ବ୍ରାହ୍ମଣୀ ନଦୀ ପାର ହୋଇ ଗାଁରେ ହାତୀପଲ , ଭୁବନରେ ୧୫ ହାତୀକୁ ନେଇ ଆତଙ୍କ

ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ହାତୀ ଆତଙ୍କ । ଏକାସାଙ୍ଗରେ ୧୫ଟି ହାତୀ ଅଞ୍ଚଳରେ ପଶି ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ହାତୀ ଆତଙ୍କ । ଏକାସାଙ୍ଗରେ ୧୫ଟି ହାତୀ ଅଞ୍ଚଳରେ ପଶି ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ଷଡ଼ଙ୍ଗୀ ବନଖଣ୍ଡ ଅଞ୍ଚଳରୁ ୫ଟି ଦନ୍ତା, ୭ଟି ଗୁଣ୍ଠୁଣି ଓ ୩ଟି ଛୋଟ ହାତୀଙ୍କୁ ନେଇ ଗଠିତ ଏକ ହାତୀପଲ ଗତ ସନ୍ଧ୍ୟାରେ ବ୍ରାହ୍ମଣୀ ନଦୀ ପାର ହୋଇ ଭୁବନ ବନାଞ୍ଚଳ ଅଧୀନ ମଠକରଗୋଳା ଅଞ୍ଚଳରେ ପ୍ରବେଶ କରିଥିଲେ । ପରେ ବିଳମ୍ବିତ ରାତିରେ ହାତୀପଲ ବ୍ରାହ୍ମଣୀ ନଦୀ କୂଳେ କୂଳେ ଚାଲି ଭୁବନ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ହେଙ୍ଗୁଳାଇ ମନ୍ଦିର ନିକଟରେ ପହଞ୍ଚିଥିଲେ । ହାତୀଙ୍କୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ବନ ବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି । ତେବେ ବ୍ରାହ୍ମଣୀ ନଦୀରେ ଜଳସ୍ତର ବଢ଼ିଥିବାରୁ ହାତୀମାନେ ନଦୀ ପାର ହୋଇପାରିନଥିଲେ । ଫଳରେ ସେମାନେ ପୁଣି ମଠକରଗୋଳା ଅଞ୍ଚଳ ଆଡ଼କୁ ଫେରିଥିବା ଦେଖାଯାଇଛି । ଏକାସମୟରେ ଏତେ ସଂଖ୍ୟକ ହାତୀକୁ ଦେଖି ଭୁବନ ବିଜ୍ଞାପିତ ଅଞ୍ଚଳ ଓ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଥିବା ବେଳେ, ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବଢ଼ୁଥିବା ମଣିଷ-ହାତୀ ସଂଘର୍ଷ ମଧ୍ୟରେ ଏବେ ଅଞ୍ଚଳବାସୀଙ୍କ ନଜର ରହିଛି ବନ ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ ।

Leave a Reply

Your email address will not be published. Required fields are marked *