ତସ୍କରଙ୍କୁ ଧରିବାକୁ ଜୀବନକୁ ବାଜି ଲଗାଇଲେ ହେଡ୍ କନଷ୍ଟେବଳ , ପ୍ରଶଂସା କଲେ CM ବିଜୟ

ଚଳନ୍ତା ଏସ୍‌ୟୁଭି କାର୍‌ର ଛାତ ଉପରେ ପ୍ରାୟ ୪୦ କିଲୋମିଟର ଯାଏଁ ରହି ତସ୍କରଙ୍କୁ ପିଛା କରିଥିଲେ ହେଡ୍ କନଷ୍ଟେବଳ ଏମ୍. ବେଲମୁରୁଗନ୍ । ତାଙ୍କ ସାହସକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ପ୍ରଶଂସା କରିଛନ୍ତି ।

ତାମିଲନାଡୁର କୋଏମ୍ବାଟୁରରେ ତମାଖୁ ତସ୍କରଙ୍କୁ ଧରିବା ପାଇଁ ଜଣେ ପୋଲିସ୍ ହେଡ୍ କନଷ୍ଟେବଳଙ୍କ ସାହସିକତା ଏବେ ଚର୍ଚ୍ଚାରେ । ଚଳନ୍ତା ଏସ୍‌ୟୁଭି କାର୍‌ର ଛାତ ଉପରେ ପ୍ରାୟ ୪୦ କିଲୋମିଟର ଯାଏଁ ରହି ତସ୍କରଙ୍କୁ ପିଛା କରିଥିଲେ ହେଡ୍ କନଷ୍ଟେବଳ ଏମ୍. ବେଲମୁରୁଗନ୍ । ତାଙ୍କ ସାହସକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ପ୍ରଶଂସା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ବେଲମୁରୁଗନଙ୍କୁ ସଚିବାଳୟକୁ ଡାକି ବ୍ୟକ୍ତିଗତ ଭାବେ ତାଙ୍କ ସାହସିକତାର ପ୍ରଶଂସା କରିଥିଲେ। ଏହି ସମୟରେ ରାଜ୍ୟ ଡିଜିପି ଆଇପିଏସ୍ ମହେଶ କୁମାର ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ । ଘଟଣାଟି ସୋମବାର ସକାଳ ପ୍ରାୟ ୫ଟା ୪୫ରେ ଆରମ୍ଭ ହୋଇଥିଲା । ବେଙ୍ଗାଲୁରୁରୁ କୋଏମ୍ବାଟୁର ଅଭିମୁଖେ ନିଷିଦ୍ଧ ତମାଖୁ ସାମଗ୍ରୀ ନେଇ ଏକ ଗାଡ଼ି ଆସୁଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ଏହାପରେ ପୋଲିସ ଟିମ୍ ଏକ କର୍ଣ୍ଣାଟକ ନମ୍ବର ଥିବା ଧଳା ଏସ୍‌ୟୁଭିକୁ ଚିହ୍ନଟ କରିଥିଲେ ।

କାଇକୋଲାପାଲାୟମ ନିକଟରେ ପୋଲିସ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ସବ୍‌-ଇନ୍ସପେକ୍ଟର ଭି. ବିଗ୍ନେଶ ଗାଡ଼ି ନିକଟକୁ ଯାଇ ଭିତରେ ଥିବା ଲୋକଙ୍କୁ ପଚରାଉଚରା କରୁଥିବା ବେଳେ ଡ୍ରାଇଭର ହଠାତ୍ ଝରକା ବନ୍ଦ କରିଦେଇଥିଲା । ଏହାପରେ ଗାଡ଼ିଟି ପୋଲିସର ଘେରାବନ୍ଦୀ ଭାଙ୍ଗି ଦ୍ରୁତ ଗତିରେ ଫେରାର ହେବାକୁ ଚେଷ୍ଟା କରିଥିଲା ।

ଏହି ସମୟରେ ହେଡ୍ କନଷ୍ଟେବଳ ବେଲମୁରୁଗନ୍ ଗାଡ଼ିର ରୁଫ୍ ରେଲିଂ ଧରି ଛାତ ଉପରେ ଚଢ଼ି ଯାଇଥିଲେ । ଏସ୍‌ୟୁଭିଟି କୋଏମ୍ବାଟୁରର ଭିଡ଼ଭାଡ଼ ରାସ୍ତା ଦେଇ ତିରୁପ୍ପୁର ଆଡ଼କୁ ଦୌଡ଼ୁଥିବା ବେଳେ କିଛି ସ୍ଥାନରେ ଗତି ଘଣ୍ଟାପ୍ରତି ୧୦୦ କିମିରୁ ଅଧିକ ଥିଲା । ପ୍ରାୟ ୪୦ କିମି ପିଛା କରିବା ପରେ ମଙ୍ଗଳମ ଜଙ୍କସନ୍ ନିକଟରେ ପୋଲିସ ଏସ୍‌ୟୁଭିକୁ ଅଟକାଇବାରେ ସଫଳ ହୋଇଥିଲା। ଗାଡ଼ିରେ ଥିବା ତିନି ଜଣ ସନ୍ଦିଗ୍ଧ ତସ୍କରଙ୍କୁ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *