ଜେଲରୁ ହସ୍ପିଟାଲ ଯିବେ ଇମ୍ରାନ ! କିଏ ବହନ କରିବ ଚିକିତ୍ସା ଓ ସୁରକ୍ଷା ଖର୍ଚ୍ଚ?

ଆବଶ୍ୟକ ଔଷଧ ଓ ପ୍ରାଥମିକ ଚିକିତ୍ସା ଉପକରଣର ଖର୍ଚ୍ଚ ସରକାରୀ ବଜେଟରୁ ଯୋଗାଇ ଦିଆଯାଏ । ଯଦି କୌଣସି କଏଦୀଙ୍କ ଅସୁସ୍ଥତା ଗୁରୁତର ହୁଏ କିମ୍ବା ଜେଲ ହସ୍ପିଟାଲରେ ଚିକିତ୍ସା ସମ୍ଭବ ନୁହେଁ, ତେବେ ତାଙ୍କୁ ନିକଟସ୍ଥ ବଡ଼ ସରକାରୀ କିମ୍ବା ଟିଚିଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇପାରେ ।

ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଏ-ଇନସାଫ୍‌ (PTI) ମୁଖ୍ୟ ଇମ୍ରାନ୍‌ ଖାନ୍‌ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ହେତୁ ତାଙ୍କୁ ଜେଲରୁ ହସ୍ପିଟାଲକୁ ସ୍ଥାନାନ୍ତର ନେଇ ଅଦାଲତଙ୍କ ନିର୍ଦ୍ଦେଶ ଦେଇଥିଲେ, ଯାହାପରେ ପାକିସ୍ତାନ ଜେଲରେ ବନ୍ଦୀଙ୍କ ଚିକିତ୍ସା ବ୍ୟବସ୍ଥା ଓ ଏହାର ଖର୍ଚ୍ଚକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଇମ୍ରାନ ଖାନଙ୍କ ପରିବାର ଓ ଓକିଲମାନେ ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି କମିବା ସହ ସ୍ୱାସ୍ଥ୍ୟ ଖରାପ ହେଉଥିବା ନେଇ ବାରମ୍ବାର ଚିନ୍ତା ପ୍ରକାଶ କରିଥିଲେ । ଏହାପରେ ତାଙ୍କୁ ଜେଲରୁ ହସ୍ପିଟାଲକୁ ନେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ପ୍ରଶ୍ନ ଉଠୁଛି, ପାକିସ୍ତାନରେ ଜେଲରେ ଥିବା କଏଦୀଙ୍କ ଚିକିତ୍ସା ଖର୍ଚ୍ଚ କିଏ ବହନ କରେ? ପାକିସ୍ତାନର ସମ୍ବିଧାନ ଏବଂ ପ୍ରିଜନ୍ ରୁଲ୍ସ ଅନୁସାରେ, ଜେଲରେ ବନ୍ଦୀ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଆବଶ୍ୟକ ଚିକିତ୍ସା ଯୋଗାଇବାର ପ୍ରାଥମିକ ଦାୟିତ୍ୱ ସରକାର ଓ ଜେଲ ପ୍ରଶାସନର । ବନ୍ଦୀ ଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ପାଇବା ତାଙ୍କ ଆଇନଗତ ଅଧିକାର ଭାବେ ବିବେଚିତ ହୁଏ ।

ପାକିସ୍ତାନର ଜେଲଗୁଡ଼ିକରେ ଡିସ୍ପେନସାରୀ କିମ୍ବା ଛୋଟ ହସ୍ପିଟାଲର ବ୍ୟବସ୍ଥା ରହିଥାଏ । ସେଠାରେ ସରକାରୀ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ ନିୟୋଜିତ ହୋଇଥାନ୍ତି । ସାଧାରଣ ରୋଗ, ରୁଟିନ୍ ଚେକ୍‌ଅପ୍‌ ଏବଂ ପ୍ରାଥମିକ ଚିକିତ୍ସା ଜେଲ ପରିସରରେ ହିଁ କରାଯାଏ । ଆବଶ୍ୟକ ଔଷଧ ଓ ପ୍ରାଥମିକ ଚିକିତ୍ସା ଉପକରଣର ଖର୍ଚ୍ଚ ସରକାରୀ ବଜେଟରୁ ଯୋଗାଇ ଦିଆଯାଏ । ଯଦି କୌଣସି କଏଦୀଙ୍କ ଅସୁସ୍ଥତା ଗୁରୁତର ହୁଏ କିମ୍ବା ଜେଲ ହସ୍ପିଟାଲରେ ଚିକିତ୍ସା ସମ୍ଭବ ନୁହେଁ, ତେବେ ତାଙ୍କୁ ନିକଟସ୍ଥ ବଡ଼ ସରକାରୀ କିମ୍ବା ଟିଚିଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇପାରେ । ଏଥିପାଇଁ ଜେଲ ଡାକ୍ତରମାନଙ୍କୁ ନେଇ ମେଡିକାଲ ବୋର୍ଡ ଗଠନ ହୁଏ ।

