ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଭେଟିପାରୁନାହାନ୍ତି ପୁଅ! ଭିସା ଖାରଜକୁ ନେଇ ବଢ଼ିଲା ବିବାଦ

ପାକିସ୍ତାନରେ ଗଣତନ୍ତ୍ରକୁ ନେଇ ପୁଣି ଉଠିଲା ବଡ଼ ପ୍ରଶ୍ନ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ ସୁଲେମାନ ଇସା ଖାନ ଅଭିଯୋଗ କରିଛନ୍ତି ପାକିସ୍ତାନ ଧୀରେ ଧୀରେ ଏକଛତ୍ରବାଦ ଆଡ଼କୁ ବଢ଼ୁଛି ।

ପାକିସ୍ତାନରେ ଗଣତନ୍ତ୍ରକୁ ନେଇ ପୁଣି ଉଠିଲା ବଡ଼ ପ୍ରଶ୍ନ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ ସୁଲେମାନ ଇସା ଖାନ ଅଭିଯୋଗ କରିଛନ୍ତି ପାକିସ୍ତାନ ଧୀରେ ଧୀରେ ଏକଛତ୍ରବାଦ ଆଡ଼କୁ ବଢ଼ୁଛି । ଜେଲରେ ତାଙ୍କ ବାପାଙ୍କ ସହ ଅମାନବୀୟ ବ୍ୟବହାର ହେଉଥିବା ଏବଂ ଏଥିରେ ସେନାର ବଡ଼ ଭୂମିକା ଥିବା ସେ ଦାବି କରିଛନ୍ତି ।

ଇମ୍ରାନଙ୍କ ପୁଅଙ୍କ ବଡ଼ ଅଭିଯୋଗ

ନ୍ୟୁଜ୍ ଏଜେନ୍ସି ANIକୁ ଭର୍ଚୁଆଲ୍ ପ୍ରେସ୍ କନଫରେନ୍ସରେ ସୁଲେମାନ ଏହି ଅଭିଯୋଗ କରିଛନ୍ତି । ତାଙ୍କ ସହ ତାଙ୍କ ଭାଇ କାସିମ ଖାନ, ଅନ୍ତର୍ଜାତୀୟ ଓକିଲ ଜେରଡ୍ ଜେନସର ଏବଂ ଅନ୍ତର୍ଜାତୀୟ ମାମଲା ଓ ମିଡିଆ ପରାମର୍ଶଦାତା ସୟଦ ବୁଖାରୀ ମଧ୍ୟ ଉପସ୍ଥିତ ଥିଲେ । ସୁଲେମାନଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ସମୟ ଧରି ଜେଲରେ ଥିବା ତାଙ୍କ ବାପାଙ୍କ ସହ ଅମାନବୀୟ ବ୍ୟବହାର କରାଯାଉଛି। ଏଥିରେ ପାକିସ୍ତାନୀ ସେନାର ବଡ଼ ଭୂମିକା ରହିଛି ବୋଲି ସେ କହିଛନ୍ତି ।

ବାପାଙ୍କୁ ଭେଟି ପାରୁନାହାନ୍ତି ପୁଅ

ଇମ୍ରାନ ଖାନଙ୍କ ପୁଅମାନେ କହିଛନ୍ତି, ସେମାନେ ଜେଲରେ ଥିବା ବାପାଙ୍କୁ ଭେଟିବା ପାଇଁ ବାରମ୍ବାର ଚେଷ୍ଟା କରୁଛନ୍ତି । କିନ୍ତୁ ଭିସା ଆବେଦନକୁ ବାରମ୍ବାର ବିଳମ୍ବ କିମ୍ବା ଖାରଜ କରାଯାଉଥିବାରୁ ସେମାନେ ପାକିସ୍ତାନ ଯାଇପାରୁନାହାନ୍ତି । କାସିମ ଖାନଙ୍କ ଦାବି ଅନୁସାରେ, ଇମ୍ରାନଙ୍କୁ ଦୀର୍ଘ ସମୟ ଧରି ଏକାନ୍ତ କାରାଗାରରେ ରଖାଯାଉଛି । ତାଙ୍କୁ ପ୍ରାୟ ୬ ଫୁଟ୍‌ ବାଇ ୮ ଫୁଟ୍‌ର ଏକ କୋଠରୀରେ ଦିନକୁ ୨୩ ଘଣ୍ଟା ରଖାଯାଉଥିବା ଅଭିଯୋଗ ହୋଇଛି । କାସିମଙ୍କ କହିବା ଅନୁସାରେ, ୭୩ ବର୍ଷୀୟ ଇମ୍ରାନଙ୍କ ଗୋଟିଏ ଆଖିର ପ୍ରାୟ ୮୫ ପ୍ରତିଶତ ଦୃଷ୍ଟିଶକ୍ତି ହ୍ରାସ ପାଇଛି। ତଥାପି ସେ ନିଜ ନୀତି ଓ ବିଚାରଧାରାରେ ଦୃଢ଼ ଅଛନ୍ତି ବୋଲି ପୁଅମାନେ କହିଛନ୍ତି ।

