ଐତିହାସିକ ଶୃଙ୍ଖଳା ଦ୍ବାରରେ ଆୟର୍ଲାଣ୍ଡ: ବୈଭବଙ୍କୁ ସୁଯୋଗ ନଦେବାରୁ ଗାଭାସ୍କର୍‌ କ୍ଷୁବ୍ଧ

ପ୍ରଥମ ଲଢ଼େଇରେ ବିଗତ କିଛି ବର୍ଷ ହେବ ଟ୍ବେଣ୍ଟି-୨୦ର ଅପ୍ରତିଦ୍ବନ୍ଦ୍ବୀ ଦଳ ଭାବେ ନିଜକୁ ଗଢ଼ି ତୋଳିଥିବା ଭାରତୀୟ ଦଳର ରଣନୀତି, ସମରସଜ୍ଜା ଓ ଖେଳାଳି ଚୟନ ହଠାତ୍ ଯେମିତି ବିତର୍କ ଭିତରକୁ ଚାଲି ଆସିଛି।

ଫିଫା ବିଶ୍ବକପ୍‌କୁ ନେଇ ସାରା ବିଶ୍ବ ଫୁଟ୍‌ବଲ୍‌ ଜ୍ବରରେ ପୀଡ଼ିତ ଥିଲା ବେଳେ କ୍ରିକେଟ୍‌ ପଡ଼ିଆରେ ଶୁକ୍ରବାର ବହୁତ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ଟ୍ବେଣ୍ଟି-୨୦ର ବିଶ୍ବବିଜେତା ଭାରତକୁ ୩୪ ରନ୍‌ରେ ହରାଇ ଦୁର୍ବଳ ଆୟର୍ଲାଣ୍ଡ ନିଜ କ୍ରିକେଟ୍‌ ଇତିହାସର ସମ୍ଭବତଃ ସବୁଠୁ ବଡ଼ ବିଜୟ ହାସଲ କରିଥିଲା। ଏବେ ଏହି ଦଳ ଐତିହାସିକ ଶୃଙ୍ଖଳା ବିଜୟ ଦ୍ବାରରେ ରହିଛି । ଶୃଙ୍ଖଳାରେ ୧-୦ରେ ଆଗୁଆ ରହି ପୂରା କ୍ରିକେଟ୍‌ ଜଗତକୁ ଚକିତ କରି ଦେଇଛି।

ପ୍ରଥମ ଲଢ଼େଇରେ ବିଗତ କିଛି ବର୍ଷ ହେବ ଟ୍ବେଣ୍ଟି-୨୦ର ଅପ୍ରତିଦ୍ବନ୍ଦ୍ବୀ ଦଳ ଭାବେ ନିଜକୁ ଗଢ଼ି ତୋଳିଥିବା ଭାରତୀୟ ଦଳର ରଣନୀତି, ସମରସଜ୍ଜା ଓ ଖେଳାଳି ଚୟନ ହଠାତ୍ ଯେମିତି ବିତର୍କ ଭିତରକୁ ଚାଲି ଆସିଛି। ନେତୃତ୍ବ ଓ ତାଳମେଳକୁ ନେଇ ବି ବଡ଼ ପ୍ରଶ୍ନ ଉଠିଛି। ଫଳରେ ହଠାତ୍ ଟିମ୍‌ ଇଣ୍ଡିଆ ଏବେ ବିରଳ ଶୃଙ୍ଖଳା ପରାଜୟ ଆଶଙ୍କା‌ରେ ରହିଛି। ଯାହାକୁ ପ୍ରଶଂସକ ଆଦୌ ବିଶ୍ବାସ କରି ପାରୁ ନାହାନ୍ତି। ପୁଣି ସୂର୍ଯ୍ୟକୁମାର ଯାଦବଙ୍କ ସଫଳ ଯୁଗ ଶେଷ ହେବା ପରେ ଭାରତୀୟ ଟ୍ବେଣ୍ଟି-୨୦ କ୍ରିକେଟ୍‌ ଦଳର ମଙ୍ଗ ଧରିଥିବା ଶ୍ରେୟସ୍‌ ଆୟରଙ୍କ ସମୟ ଲଜ୍ଜା ଓ ଯନ୍ତ୍ରଣାଦାୟକ ପରାଜୟରୁ ଆରମ୍ଭ ହେବା ମଧ୍ୟ ଆଉ ଏକ ଦୁଃଖଦ ଫର୍ଦ୍ଦ ହୋଇଛି । ଆୟର୍ଲାଣ୍ଡ ଏଭଳି ଏକ ଅପ୍ରତ୍ୟାଶିତ ଓ ଅଦିନିଆ ଝଟ୍‌କା ଦେବା ପରେ ଭାରତୀୟ ଦଳ ଏବେ ରବିବାର ଖେଳାଯିବାକୁ ଥିବା ଦ୍ବିତୀୟ ତଥା ଶେଷ ଟ୍ବେଣ୍ଟି-୨୦କୁ ନେଇ ଚାପ ଓ ଚିନ୍ତାରେ ରହିଛି। 

