ବିଏସ୍‌ଏନ୍‌ଏଲ୍‌ର ବଡ଼ ନିଷ୍ପତ୍ତି : ସଂଗ୍ରହ କରିବ ୧୦୦୦ କୋଟିର ପାଣ୍ଠି

ସରକାରୀ ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ଓଡ଼ିଶା ସର୍କଲ ନିଜ ସମ୍ପତ୍ତି ଜରିଆରେ ମୋଟା ଅଙ୍କର ପାଣ୍ଠି ସଂଗ୍ରହ କରିବାକୁ ଯୋଜନା ରଖିଛି ।

 ସରକାରୀ ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ଓଡ଼ିଶା ସର୍କଲ ନିଜ ସମ୍ପତ୍ତି ଜରିଆରେ ମୋଟା ଅଙ୍କର ପାଣ୍ଠି ସଂଗ୍ରହ କରିବାକୁ ଯୋଜନା ରଖିଛି । ଆସେଟ୍‌ ମନେଟାଇଜେସନ୍‌ ଯୋଜନା ଅଧୀନରେ କମ୍ପାନି ସାରା ରାଜ୍ୟରେ ୩୫୦ଟି ସ୍ଥାନରେ ଜମି ଓ ସମ୍ପତ୍ତି ଚିହ୍ନଟ କରିଛି। ସେଥିରେ କାର୍ଯ୍ୟାଳୟ କୋଠା, ଭୁବନେଶ୍ବର ରସୁଲଗଡ଼ରେ ୪ ଏକରର ଜମି, ସତ୍ୟନଗରରେ ଷ୍ଟୋର୍‌ ଆଦି ରହିଛି । ସେଗୁଡ଼ିକୁ ବିକ୍ରି କରି କିମ୍ବା ଦୀର୍ଘମିଆଦୀ ଲିଜ୍‌ ସୂତ୍ରରେ ଦେଇ ୧୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି। ବିଶେଷ କରି ଖାଲି ପଡ଼ିଥିବା ଜମିଗୁଡ଼ିକୁ ଶୀଘ୍ର ବିକ୍ରି କରିବା କିମ୍ବା ଲିଜ୍‌ରେ ଦେବାକୁ ଏହା ଚାହୁଁଛି ।

ଏ ସମ୍ପର୍କରେ କମ୍ପାନିର ଓଡ଼ିଶା ସର୍କଲ୍‌ ସିଜିଏମ୍‌ ଡିକେ ବେହେରା କହିଛନ୍ତି, ଆ‌ସେଟ୍‌ ମନେଟାଇଜେସନ୍‌ ପାଇଁ ଚିହ୍ନଟ ହୋଇଥିବା ଜମି ମଧ୍ୟରୁ ୧୭୦ ପାଖାପାଖି ଜମିର ମ୍ୟୁଟେସନ୍‌ ହୋଇସାରିଲାଣି।  ତାହା ବିଏସ୍‌ଏନ୍‌ଏଲ୍‌ ନାମକୁ ଆସିସାରିଛି । ଚଳିତ ବର୍ଷଠାରୁ ଆମେ ସେଗୁଡ଼ିକୁ ବିକ୍ରି କିମ୍ବା ଲିଜ୍‌ରେ ଦେବାକୁ ଯୋଜନା ରଖିଛୁ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ମନେଟାଇଜେସନ୍‌ ପ୍ରକ୍ରିୟା ଶେଷ କରାଯିବ। ଚଳିତ ବର୍ଷ ମନେଟାଇଜେସନ୍‌ରୁ ପ୍ରାୟ ୨୦୦ କୋଟି ଟଙ୍କା ସଂଗ୍ରହ କରିବା ଯୋଜନା ରହିଛି। 
ତାଲିକାରେ ରସୁଲଗଡ଼ର ୪ ଏକର
ଇଭି ଚାର୍ଜିଂ ଷ୍ଟେସନ୍‌ ପାଇଁ ଜାଗା ଦେବ
ସଂଗ୍ରହ କରିବ ୧୦୦୦ କୋଟିର ପାଣ୍ଠି

ଅବ୍ୟବହୃତ ଜମିକୁ ନେଇ କମ୍ପାନିର ଆଉ ଏକ ଯୋଜନା ମଧ୍ୟ ରହିଛି। ଏହା ନିଜ ଜମିକୁ ବିଭିନ୍ନ ସଂସ୍ଥାକୁ ଇଲେକ୍ଟ୍ରିକ୍‌ ଯାନ (ଇଭି) ଚାର୍ଜିଂ ଷ୍ଟେସନ୍‌ ସ୍ଥାପନ କରିବା ପାଇଁ ଦେବା ଉପରେ ବିଚାର କରୁଛି। ବିଶେଷ କରି ରାସ୍ତା ପାର୍ଶ୍ବରେ ଥିବା ଜମିଗୁଡ଼ିକୁ ଏଥିପାଇଁ ବିଚାରକୁ ନିଆଯାଇଛି । 
ଏଭଳି ୨୦୦ଟି ସ୍ଥାନରେ ବିଏସ୍‌ଏନ୍‌ଏଲ୍‌ ଜମି ଯୋଗାଇ ଦେଇପାରିବ। ଏଥିପାଇଁ ଆଗ୍ରହ ଦେଖାଇଥିବା ସଂସ୍ଥାଗୁଡ଼ିକର ପ୍ରସ୍ତାବକୁ ବିଚାର କରିବା ପାଇଁ କମ୍ପାନି କେନ୍ଦ୍ର ପାଖକୁ ପଠାଇଛି। ସ୍କୁଟର ଭଳି ଛୋଟ ଗାଡ଼ି ଚାର୍ଜିଂ ହେବା ବ୍ୟବସ୍ଥା ସେଠାରେ କରାଯାଇପାରିବ। ବର୍ତ୍ତମାନ ସୁଦ୍ଧା ଏ ସଂକ୍ରାନ୍ତରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି। 

ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ସର୍କଲ୍‌ର ଆର୍ଥିକ ପ୍ରଦର୍ଶନ ଉପରେ ଆଲୋକପାତ କରି ଶ୍ରୀ ବେହେରା କହିଲେ, ପ୍ରଥମ ଥର ପାଇଁ ଆମ ରାଜସ୍ବ ୧୦୦୦ କୋଟି ଟଙ୍କାରୁ ଅଧିକ ହୋଇଛି । ଚଳିତ ଆର୍ଥିକ ବର୍ଷରେ କମ୍ପାନି ୧୨୪୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ଯେଉଁ କେତୋଟି ସର୍କଲ୍‌ରେ ବିଏସ୍‌ଏନ୍‌ଏଲ୍‌ ଲାଭ କରୁଛି ସେଥିରୁ ଓଡ଼ିଶା ଅନ୍ୟତମ। କେରଳ ପରେ ଓଡ଼ିଶା ସର୍କଲ୍‌ ଲାଭରେ ଦ୍ବିତୀୟ ସ୍ଥାନରେ ରହିଛି। ୨୦୨୨-୨୩ରେ କମ୍ପାନି ୪୫ କୋଟି, ୨୦୨୪-୨୫ରେ ୧୬୧ କୋଟି ଓ ୨୦୨୫-୨୬ରେ ୨୬ କୋଟି ଟଙ୍କାର ନିଟ୍‌ ଲାଭ କରିଥିଲା ।

 ୨୦୧୭ ପର୍ଯ୍ୟନ୍ତ ଓଡ଼ିଶା ସର୍କଲ୍‌ ଲାଭରେ ଚାଲୁଥିଲା ଓ ଏହାପରେ ଗତ ତିନି ଆର୍ଥିକ ବର୍ଷ ଧରି ପୁଣି ଲାଭ କରୁଛି। 
କମ୍ପାନି ବର୍ଷକୁ ପ୍ରାୟ ୧୦୦୦ କୋଟି ଟଙ୍କାକୁ ବେସ୍‌ ଷ୍ଟେସନ୍‌ ଟାୱାର (ବିଟିଏସ୍‌) ସ୍ଥାପନ କରିବା, ବ୍ୟାଟେରି ଲଗାଇବା, ଫାଇବର୍‌ ସଂଯୋଗ ବ୍ୟବସ୍ଥା କରିବା ଆଦିରେ ଖର୍ଚ୍ଚ କରୁଛି। ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ସର୍କଲ୍‌ର ପ୍ରମୁଖ ରାଜସ୍ବ ଉତ୍ସ ହେଉଛି ଭି-ସାଟ୍‌, ମୋବାଇଲ୍‌ ସେବା ଓ ଫାଇବର୍‌ ସଂଯୋଗ। 

କମ୍ପାନି ପକ୍ଷରୁ ରାଜ୍ୟରେ ୧୭୪୧ ନୂଆ ୪ଜି ଟାୱାର ସ୍ଥାପନ କରାଯାଇଛି। ଏଥି ସହିତ ୨୪୮୭ ଦୁର୍ଗମ ଓ ଅପହଞ୍ଚ ଗ୍ରାମରେ ୪ଜି ସେବା ଯୋଗାଇ ଦିଆଯାଉଛି। ୨୦୨୭ ମାର୍ଚ୍ଚ ସୁଦ୍ଧା ଆଉ ୮୬୫ଟି ନୂଆ ଗ୍ରାମରେ ୪ଜି ସେବା ପ୍ରଦାନ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି।
 ରାଜ୍ୟରେ କମ୍ପାନିର ୫୮୦୦ ଟାୱାର ଓ ୧୬ ହଜାର ବେସ୍‌ ଷ୍ଟେସନ ରହିଛି। ଚଳିତ ଆର୍ଥିକ ବର୍ଷରେ କମ୍ପାନି ୧୦୦୦ ନୂଆ ଟାୱାର ସ୍ଥାପନ କରିବାକୁ ଯୋଜନା ରଖିଛି। ନୂଆ ଟାୱାରଗୁଡ଼ିକୁ ମୁଖ୍ୟତଃ କୋରାପୁଟ, କଳାହାଣ୍ତି ରାୟଗଡ଼ା ଓ କେନ୍ଦୁଝର  ଜିଲ୍ଲାର ଗ୍ରାମାଞ୍ଚଳଗୁଡ଼ିକରେ ସ୍ଥାପନ କରାଯିବ।

Leave a Reply

Your email address will not be published. Required fields are marked *