ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା , ଉତ୍ତର ଓ ପଶ୍ଚିମ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ

ଲଘୁଚାପର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ଉତ୍ତର ଓ ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

 ଲଘୁଚାପର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ଉତ୍ତର ଓ ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଲଗାଣ ବର୍ଷା ଯୋଗୁଁ ନଦୀନାଳ ଫୁଲିବା ସହ ଚାଷ ଜମିରେ ପାଣି ଜମି ରହିଛି । ବିଶେଷ କରି ପୁରୀ ଜିଲ୍ଲା କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି । ଆଜି ଉତ୍ତର ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଅନବରତ ବର୍ଷାର ପ୍ରଭାବରେ ବହୁ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି ।

ପୁରୀ ଜିଲ୍ଲାର କାକଟପୁର ବ୍ଲକର ବାଙ୍ଗୁରୀଗାଁ, ଅବଦାନ, କାଦୁଅ ନୂଆଗାଁ ଓ ଜଳେଶ୍ୱରପଡ଼ା ସମେତ ବିଭିନ୍ନ ପଞ୍ଚାୟତରେ ଚାଷ ଜମି ପାଣି ଘେରରେ ରହିଛି । ଶହ ଶହ ଏକର ଧାନ ତଳି ଉପରେ ଆଣ୍ଠୁଏ ପାଣି ଲହଡ଼ି ମାରୁଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ଚାଷୀମାନେ ଧାର କରଜ କରି ବିହନ କିଣି ଚାଷ କରିଥିବାବେଳେ ବର୍ଷା ଓ ବନ୍ୟାଜଳ ସେମାନଙ୍କ ଆଶା ଉପରେ ପାଣି ପକାଇଛି। ପାଣି ନିଷ୍କାସନରେ ବିଳମ୍ବ ହେଲେ ତଳି ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ରହିଛି । ଏପରି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀମାନେ ସରକାରୀ ସହାୟତା ଓ କ୍ଷତିପୂରଣ ଦାବି କରିଛନ୍ତି । ଅନ୍ୟପଟେ ପାଣିପାଗ ବିଭାଗ ଆଗାମୀ କିଛି ସମୟ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ପୂର୍ବାନୁମାନ କରିଥିବାରୁ ପ୍ରଶାସନ ସତର୍କ ରହିବା ସହ ଲୋକଙ୍କୁ ଅନାବଶ୍ୟକ ଭାବେ ଜଳାବଦ୍ଧ ଅଞ୍ଚଳକୁ ନ ଯିବା ପାଇଁ ପରାମର୍ଶ ଦେଇଛି ।

Leave a Reply

Your email address will not be published. Required fields are marked *