ମେଡିକାଲ ବୋର୍ଡ କଏଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ବାହାର ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ସୁପାରିସ କରିଥାଏ । ଏଭଳି ସ୍ଥିତିରେ ହସ୍ପିଟାଲକୁ ନେବା, ସୁରକ୍ଷା ଏବଂ ଚିକିତ୍ସା ସମ୍ପର୍କିତ ଖର୍ଚ୍ଚ ଜେଲ ପ୍ରଶାସନ ତଥା ସରକାର ବହନ କରିଥାଏ । ପାକିସ୍ତାନର ନିୟମ ଅନୁସାରେ, କଏଦୀଙ୍କ ପରିବାର ନିଜ ଇଚ୍ଛାରେ ଜେଲ ଭିତରେ ଘରୋଇ ଡାକ୍ତର ନିଯୁକ୍ତ କରି ଚିକିତ୍ସା କରାଇପାରିବେ ନାହିଁ । ତେବେ ବିଶେଷ ପରିସ୍ଥିତିରେ ପରିବାର କିମ୍ବା ଓକିଲ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଆବେଦନ କରି ଘରୋଇ ଡାକ୍ତରଙ୍କ ପରାମର୍ଶ କିମ୍ବା ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅନୁମତି ମାଗିପାରନ୍ତି ।

କୋର୍ଟ ଆବଶ୍ୟକ ମନେ କଲେ ନିରପେକ୍ଷ ଯାଞ୍ଚ ପାଇଁ ସ୍ୱାଧୀନ ସରକାରୀ ମେଡିକାଲ ବୋର୍ଡ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇପାରନ୍ତି । କେତେକ କ୍ଷେତ୍ରରେ ପରିବାର ପକ୍ଷରୁ ପ୍ରସ୍ତାବିତ ବିଶେଷଜ୍ଞ ଡାକ୍ତରଙ୍କୁ ମଧ୍ୟ ବୋର୍ଡରେ ସାମିଲ କରାଯାଇପାରେ । ତେବେ ପ୍ରଶାସନିକ ଓ ସୁରକ୍ଷା ଦାୟିତ୍ୱ ଜେଲ ପ୍ରଶାସନ ହାତରେ ରହିଥାଏ ।

କାହିଁକି ଜେଲରେ ଅଛନ୍ତି ଇମ୍ରାନ୍‌ 
୭୩ ବର୍ଷୀୟ ଇମ୍ରାନ ଖାନଙ୍କୁ ୨୦୨୩ ଅଗଷ୍ଟରେ ତୋଶାଖାନା ମାମଲାରେ ୩ ବର୍ଷର ଦଣ୍ଡ ମିଳିବା ପରେ ଗିରଫ କରାଯାଇଥିଲା । ପରେ ତାଙ୍କ ବିରୋଧରେ ଅଲ୍‌-କାଦିର ଟ୍ରଷ୍ଟ ଦୁର୍ନୀତି ମାମଲା ରୁଜୁ ହୋଇଥିଲା । ୨୦୨୫ ଜାନୁଆରୀରେ ଇସଲାମାବାଦର ଏକ ଆକାଉଣ୍ଟାବିଲିଟି କୋର୍ଟ ଅଲ୍‌-କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ଦେଇଥିଲେ । ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ୭ ବର୍ଷର ଦଣ୍ଡ ହୋଇଥିଲା। ଏହି ରାୟକୁ ଇମ୍ରାନ ଓ ବୁଶରା ଇସଲାମାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।

Leave a Reply

Your email address will not be published. Required fields are marked *