ପ୍ରେମିକ ସହ ବିବାହ ପାଇଁ ସ୍ୱାମୀକୁ ହତ୍ୟା! ଜମି ବିକି ୧୦ ଲକ୍ଷରେ ହୋଇଥିଲା ସୁପାରି

ଘଟଣାର ତଦନ୍ତ ପାଇଁ ଏସଏସପି ସଞ୍ଜୟ କୁମାର ବର୍ମା ଏକାଧିକ ପୁଲିସ ଟିମ୍ ଗଠନ କରିଥିଲେ। ଏସପି ଦେହାତ, ସିଓ ବୁଢ଼ାନା, ରତନପୁରୀ ଇନ୍ସପେକ୍ଟରଙ୍କ ସହ SOG ଓ ସର୍ଭିଲାନ୍ସ ଟିମ୍ ତଦନ୍ତରେ ସାମିଲ ହୋଇଥିଲେ। ପୁଲିସ ଦାବି ଅନୁସାରେ, ପ୍ରାୟ ୬୦ ଘଣ୍ଟା ମଧ୍ୟରେ ହତ୍ୟା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି।

ଉତ୍ତରପ୍ରଦେଶର ମୁଜଫରନଗର ରତନପୁରୀ ଥାନା ଅଞ୍ଚଳରେ କୃଷକ ପ୍ରବୀଣ ଓରଫ ପରବିନ୍ଦରଙ୍କ ହତ୍ୟା ଘଟଣାର ରହସ୍ୟ ଖୋଲିଛି ପୁଲିସ। ସେପ୍ଟେମ୍ବର ୨୭ରେ ଅମ୍ବରପୁର ଜଙ୍ଗଲରୁ ପ୍ରବୀଣଙ୍କ ଗୁଳିବିଦ୍ଧ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମ ଓ ପଞ୍ଚନାମାରୁ ତାଙ୍କ ଶରୀରରେ ଦୁଇଟି ଗୁଳି ଲାଗିଥିବା ଜଣାପଡ଼ିଥିଲା। ଘଟଣାର ତଦନ୍ତ ପାଇଁ ଏସଏସପି ସଞ୍ଜୟ କୁମାର ବର୍ମା ଏକାଧିକ ପୁଲିସ ଟିମ୍ ଗଠନ କରିଥିଲେ। ଏସପି ଦେହାତ, ସିଓ ବୁଢ଼ାନା, ରତନପୁରୀ ଇନ୍ସପେକ୍ଟରଙ୍କ ସହ SOG ଓ ସର୍ଭିଲାନ୍ସ ଟିମ୍ ତଦନ୍ତରେ ସାମିଲ ହୋଇଥିଲେ। ପୁଲିସ ଦାବି ଅନୁସାରେ, ପ୍ରାୟ ୬୦ ଘଣ୍ଟା ମଧ୍ୟରେ ହତ୍ୟା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି।

ପୁଲିସର ସୂଚନା ଅନୁସାରେ, ଏହି ମାମଲାର ସବୁଠାରୁ ଚକିତକର ଦିଗ ହେଉଛି ପ୍ରବୀଣଙ୍କ ପତ୍ନୀ ରେଖା ମଧ୍ୟ ଷଡ଼ଯନ୍ତ୍ରରେ ସାମିଲ ଥିବା ଅଭିଯୋଗ। ରେଖାଙ୍କର ବିକାଶ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ପୁଲିସ କହିଛି। ବିକାଶ ପରିବାରର ପରିଚିତ ହୋଇଥିବାରୁ ପ୍ରବୀଣଙ୍କ ଘରକୁ ତାଙ୍କ ଯିବାଆସିବା ଥିଲା। ପୁଲିସ ଅନୁସାରେ, ଉଭୟ ୨୦୧୮-୧୯ରୁ ସମ୍ପର୍କରେ ଥିବା ଏବଂ ବିବାହ କରିବାକୁ ଚାହୁଁଥିଲେ।

ପୁଲିସ ଦାବି କରିଛି ଯେ, ପ୍ରବୀଣ ଏହି ସମ୍ପର୍କକୁ ବିରୋଧ କରିବା ପରେ ରେଖା ଓ ବିକାଶ ତାଙ୍କୁ ହଟାଇବା ପାଇଁ ଯୋଜନା କରିଥିଲେ। ରେଖା ଜମି ବିକ୍ରି କରି ୧୦ ଲକ୍ଷ ଟଙ୍କା ଯୋଗାଡ଼ କରି ହତ୍ୟା ପାଇଁ ଦେବାକୁ କହିଥିବା ଅଭିଯୋଗ ହୋଇଛି। ଏହାପରେ ବିକାଶ ରାଜା ଓରଫ କାଲା ଏବଂ କଲ୍ୟାଣ ସିଂହଙ୍କୁ ଏହି ଷଡ଼ଯନ୍ତ୍ରରେ ସାମିଲ କରିଥିବା ପୁଲିସ କହିଛି। ରାଜାଙ୍କର ପ୍ରବୀଣଙ୍କ ଉପରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ବକେୟା ଥିଲା। ହତ୍ୟା ପାଇଁ ରାଜା ଓ କଲ୍ୟାଣଙ୍କୁ ୩ ଲକ୍ଷ ଲେଖାଏଁ ଟଙ୍କା ଦେବାର ପ୍ରଲୋଭନ ଦିଆଯାଇଥିବା ପୁଲିସର ଦାବି।

ସେପ୍ଟେମ୍ବର ୨୭ରେ ପ୍ରବୀଣଙ୍କୁ ଅମ୍ବରପୁର ଜଙ୍ଗଲକୁ ଡକାଯାଇ ସେଠାରେ ତାଙ୍କୁ ଗୁଳି କରାଯାଇଥିବା ପୁଲିସ କହିଛି। ରାଜା ଓ କଲ୍ୟାଣ ଗୋଟିଏ ଲେଖାଏଁ ଗୁଳି ଚଳାଇଥିବା ତଦନ୍ତରେ ସ୍ୱୀକାର କରିଥିବା ଏସଏସପି କହିଛନ୍ତି। ପୁଲିସ ରେଖା, ବିକାଶ, ରାଜା ଓରଫ କାଲା ଏବଂ କଲ୍ୟାଣ ସିଂହଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଦୁଇଟି ୩୧୫ ବୋର ଅବୈଧ ତମଞ୍ଚା, ଗୁଳି ଓ ଖୋକା, ୪ଟି ମୋବାଇଲ ଫୋନ୍, ଏକ ସ୍ୱିଫ୍ଟ କାର୍ ଏବଂ ମୃତକଙ୍କ ମୋଟରସାଇକେଲ ଜବତ ହୋଇଥିବା ପୁଲିସ କହିଛି। ମାମଲାରେ BNS ଓ ଆର୍ମ୍ସ ଆକ୍ଟ ଅଧୀନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

Leave a Reply

Your email address will not be published. Required fields are marked *