ନୂଆ ଗ୍ରାମୀଣ ରୋଜଗାର ଯୋଜନାରେ ବଡ଼ ଝଟକା! ପ୍ରଥମ ମାସରେ ଅଧା ହେଲା ରୋଜଗାର

୨୦୨୬ ଜୁଲାଇରେ ନୂଆ ଯୋଜନା ଅଧୀନରେ ମୋଟ ୭ କୋଟି ୬୭ ଲକ୍ଷ ପର୍ସନ୍-ଡେ ରୋଜଗାର ସୃଷ୍ଟି ହୋଇଛି । ଯେତେବେଳେ ଗତବର୍ଷ ସମାନ ମାସରେ ଏହି ସଂଖ୍ୟା ଥିଲା ୧୫ କୋଟି ୩୩ ଲକ୍ଷ । ଅର୍ଥାତ୍ ବର୍ଷକ ମଧ୍ୟରେ ରୋଜଗାର ସୃଷ୍ଟି ପ୍ରାୟ ୪୯.୯୪ ପ୍ରତିଶତ କମିଛି ।

ନୂଆ ଯୋଜନା, ନୂଆ ଆଶା । ଗ୍ରାମାଞ୍ଚଳର ଲୋକଙ୍କୁ ଅଧିକ ଦିନର ରୋଜଗାର ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆଣିଛନ୍ତି ଭିବି-ଜି ରାମ୍ ଜି ବା ଭିକ୍ସିତ ଭାରତ-ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ୍ । ଜୁଲାଇ ପହିଲାରୁ ଏହି ନୂଆ ଯୋଜନା ଲାଗୁ ହୋଇଛି । ହେଲେ ଯୋଜନାର ପ୍ରଥମ ପୂର୍ଣ୍ଣ ମାସର ତଥ୍ୟ ଏବେ ଚିନ୍ତା ବଢ଼ାଇଛି । କାରଣ ରୋଜଗାର ସୃଷ୍ଟିରେ ଆସିଛି ପ୍ରାୟ ୫୦ ପ୍ରତିଶତ ହ୍ରାସ ।

ସରକାରୀ ତଥ୍ୟ ଅନୁସାରେ, ୨୦୨୬ ଜୁଲାଇରେ ନୂଆ ଯୋଜନା ଅଧୀନରେ ମୋଟ ୭ କୋଟି ୬୭ ଲକ୍ଷ ପର୍ସନ୍-ଡେ ରୋଜଗାର ସୃଷ୍ଟି ହୋଇଛି । ଯେତେବେଳେ ଗତବର୍ଷ ସମାନ ମାସରେ ଏହି ସଂଖ୍ୟା ଥିଲା ୧୫ କୋଟି ୩୩ ଲକ୍ଷ । ଅର୍ଥାତ୍ ବର୍ଷକ ମଧ୍ୟରେ ରୋଜଗାର ସୃଷ୍ଟି ପ୍ରାୟ ୪୯.୯୪ ପ୍ରତିଶତ କମିଛି ।

ପର୍ସନ୍-ଡେ ଅର୍ଥ ହେଉଛି ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଦିନ ପାଇଁ ମିଳିଥିବା ରୋଜଗାର । ଗ୍ରାମାଞ୍ଚଳରେ ଯୋଜନା ଅଧୀନରେ କେତେ ରୋଜଗାର ସୃଷ୍ଟି ହେଉଛି, ତାହା ମାପିବାର ଏହା ଏକ ପ୍ରମୁଖ ମାପଦଣ୍ଡ । ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଆସୁଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ବା ମନରେଗାକୁ ବଦଳାଇ ଜୁଲାଇ ପହିଲାରୁ ଭିବି-ଜି ରାମ୍ ଜି ଲାଗୁ କରାଯାଇଛି । ନୂଆ ଯୋଜନାରେ ବାର୍ଷିକ ରୋଜଗାର ଗ୍ୟାରେଣ୍ଟି ୧୦୦ ଦିନରୁ ବଢ଼ାଇ ୧୨୫ ଦିନ କରାଯାଇଛି। ଏହା ସହ ମଜୁରି ବୃଦ୍ଧି ଏବଂ ସ୍ଥାୟୀ ଗ୍ରାମୀଣ ସମ୍ପତ୍ତି ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ସରକାର ପୂର୍ବରୁ କହିଥିଲେ ଯେ ନୂଆ ଯୋଜନାକୁ ନେଇ ରୋଜଗାର ଯୋଗାଣରେ କୌଣସି ପ୍ରଭାବ ପଡ଼ିନାହିଁ । ସଂସଦରେ ଦିଆଯାଇଥିବା ଏକ ଲିଖିତ ଉତ୍ତରରେ ସରକାର କହିଥିଲେ, ରୋଜଗାର ମାଗିଥିବା ୯୯.୫ ପ୍ରତିଶତରୁ ଅଧିକ ଶ୍ରମିକଙ୍କୁ କାମ ଯୋଗାଇ ଦିଆଯାଇଛି । ଜୁଲାଇ ୨୨ ସୁଦ୍ଧା ୫ କୋଟି ୨୦ ଲକ୍ଷରୁ ଅଧିକ ପର୍ସନ୍-ଡେ ରୋଜଗାର ସୃଷ୍ଟି ହୋଇଥିବା ମଧ୍ୟ ସରକାର କହିଥିଲେ ।

ତେବେ ଜୁଲାଇ ଶେଷ ସୁଦ୍ଧା ରୋଜଗାର ସୃଷ୍ଟିର ଗତି ଆହୁରି ଧିମା ହୋଇଥିବା ତଥ୍ୟରୁ ଜଣାପଡ଼ିଛି । ଏହି ହ୍ରାସ ପଛରେ ମନରେଗାରୁ ନୂଆ ଯୋଜନାକୁ ପରିବର୍ତ୍ତନ ପ୍ରକ୍ରିୟା ଦାୟୀ କି, ନା ଗ୍ରାମୀଣ ରୋଜଗାରରେ ବଡ଼ ଧରଣର ମାନ୍ଦାବସ୍ଥା ଦେଖାଦେଇଛି, ତାହା ଆଗାମୀ ମାସର ତଥ୍ୟରୁ ସ୍ପଷ୍ଟ ହେବ । ସେପଟେ ୨୦୨୫-୨୬ ପାଇଁ ଭିବି-ଜି ରାମ୍ ଜି ନିମନ୍ତେ ୧ ଲକ୍ଷ ୫୨ ହଜାର କୋଟି ଟଙ୍କାର ବାର୍ଷିକ ବ୍ୟୟ ବରାଦ କରାଯାଇଛି । ମନରେଗା ପାଇଁ ଏହା ୮୬ ହଜାର କୋଟି ଟଙ୍କା ଥିଲା । ଅଧିକ ବଜେଟ୍, ଅଧିକ ଦିନର ରୋଜଗାର ଓ ଅଧିକ ମଜୁରିର ପ୍ରତିଶ୍ରୁତି ମଧ୍ୟରେ ପ୍ରଥମ ମାସର ଏହି ତଥ୍ୟ ଏବେ ଯୋଜନାର କାର୍ଯ୍ୟକାରିତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛି ।

Leave a Reply

Your email address will not be published. Required fields are marked *