ସେନା ମୁଖ୍ୟଙ୍କ ଉପରେ ଓକିଲଙ୍କ ଅଭିଯୋଗ

ଇମ୍ରାନ ଖାନଙ୍କ ଅନ୍ତର୍ଜାତୀୟ ଓକିଲ ଜେରଡ୍ ଜେନସର ମଧ୍ୟ ପାକିସ୍ତାନର ଗଣତନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ପାକିସ୍ତାନର ସାମରିକ ନେତୃତ୍ୱକୁ ଦାୟୀ କରିବା ସହ ସେନା ମୁଖ୍ୟ ଅସୀମ ମୁନୀରଙ୍କ ଉପରେ ‘ଦମନମୂଳକ ଶାସନ’ ଚଳାଇବାର ଅଭିଯୋଗ ଆଣିଛନ୍ତି । ଜେନସରଙ୍କ ଦାବି ଅନୁସାରେ, ଇମ୍ରାନ ଖାନ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଏକ ଗଣତାନ୍ତ୍ରିକ ସରକାରର ଆଚରଣ ଭଳି ନୁହେଁ । ଇମ୍ରାନଙ୍କ ବିରୋଧରେ ଶହ ଶହ ମାମଲା ମିଥ୍ୟା ଅଭିଯୋଗ ଆଧାରରେ କରାଯାଇଥିବା ମଧ୍ୟ ସେ ଦାବି କରିଛନ୍ତି ।

ଇମ୍ରାନଙ୍କ ସ୍ୱାସ୍ଥ୍ୟକୁ ନେଇ ବିବାଦ

ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ଓ ଜେଲରେ ତାଙ୍କ ଚିକିତ୍ସାକୁ ନେଇ ମଧ୍ୟ ବିବାଦ ଜାରି ରହିଛି । ଅଗଷ୍ଟ ୧୮ ତାରିଖରେ ପାକିସ୍ତାନ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଇମ୍ରାନଙ୍କୁ ଚିକିତ୍ସା ପାଇଁ ୪୮ ଘଣ୍ଟା ମଧ୍ୟରେ ଅଦିଆଲା ଜେଲରୁ ଇସଲାମାବାଦର ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଗଷ୍ଟ ୨୦ରେ ତାଙ୍କୁ ଶିଫା ହସ୍ପିଟାଲ ବଦଳରେ PIMS ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମେଡିକାଲ୍ ଟେଷ୍ଟ କରାଯିବା ପରେ ତାଙ୍କୁ ଚିକିତ୍ସା ଦୃଷ୍ଟିରୁ ଫିଟ୍ ଘୋଷଣା କରି ପୁଣି ଅଦିଆଲା ଜେଲକୁ ପଠାଇ ଦିଆଯାଇଥିଲା । ଇମ୍ରାନଙ୍କ ଟିମ୍ ଅଭିଯୋଗ କରିଛି ଯେ, ଶିଫା ହସ୍ପିଟାଲ ଆଡ଼କୁ ଏକ ‘ଡମି କାଫିଲା’ ପଠାଯାଇଥିଲା, ଯାହାଦ୍ୱାରା ଇମ୍ରାନଙ୍କୁ ସେଠାକୁ ନିଆଯାଉଥିବା ଭଳି ଦେଖାଯାଏ। ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କୁ ମଧ୍ୟ ଯାଞ୍ଚ କରିବାର ସୁଯୋଗ ମିଳିନଥିବା ଟିମ୍ ଦାବି କରିଛି ।

ଭଉଣୀଙ୍କୁ ଭେଟିବାକୁ ମିଳିଲା ଅନୁମତି

ଏହି ବିବାଦ ମଧ୍ୟରେ ମଙ୍ଗଳବାର ଇମ୍ରାନ ଖାନଙ୍କ ଭଉଣୀ ନୂରିନ ନିୟାଜୀ ଅଦିଆଲା ଜେଲରେ ତାଙ୍କୁ ଭେଟିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ରମାଗତ ଦ୍ୱିତୀୟ ସପ୍ତାହରେ ଏହି ସାକ୍ଷାତ ହୋଇଛି । କୋର୍ଟ ପରିବାର ସଦସ୍ୟଙ୍କୁ ସପ୍ତାହରେ ଥରେ ଇମ୍ରାନଙ୍କୁ ଭେଟିବା ଏବଂ ତାଙ୍କ ପୁଅମାନଙ୍କ ସହ ସପ୍ତାହରେ ଦୁଇଥର ଫୋନରେ କଥା ହେବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମଙ୍ଗଳବାର ନୂରିନ ପ୍ରାୟ ୪୫ ମିନିଟ୍ ଧରି ଇମ୍ରାନଙ୍କ ସହ ଆଲୋଚନା କରିଥିବା ତାଙ୍କ ଦଳର ଓକିଲ କହିଛନ୍ତି ।

ଆଉ ବଢ଼ିବ କି ରାଜନୈତିକ ତାତି?

ଇମ୍ରାନ ଖାନଙ୍କ ଜେଲ ଜୀବନ, ସ୍ୱାସ୍ଥ୍ୟ ଏବଂ ତାଙ୍କ ପରିବାରକୁ ଭେଟିବା ଅନୁମତିକୁ ନେଇ ପାକିସ୍ତାନରେ ବିବାଦ ଜାରି ରହିଛି । ଗୋଟିଏ ପଟେ ଇମ୍ରାନଙ୍କ ପରିବାର ଓ ତାଙ୍କ ଆଇନଜୀବୀ ସେନା ଉପରେ ଗୁରୁତର ଅଭିଯୋଗ ଆଣୁଛନ୍ତି । ଅନ୍ୟପଟେ, ଇମ୍ରାନଙ୍କ ଚିକିତ୍ସା ଓ ଜେଲ ସୁରକ୍ଷାକୁ ନେଇ ପାକିସ୍ତାନୀ ପ୍ରଶାସନର ଭୂମିକା ମଧ୍ୟ ଚର୍ଚ୍ଚାରେ ରହିଛି ।

Leave a Reply

Your email address will not be published. Required fields are marked *