ମରାଠା ସଂରକ୍ଷଣ ବିବାଦ: ୨୦ ଦିନ ପରେ ଅନଶନ ଭାଙ୍ଗିଲେ ମନୋଜ ଜାରାଙ୍ଗେ

୨୦ ଦିନର ଅନଶନ ପରେ ମରାଠା ସଂରକ୍ଷଣ ଆନ୍ଦୋଳନର ନେତା ମନୋଜ ଜାରାଙ୍ଗେ ଅନଶନ ଭାଙ୍ଗିଛନ୍ତି। ମରାଠାଙ୍କୁ କୁନବି ପ୍ରମାଣପତ୍ର ଓ OBC କୋଟା ଦାବି ଉପରେ ନିଷ୍ପତ୍ତି ପାଇଁ ସେ ମହାରାଷ୍ଟ୍ର ସରକାରକୁ ୩ ମାସ ସମୟ ଦେଇଛନ୍ତି ।

ମରାଠା ସଂରକ୍ଷଣ ଆନ୍ଦୋଳନର ନେତା ମନୋଜ ଜାରାଙ୍ଗେ-ପାଟିଲ ଗୁରୁବାର ୨୦ ଦିନର ଅନଶନ ଭାଙ୍ଗିଛନ୍ତି। ମରାଠା ସଂରକ୍ଷଣ ସମ୍ପର୍କିତ ତାଙ୍କ ଦାବି ଉପରେ ବିଚାର କରି ନିଷ୍ପତ୍ତି ନେବା ପାଇଁ ସେ ମହାରାଷ୍ଟ୍ର ସରକାରକୁ ୩ ମାସର ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ ସମାଧାନ ନହେଲେ ଆନ୍ଦୋଳନକୁ ପୁଣି ମୁମ୍ବାଇ ପର୍ଯ୍ୟନ୍ତ ନେବାକୁ ସେ ଚେତାବନୀ ଦେଇଛନ୍ତି ।

୪୪ ବର୍ଷୀୟ ଜାରାଙ୍ଗେ ଅଗଷ୍ଟ ୨୯ରୁ ଅନଶନରେ ବସିଥିଲେ। ଯୋଗ୍ୟ ମରାଠାମାନଙ୍କୁ କୁନବି ଜାତି ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କୁ ଅନ୍ୟ ପଛୁଆ ବର୍ଗ (OBC) କୋଟାର ସୁବିଧା ଦେବା ତାଙ୍କର ପ୍ରମୁଖ ଦାବି ରହିଛି । ମୁମ୍ବାଇ ଅଭିମୁଖେ ପଦଯାତ୍ରା କରୁଥିବା ସମୟରେ ଜାରାଙ୍ଗେଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଏହାପରେ ସେ ବିଡ୍‌ ଜିଲ୍ଲାର ପାଟୋଡାରେ ଅଟକି ଯାଇଥିଲେ। ସେଠାରେ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ତାଙ୍କ ସହ ଆଲୋଚନା କରିଥିଲା ।

ସରକାରୀ ପ୍ରତିନିଧି ଦଳରେ ବରିଷ୍ଠ ମନ୍ତ୍ରୀ ରାଧାକୃଷ୍ଣ ଭିଖେ ପାଟିଲ ଓ ଦାଦା ଭୁସେ, ଏମ୍‌ଏଲ୍‌ସି ପ୍ରସାଦ ଲାଡ୍‌, ବିଧାୟକ ସୁରେଶ ଧାସ୍‌ ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ବୈଠକରେ ମରାଠା ସଂରକ୍ଷଣ ପ୍ରସଙ୍ଗରେ ସରକାର ନେଇଥିବା ପଦକ୍ଷେପ ଓ ଚାଲିଥିବା ପ୍ରକ୍ରିୟା ସମ୍ପର୍କରେ ଜାରାଙ୍ଗେଙ୍କୁ ଅବଗତ କରାଯାଇଥିଲା । ଆଲୋଚନା ପରେ ଜାରାଙ୍ଗେ ଅନଶନ ଭାଙ୍ଗିବାକୁ ରାଜି ହୋଇଥିଲେ।

ସରକାରୀ ପ୍ରକ୍ରିୟାର ଅଗ୍ରଗତି ଉପରେ ନଜର ରଖିବାକୁ ସେ ତିନି ଜଣ ପ୍ରତିନିଧିଙ୍କୁ ମନୋନୀତ କରନ୍ତୁ ବୋଲି ମନ୍ତ୍ରୀ ରାଧାକୃଷ୍ଣ ଭିଖେ ପାଟିଲ ପରାମର୍ଶ ଦେଇଥିଲେ। ତେବେ ଜାରାଙ୍ଗେ ସ୍ପଷ୍ଟ କରିଛନ୍ତି ଯେ, ତିନି ମାସ ମଧ୍ୟରେ ସରକାର ତାଙ୍କ ଦାବି ଉପରେ ଠୋସ୍‌ ପଦକ୍ଷେପ ନନେଲେ ଆନ୍ଦୋଳନ ପୁଣି ତୀବ୍ର ହୋଇପାରେ। ଏହି ପରିସ୍ଥିତିରେ ମରାଠା ସଂରକ୍ଷଣ ପ୍ରସଙ୍ଗରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ନଜର ରହିଛି ।

Leave a Reply

Your email address will not be published. Required fields are marked *