ସାଇବାରିଙ୍କ ସ୍ମରଣୀୟ ଗୋଲ୍‌ରେ ମନ୍ତ୍ରମୁଗ୍ଧ କଲା ମରକ୍କୋ

ମ୍ୟାଚ୍‌ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିବା ମରକ୍କୋ ପାଇଁ ସାଇବାରି ମାତ୍ର ୭୧ ସେକେଣ୍ଡ୍‌ ଭିତରେ ଗୋଲ୍‌ କରି ସ୍କଟଲାଣ୍ଡ୍‌କୁ ସ୍ତବ୍ଧ କରି ଦେଇଥିଲେ। ଏହି ମାଇଲ୍‌ଖୁଣ୍ଟ୍‌ ଗୋଲ୍‌ ‌ବି ଶେଷରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା।

ଇସ୍ମାଇଲ୍ ସାଇବାରିଙ୍କ ଚଳିତ ଫିଫା ବିଶ୍ବକପ୍‌ର ଦ୍ରୁତତମ ଗୋଲ୍ ବଳରେ ମରକ୍କୋ ଗ୍ରୁପ୍-ସି’ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସ୍କଟଲ୍ୟାଣ୍ଡ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ନିଜ ନକ୍‌ଆଉଟ୍‌ ପ୍ରବେଶ ଆଶା ଅତୁଟ ରଖିଛି। ସେହିଭଳି ୨୦୨୨ ମସିହାରେ ସବୁ ଆକଳନ ଓ ଭବିଷ୍ୟବାଣୀକୁ ଭୁଲ୍‌ ପ୍ରମାଣିତ କରି ସେମିଫାଇନାଲ୍‌ ଖେଳିଥିବା ମରକ୍କୋ ଏଥର ମଧ୍ୟ ସେହି ଆଶାକୁ ନେଇ ଆଗକୁ ବଢ଼ିଛି।

ମ୍ୟାଚ୍‌ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିବା ମରକ୍କୋ ପାଇଁ ସାଇବାରି ମାତ୍ର ୭୧ ସେକେଣ୍ଡ୍‌ ଭିତରେ ଗୋଲ୍‌ କରି ସ୍କଟଲାଣ୍ଡ୍‌କୁ ସ୍ତବ୍ଧ କରି ଦେଇଥିଲେ। ଏହି ମାଇଲ୍‌ଖୁଣ୍ଟ୍‌ ଗୋଲ୍‌ ‌ବି ଶେଷରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ସ୍କଟଲାଣ୍ଡ୍‌ ଏହାକୁ ଶୁଝି ନପାରିବା ପରେ ମରକ୍କୋ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଥିଲା। ଗ୍ରୁପ୍‌-ସି’ରେ ଏବେ ମର‌କ୍କୋ ପ୍ରମୁଖ ଟ୍ରଫି ଦାବିଦାର ବ୍ରାଜିଲ ସହ ସମାନ ୪ ପଏଣ୍ଟ୍‌ ପାଇଛି। ତେବେ ଗୋଲ୍‌ ବ୍ୟବଧାନରେ ସାମାନ୍ୟ ପଛରେ ରହି ଦ୍ବିତୀୟ ସ୍ଥାନ ଅଧିକାର କରିଛି। ଏଣୁ ହାଇତି ବିପକ୍ଷରେ ଖେଳିବାକୁ ଥିବା ତୃତୀୟ ତଥା ଶେଷ ମ୍ୟାଚ୍ ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ହୋଇଛି। ସେପଟେ ବ୍ରାଜିଲ ତା’ର ଶେଷ ମୁକାବିଲାରେ ସ୍କଟ୍‌ଲାଣ୍ଡକୁ ଭେଟିବାକୁ ଯାଉଛି। ନକ୍‌ଆଉଟ୍ ପ୍ରବେଶ ଦୃଷ୍ଟିରୁ ଉଭୟ ମ୍ୟାଚ୍‌ର ଗୁରୁତ୍ବ ଏବେ ପୂର୍ବାପେକ୍ଷା ଢେର ବଢ଼ିଛି।

ଶୁକ୍ରବାର ବିଳମ୍ବି୍ତ ରାତିରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ସାଇବାରି ନାଟକୀୟ ଢଙ୍ଗରେ ପ୍ରଥମ ଗୋଲ୍‌ ଦେବା ପରେ ମରକ୍କୋ ଆଉ ମ୍ୟାଚ୍‌ ଉପରୁ ନିୟନ୍ତ୍ରଣ ଛାଡ଼ିବାକୁ ଦେଇ ନଥିଲା। ଫଳରେ ୬୦୧ଟି ସଫଳ ପାସ୍ ପୂର୍ଣ୍ଣ କରି ୧୯୬୬ ପରଠାରୁ ବିଶ୍ୱକପ୍‌ରେ କୌଣସି ଆଫ୍ରିକୀୟ ଦଳ ଦ୍ୱାରା ସର୍ବାଧିକ ପାସ୍ କରିବାର କୀର୍ତ୍ତିମାନ ସ୍ଥାପନ କରିଥିଲା। ଅନ୍ୟପକ୍ଷରେ ନିଜ ପ୍ରଥମ ମ୍ୟାଚ୍‌ରେ ହାଇତିକୁ ହରାଇ ୩୬ ବର୍ଷ ପରେ ବିଶ୍ୱକପ୍ ବିଜୟର ସ୍ୱାଦ ପାଇଥିବା ସ୍କଟଲ୍ୟାଣ୍ଡ୍‌ ବହୁଚେଷ୍ଟା କରିଥିଲେ ମଧ୍ୟ ପ୍ରଥମାର୍ଦ୍ଧରେ ପ୍ରଭାବୀ ଖେଳ ଖେଳି ପାରି ନଥିଲା। ଦ୍ବିତୀୟାର୍ଦ୍ଧରେ ମଧ୍ୟ ସ୍ଥିତି ସମାନ ରହିଥିଲା। ସାଇବାରିଙ୍କ ଏକ ସଟ୍ ଗୋଲ୍‌ପୋଷ୍ଟରେ ବାଜିଥିବା ବେଳେ ବିଲାଲ୍ ଏଲ୍ ଖାନୌସୁଙ୍କ ହେଡର୍‌କୁ ସ୍କଟଲ୍ୟାଣ୍ଡ୍‌ ଗୋଲକିପର୍ ଆଙ୍ଗସ୍ ଗନ୍ ଚମତ୍କାର ଢଙ୍ଗରେ ସେଭ୍ କରିଥିଲେ। ଶେଷ ମୁହୂର୍ତ୍ତରେ ସ୍କଟଲ୍ୟାଣ୍ଡ୍‌ କିଛିଟା ଚାପ ସୃଷ୍ଟି କରିଥିଲେ ମଧ୍ୟ ଗୋଲ୍‌ ଦେବାକୁ ସକ୍ଷମ ହୋଇ ନଥିଲା।

Leave a Reply

Your email address will not be published. Required fields are marked *