ତୁର୍କିଏକୁ ବିଦାକଲା ୧୦ଜଣିଆ ପାରାଗୁଏ

ଗ୍ରୁପ୍‌-ଡି’ରୁ ଲଗାତାର ଦୁଇଟି ବିଜୟ ସହ ସହଆୟୋଜକ ଆମେରିକା ନକ୍‌ଆଉଟ୍‌ ପର୍ଯ୍ୟାୟରେ ପ୍ରବେଶ କରି ସାରିଥିଲା ବେଳେ ଦ୍ବିତୀୟ ସ୍ଥାନ ପାଇ ଗୋଟିଏ ଲେଖାଏଁ ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆ ଓ ପାରାଗୁଏ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି।

ବିବାଦୀୟ ପରିସ୍ଥିତିରେ ମୁହଁକୁ ଢାଙ୍କି ଅଭିଜ୍ଞ ତାରକା ମିଗ୍ବେଲ ଆଲମିରନ ଲାଲ୍ କାର୍ଡ ପାଇ ସମଗ୍ର ଦ୍ବିତୀୟାର୍ଦ୍ଧରୁ ବଞ୍ଚିତ ହେବା ସତ୍ତ୍ବେ ପାରାଗୁଏ ୧-୦ ଗୋଲ୍‌ରେ ତୁର୍କିଏକୁ ପରାସ୍ତ କରିଛି। ତା’ ସହିତ ନିଜ ଅଭିଯାନ ଉଜ୍ଜୀବିତ ରଖିଥିଲା ବେଳେ ତୁର୍କିଏକୁ ବିଦାୟର ପଥ ଦେଖାଇ ଦେଇଛି। ଅନ୍ୟଏକ ଉଲ୍ଲେଖନୀୟ ଘଟଣାକ୍ରମେ ମାତ୍ର ୬୪ ସେକେଣ୍ଡ ଭିତରେ ଗୋଲ୍‌ ଦେଇ ପାରାଗୁଏର ମାତିଆସ ଗାଲାର୍ଜା ଫଣ୍ଡା ଚଳିତ ବିଶ୍ବକପ୍‌ର ଦ୍ରୁତତମ ଗୋଲ୍‌ (ଶନିବାର ସକାଳ ପର୍ଯ୍ୟନ୍ତ) ଦେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କର ଏହି ରେକର୍ଡଭରା ଗୋଲ୍‌ ଶେଷରେ ଉଭୟ ଦଳ ମଧ୍ୟରେ ଫରକ ହୋଇଛି। ଏହି ଗୋଲ୍‌ ପାଇଁ ହିଁ ତୁର୍କିଏର ଅଭିଯାନ ଶେଷ ହୋଇଛି।

ଗ୍ରୁପ୍‌-ଡି’ରୁ ଲଗାତାର ଦୁଇଟି ବିଜୟ ସହ ସହଆୟୋଜକ ଆମେରିକା ନକ୍‌ଆଉଟ୍‌ ପର୍ଯ୍ୟାୟରେ ପ୍ରବେଶ କରି ସାରିଥିଲା ବେଳେ ଦ୍ବିତୀୟ ସ୍ଥାନ ପାଇ ଗୋଟିଏ ଲେଖାଏଁ ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆ ଓ ପାରାଗୁଏ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି। ଉଭୟ ଦଳ ଏହି ଗ୍ରୁପ୍‌ର ‌‌ଶେଷ ଲିଗ୍‌ ମ୍ୟାଚ୍‌ରେ ୨୫ ତାରିଖରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।

ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିବା ଉଭୟ ପାରାଗୁଏ ଓ ତୁର୍କିଏ ପାଇଁ ଶନିବାର ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଥିଲା। ଖେଳ ଆରମ୍ଭ ହେବାର ମାତ୍ର ୬୪ ସେକେଣ୍ଡ ପରେ ଆଣ୍ଡ୍ରେସ୍ କ୍ୟୁବାସ୍ ବଲ୍ ଦଖଲ କରି ଜୁଲିଓ ଏନ୍ସିସୋଙ୍କୁ ପାସ୍ ଦେଇଥିଲେ। ଏନ୍ସିସୋଙ୍କ ସଠିକ୍ ପାସ୍‌ରୁ ମାତିଆସ୍ ଗାଲାର୍ଜା ତାଙ୍କ ଶକ୍ତିଶାଳୀ ବାମ ପାଦ ସଟ୍‌ରେ ଗୋଲ୍ ସ୍କୋର କରି ପାରାଗୁଏକୁ ଅଗ୍ରଣୀ କରାଇଥିଲେ।

ଦ୍ବିତୀୟାର୍ଦ୍ଧରେ ଜଣେ ଖେଳାଳି କମ୍ ଥିଲେ ମଧ୍ୟ ପାରାଗୁଏର ରକ୍ଷଣଭାଗ ଅତ୍ୟନ୍ତ ଶୃଙ୍ଖଳିତ ଖେଳ ଖେଳିଥିଲା। ଅନ୍ୟପକ୍ଷରେ ତୁର୍କିଏ ଲଗାତାର ଆକ୍ରମଣ କରିଥିଲେ ମଧ୍ୟ ତାକୁ ଗୋଲ୍ ମିଳିନଥିଲା। ହାକାନ୍ ଚାଲହାନୋଗ୍ଲୁଙ୍କ ଏକ ଭଲ ସଟ୍ ଗୋଲ୍‌ପୋଷ୍ଟ ବାହାରକୁ ଯାଇଥିବା ବେଳେ ଡେନିଜ୍ ଗୁଲ୍‌ଙ୍କ ହେଡର୍ ଓ କେନାନ୍ ୟିଲ୍ଦିଜ୍‌ଙ୍କ ପ୍ରୟାସ ମଧ୍ୟ ବିଫଳ ହୋଇଥିଲା। ଶେଷ ପର୍ଯ୍ୟନ୍ତ ଗାଲାର୍ଜାଙ୍କ ପ୍ରାରମ୍ଭିକ ଗୋଲ୍‌ଟି ହିଁ ମ୍ୟାଚ୍‌ର ନିର୍ଣ୍ଣାୟକ ମୁହୂର୍ତ୍ତ ସାବ୍ୟସ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *