ପୁଣି ରକ୍ତାକ୍ତ ହେଲା ରାଜଧାନୀ : ଭୁବନେଶ୍ବର କାରଗିଲ୍ ବସ୍ତିରେ ହଣାକଟା

ରାଜଧାନୀରେ ରାତି ହେଲେ ଛାତି ଥରାଉଛି। ତୁଣ୍ଡ ଖୋଲିଲେ ବୁଲୁଛି ଖଣ୍ଡା । ପୁଣି ଥରେ ରକ୍ତାକ୍ତ ହୋଇଛି ରାଜଧାନୀର  କାରଗିଲ୍ ବସ୍ତି।

ରାଜଧାନୀରେ ରାତି ହେଲେ ଛାତି ଥରାଉଛି। ତୁଣ୍ଡ ଖୋଲିଲେ ବୁଲୁଛି ଖଣ୍ଡା । ପୁଣି ଥରେ ରକ୍ତାକ୍ତ ହୋଇଛି ରାଜଧାନୀର  କାରଗିଲ୍ ବସ୍ତି।   ଏହି ସାଂଘାତିକ ଖଣ୍ଡାକାଣ୍ଡରେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ଜଗନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

ସେପଟେ ଅନ୍ୟ ଜଣେ ଆହତ ଶିବରାମଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କୌଣସି ଏକ ଅଜ୍ଞାତ କାରଣକୁ ନେଇ ଜଗନ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରଥମେ ବୋହୁତ ଜୋରରେ ପାଟିତୁଣ୍ଡ ଓ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ମାରପିଟ୍‌ର ରୂପ ନେଇଥିଲା ଏବଂ ଅପରାଧୀ ଜଣକ ଖଣ୍ଡା ବାହାର କରି ଜଗନଙ୍କୁ ଆକ୍ରମଣ କରିଥିଲା।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଶିବରାମ ସେମାନଙ୍କୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଉତ୍ତ୍ୟକ୍ତ ଅପରାଧୀଙ୍କ ଖଣ୍ଡା ଚୋଟ ଶିବରାମଙ୍କ ଦେହରେ ମଧ୍ୟ ବାଜିଥିଲା, ଯାହାଫଳରେ ସେ ମଧ୍ୟ ରକ୍ତାକ୍ତ ହୋଇଥିଲେ।ତେବେ ଏହି ରକ୍ତାକ୍ତ ସଂଘର୍ଷ ପଛର ପ୍ରକୃତ କାରଣ କଣ, ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ତେବେ ରାଜଧାନୀରେ ଘଟୁଥିବା ଏଭଳି ଘଟଣା ସିଧାସଳଖ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Leave a Reply

Your email address will not be published. Required fields are marked *