ଲଘୁଚାପ ଜନିତ ଲଗାଣ ବର୍ଷା ଉଜାଡ଼ି ଦେଇଛି ଚାଷୀଙ୍କ ସ୍ୱପ୍ନ । କେନ୍ଦୁଝର ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ହାଟଡ଼ିହି ବ୍ଲକରେ ଶହଶହ ଏକର ଧାନତଳି ଏବେ ପାଞ୍ଚ ଫୁଟ ଉଚ୍ଚର ବର୍ଷା ପାଣିରେ ବୁଡ଼ି ରହିଛି ।
ଲଘୁଚାପ ଜନିତ ଲଗାଣ ବର୍ଷା ଉଜାଡ଼ି ଦେଇଛି ଚାଷୀଙ୍କ ସ୍ୱପ୍ନ । କେନ୍ଦୁଝର ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ହାଟଡ଼ିହି ବ୍ଲକରେ ଶହଶହ ଏକର ଧାନତଳି ଏବେ ପାଞ୍ଚ ଫୁଟ ଉଚ୍ଚର ବର୍ଷା ପାଣିରେ ବୁଡ଼ି ରହିଛି । ଏକାଧିକ ଥର ତଳି ପକାଇଥିବା ଚାଷୀଙ୍କ ଆଖିରେ ଏବେ ଲୁହ, ଆଉ ମନରେ ଅନିଶ୍ଚିତ ଭବିଷ୍ୟତର ଚିନ୍ତା । ଗତକାଲିଠାରୁ କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ହାଟଡ଼ିହି ବ୍ଲକରେ ୧୬୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଫଳରେ ଚାଷଜମିରେ ପ୍ରାୟ ପାଞ୍ଚ ଫୁଟ ଉଚ୍ଚର ପାଣି ଜମିରହିଛି। ଯୁଆଡେ ଚାହିଁବେ, ସେଠାରେ କେବଳ ପାଣି ଆଉ ପାଣି ଦେଖିବାକୁ ମିଳୁଛି ।
ହାଟଡ଼ିହି ବ୍ଲକର ଶିବନାରାୟଣପୁର ଗାଁରେ ୫୦୦ରୁ ଅଧିକ ଚାଷୀ କୃଷି ଉପରେ ନିର୍ଭରଶୀଳ । ହେଲେ ଲଗାଣ ବର୍ଷା ସେମାନଙ୍କ ଆଶା ଓ ଆକାଂକ୍ଷାକୁ ପାଣିରେ ବୁଡ଼ାଇ ଦେଇଛି । ଶହଶହ ଏକର ଧାନତଳି ପାଣିରେ ବୁଡ଼ି ନଷ୍ଟ ହୋଇଯାଇଥିବାରୁ ଚାଷୀମାନେ ଗଭୀର ଚିନ୍ତାରେ ପଡ଼ିଛନ୍ତି । କିଛି ଚାଷୀ ତିନି ତିନି ଥର ଧାନତଳି ପକାଇଥିଲେ ମଧ୍ୟ ବର୍ଷା ସବୁ ପରିଶ୍ରମକୁ ମାଟିରେ ମିଶାଇ ଦେଇଛି । ଚାଷରେ ହୋଇଥିବା କ୍ଷତି ପାଇଁ ସରକାରୀ ସହାୟତା ଓ କ୍ଷତିପୂରଣ ଦାବି କରିଛନ୍ତି ପ୍ରଭାବିତ ଚାଷୀମାନେ । ଯଦି ବର୍ଷା ଆହୁରି ଲାଗି ରହେ, ତେବେ କ୍ଷତିର ପରିମାଣ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

