୨୦୨୫ ଜାନୁଆରୀରୁ ୨୦୨୬ ମେ’ ମଧ୍ୟରେ କରାଯାଇଥିବା ୧୧.୬ ଲକ୍ଷରୁ ଅଧିକ ଭିଟାମିନ୍-D ପରୀକ୍ଷାର ତଥ୍ୟ ବିଶ୍ଳେଷଣ କରାଯାଇଥିଲା । ଏଥିରୁ ଜଣାପଡ଼ିଛି ଯେ ପରୀକ୍ଷା କରାଇଥିବା ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଶରୀରରେ ଭିଟାମିନ୍-Dର ମାତ୍ରା କମ୍ ରହିଛି କିମ୍ବା ଆବଶ୍ୟକ ସ୍ତରଠାରୁ ତଳେ ରହିଛି ।
ବର୍ଷର ଅଧିକାଂଶ ସମୟ ଏଠାରେ ପ୍ରଚୁର ସୂର୍ଯ୍ୟକିରଣ ମିଳୁଥିଲେ ମଧ୍ୟ ଲୋକଙ୍କ ଶରୀରରେ ଦେଖାଦେଉଛି ଭିଟାମିନ୍-Dର ଅଭାବ । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମସ୍ୟା କେବଳ ବୟସ୍କଙ୍କ ମଧ୍ୟରେ ସୀମିତ ନାହିଁ । ଶିଶୁ ଓ କିଶୋରଙ୍କଠାରେ ମଧ୍ୟ ଭିଟାମିନ୍-Dର ମାତ୍ରା କମ୍ ରହୁଛି । ଏହା ହାଡ଼ର ମଜଭୁତି, କ୍ୟାଲସିୟମ୍ ଶୋଷଣ ଏବଂ ମାଂସପେଶୀର ସଠିକ୍ କାର୍ଯ୍ୟ ପାଇଁ ଅତ୍ୟନ୍ତ ଜରୁରୀ ।
ମେଟ୍ରୋପୋଲିସ୍ ହେଲ୍ଥକେୟାର ପକ୍ଷରୁ ୨୦୨୫ ଜାନୁଆରୀରୁ ୨୦୨୬ ମେ’ ମଧ୍ୟରେ କରାଯାଇଥିବା ୧୧.୬ ଲକ୍ଷରୁ ଅଧିକ ଭିଟାମିନ୍-D ପରୀକ୍ଷାର ତଥ୍ୟ ବିଶ୍ଳେଷଣ କରାଯାଇଥିଲା । ଏଥିରୁ ଜଣାପଡ଼ିଛି ଯେ ପରୀକ୍ଷା କରାଇଥିବା ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଶରୀରରେ ଭିଟାମିନ୍-Dର ମାତ୍ରା କମ୍ ରହିଛି କିମ୍ବା ଆବଶ୍ୟକ ସ୍ତରଠାରୁ ତଳେ ରହିଛି । ଏହି ତଥ୍ୟ ପରୀକ୍ଷା କରାଇଥିବା ଲୋକଙ୍କ ଉପରେ ଆଧାରିତ, ସମଗ୍ର ଭାରତୀୟ ଜନସଂଖ୍ୟାର ପ୍ରତିନିଧିତ୍ୱ କରେ ନାହିଁ ।
କାହିଁକି ହେଉଛି ଭିଟାମିନ୍-D ଅଭାବ?
ବିଶେଷଜ୍ଞଙ୍କ ମତରେ, ଦୀର୍ଘ ସମୟ ଘର ଭିତରେ ରହିବା, ଅଫିସ୍ରେ କାମ କରିବା, ମୋବାଇଲ୍ ଓ କମ୍ପ୍ୟୁଟରରେ ଅଧିକ ସମୟ ବିତାଇବା ଏହାର ପ୍ରମୁଖ କାରଣ । ଏହା ସହ ଖାଦ୍ୟରେ ଆବଶ୍ୟକ ପୋଷକତତ୍ତ୍ୱର ଅଭାବ, ବାୟୁ ପ୍ରଦୂଷଣ ଏବଂ ଶରୀରକୁ ଅଧିକ ଘୋଡ଼ାଇ ରଖୁଥିବା ପୋଷାକ ମଧ୍ୟ ଭିଟାମିନ୍-D ଉତ୍ପାଦନକୁ ପ୍ରଭାବିତ କରିପାରେ ।
ହାଡ଼ ପାଇଁ କାହିଁକି ଜରୁରୀ?
ଭିଟାମିନ୍-D ଅଭାବରେ ହାଡ଼ ଦୁର୍ବଳ ହେବା ସହ ମାଂସପେଶୀରେ ଦୁର୍ବଳତା ଓ ହାଡ଼ରେ ଯନ୍ତ୍ରଣା ହୋଇପାରେ। ଶିଶୁଙ୍କ କ୍ଷେତ୍ରରେ ଗୁରୁତର ଅଭାବ ହେଲେ ରିକେଟ୍ସ ଭଳି ସମସ୍ୟା ଦେଖାଦେଇପାରେ। କିଶୋରାବସ୍ଥାରେ ହାଡ଼ର ବିକାଶ ଦ୍ରୁତ ହେଉଥିବାରୁ ଏହି ସମୟରେ ଭିଟାମିନ୍-Dର ଆବଶ୍ୟକତା ଅଧିକ ଗୁରୁତ୍ୱପୂର୍ଣ୍ଣ ।
କେମିତି ଦୂର ହେବ ଅଭାବ?
ଫର୍ଟିଫାଏଡ୍ କ୍ଷୀର, ଅଣ୍ଡା, ତେଲିଆ ମାଛ ଏବଂ ଭିଟାମିନ୍-D ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉପକାରୀ। ତେବେ କେବଳ ସକାଳର ଧୂପ ଉପରେ ନିର୍ଭର କରିବା ଯଥେଷ୍ଟ ନ ହୋଇପାରେ। ଧୂପର ତୀବ୍ରତା, ସମୟ ଓ ଚର୍ମର ପ୍ରକାର ଅନୁସାରେ ଭିଟାମିନ୍-D ଉତ୍ପାଦନ ବଦଳିଥାଏ। ତେଣୁ ଅତ୍ୟଧିକ ଧୂପରୁ ନିଜକୁ ସୁରକ୍ଷିତ ରଖିବା ମଧ୍ୟ ଜରୁରୀ ।
ଡାକ୍ତରଙ୍କ ପରାମର୍ଶ ବିନା ଭିଟାମିନ୍-D ସପ୍ଲିମେଣ୍ଟ ଖାଇବା ଉଚିତ୍ ନୁହେଁ। ଦୀର୍ଘଦିନ ଧରି ହାଡ଼ ଯନ୍ତ୍ରଣା କିମ୍ବା ମାଂସପେଶୀରେ ଦୁର୍ବଳତା ରହିଲେ ଡାକ୍ତରଙ୍କ ପରାମର୍ଶ ନେଇ ଆବଶ୍ୟକ ପରୀକ୍ଷା କରାଇବା ଉଚିତ୍। ସୁସ୍ଥ ହାଡ଼ ପାଇଁ ଉପଯୁକ୍ତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ସଚେତନ ଜୀବନଶୈଳୀ ଅତ୍ୟନ୍ତ ଜରୁରୀ ।

