ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ଚମକିଲେ ଓଡ଼ିଶାର ଏହେସାସ୍ ହୋତା , ରେଫରି ଦାୟିତ୍ୱ ତୁଲାଇ ଆଣିଲେ ରାଜ୍ୟ ପାଇଁ ଗୌରବ

୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତାର ସହ ରେଫରି ଦାୟିତ୍ୱ ତୁଲାଇ ସେ ରାଜ୍ୟ ପାଇଁ ସମ୍ମାନ ଆଣିଛନ୍ତି । ଜାତୀୟସ୍ତରର ଏହି ପ୍ରତିଷ୍ଠିତ କ୍ରୀଡ଼ା ପ୍ରତିଯୋଗିତାରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ଓଡ଼ିଶା ଟାଏକୋଣ୍ଡୋ କ୍ଷେତ୍ର ପାଇଁ ଏକ ଗୌରବର ବିଷୟ ପାଲଟିଛି ।

ଜାତୀୟ କ୍ରୀଡ଼ା କ୍ଷେତ୍ରରେ ପୁଣି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ରାଜ୍ୟର ଜାତୀୟ ଟାଏକୋଣ୍ଡୋ ରେଫରି ଏହେସାସ୍ ହୋତା । ଜମ୍ମୁ କାଶ୍ମୀରରେ ଅନୁଷ୍ଠିତ ୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତାର ସହ ରେଫରି ଦାୟିତ୍ୱ ତୁଲାଇ ସେ ରାଜ୍ୟ ପାଇଁ ସମ୍ମାନ ଆଣିଛନ୍ତି । ଜାତୀୟସ୍ତରର ଏହି ପ୍ରତିଷ୍ଠିତ କ୍ରୀଡ଼ା ପ୍ରତିଯୋଗିତାରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ଓଡ଼ିଶା ଟାଏକୋଣ୍ଡୋ କ୍ଷେତ୍ର ପାଇଁ ଏକ ଗୌରବର ବିଷୟ ପାଲଟିଛି ।

ଅକ୍ଟୋବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରର ଗାନ୍ଦରବଲ୍‌ସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ଟାଏକୋଣ୍ଡୋ ଇଭେଣ୍ଟ୍ ଅନୁଷ୍ଠିତ ହୋଇଥିଲା । ଏହି ମୁକାବିଲାଗୁଡ଼ିକରେ ଏହେସାସ୍ ରେଫରି ଭାବେ ନିଜ ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରିଥିଲେ ।

ସୂଚନା ଅନୁସାରେ, ଏହି ପ୍ରତିଯୋଗିତାରେ ଏହେସାସ୍‌ଙ୍କୁ ରେଫରି ଭାବେ ନିୟୋଜିତ କରିବା ପାଇଁ କାଶ୍ମୀର ଯୁବ ସେବା ଓ କ୍ରୀଡ଼ା ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ଟାଏକୋଣ୍ଡୋ ସଂଘର ସଭାପତିଙ୍କ ନିକଟକୁ ଏକ ଅନୁରୋଧ ପତ୍ର ପଠାଯାଇଥିଲା । ଏହି ଅନୁରୋଧକୁ ଗ୍ରହଣ କରି ରାଜ୍ୟ ସଂଘ ଏହେସାସ୍‌ଙ୍କୁ ଜମ୍ମୁ କାଶ୍ମୀର ପଠାଇଥିଲା ।

ଜାତୀୟସ୍ତରରେ ଏଭଳି ଦାୟିତ୍ୱ ପାଇବା ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି ହୋଇଥିବା ବେଳେ ଏହାକୁ ସେ ସଫଳତାର ସହ ସମ୍ପାଦନ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି । ଏହି ସୁଯୋଗ ପାଇଁ ସେ ଓଡ଼ିଶା ଟାଏକୋଣ୍ଡୋ ସଂଘ, ସ୍କୁଲ୍ ଗେମ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସ୍‌ଜିଏଫ୍‌ଆଇ) ଏବଂ ଜମ୍ମୁ କାଶ୍ମୀର ଯୁବ ସେବା ଓ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । ଏହେସାସ୍‌ଙ୍କ ଏହି ସଫଳ ଅଂଶଗ୍ରହଣ ଓଡ଼ିଶାର କ୍ରୀଡ଼ା ରେଫରିମାନଙ୍କ ଦକ୍ଷତା ଓ ଜାତୀୟସ୍ତରରେ ସେମାନଙ୍କ ଗୁରୁତ୍ୱକୁ ପ୍ରତିପାଦିତ କରିଛି । ଏହା ରାଜ୍ୟର ଅନ୍ୟ ଯୁବ ରେଫରିମାନଙ୍କ ପାଇଁ ମଧ୍ୟ ପ୍ରେରଣା ସାଜିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *