ମାଗଣା ନାମଲେଖା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଫି ଆଦାୟ ଅଭିଯୋଗକୁ ନେଇ ତେଜିଛି ବିବାଦ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଏକମାତ୍ର ଡିଗ୍ରୀ କଲେଜ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ +3 ନାମଲେଖା ପାଇଁ ଟଙ୍କା ନିଆଯାଉଥିବା ଅଭିଯୋଗ ହୋଇଛି ।
ମାଗଣା ନାମଲେଖା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଫି ଆଦାୟ ଅଭିଯୋଗକୁ ନେଇ ତେଜିଛି ବିବାଦ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଏକମାତ୍ର ଡିଗ୍ରୀ କଲେଜ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ +3 ନାମଲେଖା ପାଇଁ ଟଙ୍କା ନିଆଯାଉଥିବା ଅଭିଯୋଗ ହୋଇଛି । ଗତ ୮ ତାରିଖରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲାଗୁ ହୋଇଥିବା ନିର୍ଦ୍ଦେଶ ଅନୁସାରେ, ଛାତ୍ରଛାତ୍ରୀଙ୍କ ଠାରୁ ନାମଲେଖା ଫି ଆଦାୟ ନ କରିବାକୁ କୁହାଯାଇଥିଲା । ଏହା ଆଧାରରେ ଜିଲ୍ଲାର ଅନ୍ୟାନ୍ୟ କଲେଜରେ +2 ଓ +3 ନାମଲେଖା ମାଗଣାରେ ହେଉଥିବା ଛାତ୍ରଛାତ୍ରୀମାନେ କହିଛନ୍ତି । ତେବେ ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର +3 ନାମଲେଖା ପାଇଁ ୬ ହଜାରରୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ଆସିଛି ।
ଅନ୍ୟ କଲେଜରେ ଯେଉଁଠି ମାଗଣାରେ ଆଡମିସନ ହେଉଛି, ସେଠାରେ ଏହି କଲେଜରେ କାହିଁକି ଟଙ୍କା ନିଆଯାଉଛି ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ନେଇ ଆଜି ଅନେକ ଛାତ୍ରଛାତ୍ରୀ କଲେଜ ପରିସରରେ ପହଞ୍ଚି ପ୍ରତିବାଦ କରିଥିଲେ । ଆନ୍ଦୋଳନକାରୀ ଛାତ୍ରଛାତ୍ରୀ କଲେଜ ଗେଟରେ ତାଲା ପକାଇ ଫି ଆଦାୟକୁ ବିରୋଧ କରିଥିଲେ । ସରକାର କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଗାଇବା ନେଇ ଘୋଷଣା କରିଥିବାବେଳେ ଏଭଳି ଫି ଆଦାୟ ଅଭିଯୋଗ ଅଭିଭାବକ ମହଲରେ ମଧ୍ୟ ଅସନ୍ତୋଷ ସୃଷ୍ଟି କରିଛି । ଘଟଣା ନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମିଳିନଥିବା ବେଳେ ଆଗାମୀ ପଦକ୍ଷେପ ଉପରେ ନଜର ରହିଛି ।

