ପୁଣି ହୃଦୟ ଜିତିଲେ ଜାପାନ ପ୍ରଶଂସକ! ମ୍ୟାଚ୍ ସରିବା ପରେ ସଫା କଲେ ଷ୍ଟାଡିୟମ୍

୧୯୮୮ ଫ୍ରାନ୍ସ ବିଶ୍ୱକପ୍‌ରୁ ଜାପାନର ‘ସାମୁରାଇ ବ୍ଲୁ’ ପ୍ରଶଂସକମାନେ ମ୍ୟାଚ୍ ପରେ ଷ୍ଟାଡିୟମ୍ ସଫା କରିବାର ଏହି ମହାନ ପରମ୍ପରା ଆରମ୍ଭ କରିଥିଲେ ।

ଚଳିତ ଫିଫା ବିଶ୍ବକପ୍‌ରେ ଜାପାନର ଫୁଟ୍‌ବଲ୍ ପ୍ରଶଂସକମାନେ ପୁଣି ଏକ ମହାନ କାର୍ଯ୍ୟ କରି ସାରା ବିଶ୍ୱର ହୃଦୟ ଜିତିଛନ୍ତି । ରବିବାର ରାତିରେ ଅନୁଷ୍ଠିତ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଜାପାନ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ମ୍ୟାଚ୍‌ଟି ୨-୨ ଗୋଲ୍‌ରେ ଡ୍ର’ ରହିଥିଲା । ଏହି ଚିତ୍ତାକର୍ଷକ ମ୍ୟାଚ୍ ସରିବା ପରେ ଷ୍ଟାଡିୟମ୍‌ରୁ ସମସ୍ତ ଦର୍ଶକ ଚାଲିଯାଇଥିଲେ । ହେଲେ ଜାପାନର ପ୍ରଶଂସକମାନେ ଷ୍ଟାଡିୟମ୍ ଛାଡ଼ି ନଥିଲେ । ସେମାନେ ଘରକୁ ଫେରିବା ପୂର୍ବରୁ ଗ୍ୟାଲେରି ସଫା କରିବା ଆରମ୍ଭ କରିଦେଇଥିଲେ ।

ଜାପାନୀ ପ୍ରଶଂସକମାନେ ନିଜ ଦଳକୁ ଉତ୍ସାହିତ କରିବା ପାଇଁ ନୀଳ ରଙ୍ଗର ବଡ଼ ବଡ଼ ଜରି ବା ପ୍ଲାଷ୍ଟିକ୍ ବ୍ୟାଗ୍ ଆଣିଥିଲେ । ମ୍ୟାଚ୍ ଶେଷ ହେବା ପରେ ସେମାନେ ସେହି ଜରି ସାହାଯ୍ୟରେ ଷ୍ଟାଡିୟମ୍‌ରେ ପଡ଼ି ରହିଥିବା ସମସ୍ତ ଅଳିଆ ଆବର୍ଜନା ଗୋଟାଇ ସଫା କରିଥିଲେ । ଏହି ଅଭୂତପୂର୍ବ ଦୃଶ୍ୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ଦେଖି ସାରା ବିଶ୍ୱର ଫୁଟ୍‌ବଲ୍ ପ୍ରେମୀମାନେ ଜାପାନ ପ୍ରଶଂସକଙ୍କୁ ପ୍ରଶଂସା କରିବା ସହ ସାବାସି ଜଣାଇଛନ୍ତି । ବିଶ୍ୱ ଫୁଟ୍‌ବଲ୍‌ର ସର୍ବୋଚ୍ଚ ସଂସ୍ଥା ଫିଫା ମଧ୍ୟ ଜାପାନୀ ଦର୍ଶକଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସାରେ ପୋତି ଦେଇଛି ।


ଷ୍ଟାଡିୟମ୍ ସଫା କରିବାର ଏହି ଅଭ୍ୟାସ ଜାପାନ ପ୍ରଶଂସକଙ୍କ ପାଇଁ ଜମାରୁ ନୂଆ ନୁହେଁ । ପୂର୍ବରୁ ଅଲିମ୍ପିକ୍ସ, ବିଶ୍ୱକପ୍ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ସେମାନେ ଏଭଳି ସୁନ୍ଦର କାର୍ଯ୍ୟ କରି ସାରିଛନ୍ତି । ଏବେ ଏହା ସେମାନଙ୍କର ଏକ ସଂସ୍କୃତି ଓ ପରମ୍ପରାରେ ପରିଣତ ହୋଇଯାଇଛି । କ୍ରିକେଟ ହେଉ କି ଫୁଟ୍‌ବଲ୍‌, ଜାପାନର ଦର୍ଶକମାନେ ସବୁବେଳେ ଶୃଙ୍ଖଳାର ଏକ ବଡ଼ ଉଦାହରଣ ସୃଷ୍ଟି କରିଥାନ୍ତି ।


ଇତିହାସ ଅନୁସାରେ, ଏହି ‘ସାମୁରାଇ ବ୍ଲୁ’ ପ୍ରଶଂସକମାନେ ପ୍ରଥମେ ୧୯୮୮ ମସିହାରେ ଫ୍ରାନ୍ସରେ ଆୟୋଜିତ ହୋଇଥିବା ବିଶ୍ୱକପ୍‌ ମ୍ୟାଚ୍‌ ସମୟରେ ଏଭଳି ମହାନ କାର୍ଯ୍ୟର ଆରମ୍ଭ କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସେମାନେ ଏହି ସଂସ୍କାରକୁ ଭୁଲିନାହାନ୍ତି । ବିଶ୍ୱର ଯେଉଁ କୋଣରେ ବି ମ୍ୟାଚ୍ ହେଉ ନା କାହିଁକି, ଜାପାନୀ ପ୍ରଶଂସକମାନେ ଖେଳ ସରିବା ପରେ ନିଜ ଦାୟିତ୍ୱ ଭଲ ଭାବେ ନିର୍ବାହ କରିଥାନ୍ତି । ସେମାନଙ୍କର ଏହି କାର୍ଯ୍ୟ ଆଜି ସାରା ବିଶ୍ୱ ପାଇଁ ପ୍ରେରଣା ସାଜିଛି । 

Leave a Reply

Your email address will not be published. Required fields are marked *