ମ୍ୟାଚ୍ର ଚତୁର୍ଥ ମିନିଟ୍ରେ ଭ୍ରମଣକାରୀ ଦଳ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା। ଏହାକୁ ନବନୀତ କୌର ଗୋଲ୍ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ।
ନ୍ୟୁଜିଲାଣ୍ଡରେ ଆୟୋଜିତଏଫ୍ଆଇଏଚ୍ ନେସନ୍ସ କପ୍ ମହିଳା ହକି ପ୍ରତିଯୋଗିତାରେ ଭାରତ ବିଜେତା ହୋଇଛି। ପୂରା ପ୍ରତିଯୋଗିତାରେ ଅପରାଜେୟ ଥିବା ଭାରତ ରବିବାର ଫାଇନାଲ୍ରେ ଘରୋଇ ଦଳକୁ ୨-୦ ଗୋଲ୍ରେ ପରାସ୍ତ କରି ତ୍ବିତୀୟ ଥର ଲାଗି ଏହି ଟ୍ରଫି ହାତେଇଛି। ଭାରତ ପ୍ରଥମ ଥର ଲାଗି ୨୦୨୨ ଉଦ୍ଘାଟନୀ ସଂସ୍କରଣରେ ବିଜେତା ହୋଇଥିଲା। ଚଳିତ ସଂସ୍କରଣରେ ଭାରତ ପୁଲ୍-ଏ’ରେ ଆମେରିକା, ଜାପାନ, ଉରୁଗୁଏକୁ ହରାଇ ସେମିଫାଇନାଲ୍ରେ ପହଞ୍ଚିଥିଲା। ସେମିଫାଇନାଲ୍ରେ ଚିଲିକୁ ୬-୦ରେ ହରାଇ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲା।
ଏହି ଟ୍ରଫି ବିଜୟ ସହ ଏଫ୍ଆଇଏଚ୍ ପ୍ରୋ-ଲିଗ୍କୁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ମହିଳା ଦଳର ସମସ୍ତ ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଏବଂ ସର୍ପୋଟ ଷ୍ଟାଫ୍ଙ୍କୁ ୧.୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ହକି ଇଣ୍ଡିଆ ଘୋଷଣା କରିଛି । ମ୍ୟାଚ୍ର ଚତୁର୍ଥ ମିନିଟ୍ରେ ଭ୍ରମଣକାରୀ ଦଳ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା। ଏହାକୁ ନବନୀତ କୌର ଗୋଲ୍ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ପ୍ରଥମ କ୍ବାର୍ଟରର ଶେଷ ମିନିଟ୍ରେ ଦଳକୁ ମିଳିଥିବା ଅନ୍ୟଏକ ପେନାଲ୍ଟି କର୍ଣ୍ଣରକୁ ଓଡ଼ିଆ ଝିଅ ସୁନେଲିତା ଟୋପ୍ପୋ ଗୋଲ୍ରେ ପରିଣତ କରି ୨-୦ରେ ଭାରତକୁ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟରରେ ଭାରତ ଶୃଙ୍ଖଳିତ ଖେଳ ଖେଳି ଘରୋଇ ଦଳକୁ କୌଣସି ସୁଯୋଗ ଦେଇ ନଥିଲା। ଫଳରେ ପ୍ରଥମାର୍ଦ୍ଧ ଭାରତ ପକ୍ଷରେ ୨-୦ରେ ରହିଥିଲା।
ଶେଷ ଦୁଇ କ୍ବାର୍ଟରରେ ମଧ୍ୟ ଭାରତର ଡିଫେଣ୍ଡର ଚମତ୍କାର ଖେଳି ଘରୋଇ ଦଳକୁ କୌଣସି ସୁଯୋଗ ଦେଇ ନଥିଲେ। ଏପରିକି ଶେଷ କ୍ବାର୍ଟରରେ ନ୍ୟୁଜିଲାଣ୍ଡକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସବିତା ବିଫଳ କରି ଭାରତର ବିଜୟ ନିଶ୍ଚିତ କରିଥିଲେ। ଚମତ୍କାର ପ୍ରଦର୍ଶନ ପାଇଁ ଲାଲରେମସିଆମିଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଦୀପିକା (୬ ଗୋଲ୍) ଯୁଗ୍ମ ଭାବେ ଆମେରିକାର ଆସ୍ଲେ ସେସାଙ୍କ ସହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।

