ବର୍ଡର-ଗାଭାସ୍କର ଟ୍ରଫି: ଅଭ୍ୟାସ ମ୍ୟାଚ୍‌ ନ ନଖେଳି ଭାରତ ଆସିବ ଅଷ୍ଟ୍ରେଲିଆ, ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରଣନୀତି

ଅଷ୍ଟ୍ରେଲିଆ ଦଳ ଭାରତ ଆସିବା ପରେ ଅଭ୍ୟାସ ମ୍ୟାଚ୍‌ ନ ଖେଳି ଏକ ଲମ୍ବା ତାଲିମ ଶିବିର ମାଧ୍ୟମରେ ଭାରତୀୟ ପରିବେଶ ସହ ଖାପ ଖୁଆଇବାକୁ ଯୋଜନା କରୁଛି। ମୁଖ୍ୟପ୍ରଶିକ୍ଷକ ଆଣ୍ଡ୍ରିଉ ମ୍ୟାକ୍‌ଡୋନାଲ୍ଡ କହିଛନ୍ତି ଯେ ଖେଳାଳିଙ୍କୁ ପ୍ରସ୍ତୁତ କରିବା ଓ ସ୍ଥାନୀୟ ପରିସ୍ଥିତି ବୁଝିବା ଉପରେ ଦଳ ଗୁରୁତ୍ୱ ଦେବ।

ଆସନ୍ତା ବର୍ଷ ଜାନୁଆରି ୨୧ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଭାରତରେ ଖେଳାଯିବ ବର୍ଡର-ଗାଭାସ୍କର ଟ୍ରଫି । ଭାରତ ବିପକ୍ଷ ଏହି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ କୌଣସି ଅଭ୍ୟାସ ମ୍ୟାଚ୍‌ ନ ଖେଳିବାକୁ ନିଷ୍ପତ୍ତି ନେଇଛି । ଏହା ବଦଳରେ ଏକ ଲମ୍ବା ତାଲିମ ଶିବିର (ଟ୍ରେନିଂ କ୍ୟାମ୍ପ) କରି ଭାରତୀୟ ପରିବେଶ ଓ ପିଚ୍‌କୁ ପରଖିବାକୁ ଅଷ୍ଟ୍ରେଲିଆ ଯୋଜନା କରିଥିବା ନେଇ ମୁଖ୍ୟ ପ୍ରଶିକ୍ଷକ ଆଣ୍ଡ୍ରିଉ ମ୍ୟାକ୍‌ଡୋନାଲ୍ଡ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୫୭ ବର୍ଷ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଭାରତ ମାଟିରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବାକୁ ଯାଉଛି । ଅନ୍ୟପକ୍ଷରେ ୨୦୦୪-୦୫ ଋତୁ ପରଠାରୁ ଅଷ୍ଟ୍ରେଲିଆ ଭାରତରେ କୌଣସି ଟେଷ୍ଟ୍‌ ଶୃଙ୍ଖଳା ଜିତିବାରେ ସଫଳ ହୋଇନାହିଁ । ତେଣୁ ଏହି ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇବା ପାଇଁ ଅଷ୍ଟ୍ରେଲିଆ ଏଥର ସମ୍ପୂର୍ଣ୍ଣ ନୂଆ ଓ ଭିନ୍ନ ରଣନୀତି ସହ ଭାରତ ଆସିବାକୁ ପ୍ରସ୍ତୁତି କରୁଛି ।

ମୁଖ୍ୟ ପ୍ରଶିକ୍ଷକ ଆଣ୍ଡ୍ରିଉ ମ୍ୟାକ୍‌ଡୋନାଲ୍ଡ କହିଛନ୍ତି, “ଭାରତୀୟ ପରିବେଶ ସହ ଖାପ ଖୁଆଇବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସମୟ ରହିଛି । ଆମେ ଅଭ୍ୟାସ ମ୍ୟାଚ୍‌ ନ ଖେଳି କେବଳ ସେହି ସ୍ଥାନର ପରିବେଶକୁ ବୁଝିବାକୁ ଚେଷ୍ଟା କରିବୁ । ପୂର୍ବରୁ ଆମେ ୟୁଏଇ ଓ ବେଙ୍ଗାଲୁରୁରେ ସଫଳତାର ସହ ତାଲିମ ଶିବିର କରିସାରିଛୁ । ତେଣୁ ପ୍ରତ୍ୟେକ ଖେଳାଳିଙ୍କୁ କିପରି ବ୍ୟକ୍ତିଗତ ଭାବେ ପରିଚାଳନା କରାଯିବ ତାହା ଉପରେ କାମ ଚାଲିଛି ।”

ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଏପରି ଏକ ପ୍ରଶିକ୍ଷଣ ସ୍ଥାନ ଚୟନ କରିବାକୁ ଚାହୁଁଛି, ଯାହା କେବଳ ପ୍ରଥମ ଟେଷ୍ଟ୍‌ ନୁହେଁ ବରଂ ପୂରା ୫ଟି ଜାକ ମ୍ୟାଚ୍‌ରେ ସହାୟକ ହେବ । ପୂର୍ବରୁ ୟୁଏଇ (UAE) ଏବଂ ବେଙ୍ଗାଲୁରୁରେ କରିଥିବା ସ୍ୱତନ୍ତ୍ର ପ୍ରି-ସେସନ୍ କ୍ୟାମ୍ପ୍ ଅଭିଜ୍ଞତାକୁ ପୁଣି ଥରେ ଦୋହରାଇ ଭାରତକୁ ତା’ରି ମାଟିରେ କଡ଼ା ଚ୍ୟାଲେଞ୍ଜ ଦେବାକୁ କ୍ରିକେଟ୍ ଅଷ୍ଟ୍ରେଲିଆ ଲକ୍ଷ୍ୟ ରଖିଛି । 

Leave a Reply

Your email address will not be published. Required fields are marked *