସୀମାନ୍ତ ଅଞ୍ଚଳକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଏକାଧିକ ଥର ଉତ୍ତେଜନା ସୃଷ୍ଟି ହୋଇଛି । ଏବେ ୨୮ଟି ସ୍ଥାନର ନାମକରଣକୁ ନେଇ ଚୀନ୍ର ବିରୋଧ ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି । ତେବେ ଏହି ପ୍ରସଙ୍ଗରେ ଉଭୟ ଦେଶର ଆଭିମୁଖ୍ୟ ଭିନ୍ନ ରହିଥିବାରୁ ସୀମା ବିବାଦର ସମାଧାନ ଏବେ ମଧ୍ୟ ଏକ ପ୍ରମୁଖ ଆହ୍ୱାନ ହୋଇ ରହିଛି ।

