ଏହି ସମସ୍ତ ଧମକ ପରେ ଆମେରିକାର ଗୁପ୍ତଚର ସଂସ୍ଥା FBI ଏବଂ ଅନ୍ତର୍ଜାତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଏକ ଶକ୍ତିଶାଳୀ ନେଟୱାର୍କ ସ୍ଥାପନ କରାଯାଇଥିଲା। ଖେଳାଳିଙ୍କ ସୁରକ୍ଷା ସହ ସେମାନଙ୍କ ପରିବାର ଏବଂ ଖେଳ ପଡ଼ିଆ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା ।
୨୦୨୬ ଫିଫା ବିଶ୍ୱକପ୍ ଫୁଟବଲ ପ୍ରେମୀଙ୍କ ପାଇଁ ଅନେକ ରୋମାଞ୍ଚକର ମୁହୂର୍ତ୍ତ ଆଣିଥିଲା। ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନାକୁ ପରାସ୍ତ କରି ସ୍ପେନ ବହୁ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ବିଶ୍ୱବିଜୟୀ ହୋଇଥିଲା। କିନ୍ତୁ ଏହି ଉତ୍ସାହ ଓ ଉଲ୍ଲାସ ମଧ୍ୟରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଯାହା ପ୍ରଶଂସକଙ୍କ ହୋସ ଉଡ଼ାଇ ଦେଇଛି। ଏକ ପୋଲିସ ଡୋଜିୟର ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ସମୟରେ ବିଶ୍ୱର ସୁପରଷ୍ଟାର ଲିଓନେଲ ମେସି ଏବଂ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ହତ୍ୟା କରିବା ପାଇଁ ଭୟଙ୍କର ଷଡ଼ଯନ୍ତ୍ର ରଚାଯାଇଥିଲା।
ରିପୋର୍ଟ ଅନୁଯାୟୀ, ଆର୍ଜେଣ୍ଟିନାର ଷ୍ଟାର ଖେଳାଳି ଲିଓନେଲ ମେସି ଆତଙ୍କବାଦୀଙ୍କ ମୁଖ୍ୟ ଟାର୍ଗେଟରେ ଥିଲେ । ଡାଲାସରେ ଆର୍ଜେଣ୍ଟିନା ଓ ଜର୍ଡାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପୂର୍ବରୁ ଜଣେ ବ୍ୟକ୍ତି ବିମାନବନ୍ଦରକୁ ଫୋନ କରି ଧମକ ଦେଇଥିଲା। ସେ ଦାବି କରିଥିଲା ଯେ, ସେ ଓ ତା’ର ସହଯୋଗୀମାନେ ହାତ ନିର୍ମିତ ବୋମା ଏବଂ AR-15 ରାଇଫଲ ସହ ଷ୍ଟାଡିୟମ ଅଭିମୁଖେ ଯାଉଛନ୍ତି । ଏହି ଧମକରେ ବିଶେଷ କରି ମେସି ଏବଂ ସେଠାରେ ନିୟୋଜିତ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ କରିବାକୁ କୁହାଯାଇଥିଲା।
ସେହିପରି ଆଟଲାଣ୍ଟାରେ ଆର୍ଜେଣ୍ଟିନା ଓ ମିଶର ମ୍ୟାଚ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଜଣେ ବ୍ୟକ୍ତି ମେସିଙ୍କ ଉପରେ ବିସ୍ଫୋରକ ଆକ୍ରମଣ କରିବାକୁ ଧମକ ଦେଇଥିଲା । ମ୍ୟାଚ ଚାଲିଥିବା ସମୟରେ ଷ୍ଟାଡିୟମ ଭିତରେ ତିନୋଟି ବୋମା ଥିବା ଖବର ମଧ୍ୟ ପୁଲିସକୁ ମିଳିଥିଲା। ଏହାପରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର ସହାୟତାରେ ପୂରା ଷ୍ଟାଡିୟମ ଯାଞ୍ଚ କରାଯାଇଥିଲା।
କେବଳ ମେସି ନୁହଁନ୍ତି, ପର୍ତ୍ତୁଗାଲର ଦିଗ୍ଗଜ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ମଧ୍ୟ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା । ଜୁନ୍ ୧୪ରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ରୋନାଲ୍ଡୋ ରହୁଥିବା ହୋଟେଲ ବିଷୟରେ ତଥ୍ୟ ସଂଗ୍ରହ କରୁଥିବାବେଳେ ଫିଫା କର୍ମଚାରୀଙ୍କ ନଜରକୁ ଆସିଥିଲା। ପରେ ହ୍ୟୁଷ୍ଟନ ପୋଲିସ ତତ୍ପରତା ଦେଖାଇ ସେହି ବ୍ୟକ୍ତିକୁ ଗିରଫ କରିବାରେ ସଫଳ ହୋଇଥିଲା।
ଏହି ସମସ୍ତ ଧମକ ପରେ ଆମେରିକାର ଗୁପ୍ତଚର ସଂସ୍ଥା FBI ଏବଂ ଅନ୍ତର୍ଜାତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଏକ ଶକ୍ତିଶାଳୀ ନେଟୱାର୍କ ସ୍ଥାପନ କରାଯାଇଥିଲା। ଖେଳାଳିଙ୍କ ସୁରକ୍ଷା ସହ ସେମାନଙ୍କ ପରିବାର ଏବଂ ଖେଳ ପଡ଼ିଆ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ଖେଳାଳିଙ୍କ ବ୍ୟତୀତ ରେଫରି ଫ୍ରାଙ୍କୋଇସ ଲେଟେକ୍ସିୟରଙ୍କୁ ମଧ୍ୟ ହଜାର ହଜାର ଧମକପୂର୍ଣ୍ଣ ମେସେଜ୍ ମିଳିଥିବା ଜଣାପଡ଼ିଛି।
ତେବେ ସୁରକ୍ଷା ଏଜେନ୍ସିଗୁଡ଼ିକର ପଦକ୍ଷେପ ଯୋଗୁଁ କୌଣସି ବଡ଼ ଧରଣର ଅଘଟଣ ଘଟିନଥିଲା ଏବଂ ବିଶ୍ୱକପ୍ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା । କିନ୍ତୁ ଏହି ଘଟଣା ପ୍ରମାଣ କରିଛି ଯେ, ଫୁଟବଲ ପଡ଼ିଆରେ ଲଢ଼େଇ କେବଳ ଗୋଲ୍ ପାଇଁ ନୁହେଁ, ବରଂ ଜୀବନ ବଞ୍ଚାଇବା ପାଇଁ ମଧ୍ୟ ଏକ ବଡ଼ ସଂଘର୍ଷ ଚାଲିଥିଲା।