ଏହି ମ୍ୟାଚ୍‌ ଜିତି ନପାରିଲେ ସମ୍ମାନ ତ ଯିବ, ଆୟର୍ଲାଣ୍ଡଠାରୁ ଶୃଙ୍ଖଳା ହାରିବାର କଳଙ୍କ ଓ ଦୁଃଖ ଢେର ସମୟ ପର୍ଯ୍ୟନ୍ତ ଭାରତୀୟ ଦଳକୁ ଆନ୍ଦୋଳିତ କରିବ। ସେପଟେ ଓପନର୍‌, ୱିକେଟ୍‌ ରକ୍ଷକ ସଞ୍ଜୁ ସାମସନ୍‌ଙ୍କ ଅସ୍ଥିର ପ୍ରଦର୍ଶନକୁ ନେଇ ଦୁଇ ପୂର୍ବତନ କ୍ରିକେଟର୍‌ କିଂବଦନ୍ତି ସୁନୀଲ ଗାଭାସ୍କର୍‌ ଓ ସଞ୍ଜୟ ମଞ୍ଜରେକର ପ୍ରଶ୍ନ ଉଠାଇଛନ୍ତି। ବରଂ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦ୍ବିତୀୟ ମ୍ୟାଚ୍‌ରେ ଖେଳାଇ ଆୟର୍ଲାଣ୍ଡ ଉପରେ ଆରମ୍ଭରୁ ଚାପ ସୃଷ୍ଟି କରିବାକୁ ଉଭୟ ପରାମର୍ଶ ଦେଇଛନ୍ତି। ଶୃଙ୍ଖଳା ବିଜୟ ସୁଯୋଗ ହାତଛଡ଼ା ହେବା ପରେ ଭାରତ ପାଖରେ କେବଳ ଯାହା ଏହାକୁ ବଞ୍ଚାଇବାର ସୁଯୋଗ ବାକି ରହିଛି। ସେହି ଦୃଷ୍ଟିରୁ ରବିବାରର ମୁକାବିଲାରେ ‌ଶ୍ରେୟସ୍‌ ଆୟରଙ୍କ ଦଳ କର ବା ମର ସ୍ଥିତିରେ ରହିଛି।

ପ୍ରଥମ ମୁକାବିଲାରେ ଭାରତର ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ, ତିନିଟିଯାକ ବିଭାଗରେ ନିରାଶାଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ତାରକାଙ୍କ ଭିଡ଼ ସତ୍ତ୍ବେ ବ୍ୟାଟରମାନେ ବଡ଼ ଭାଗୀଦାରି ଗଢ଼ିବାରେ ବିଫଳ ହୋଇଥିବା ବେଳେ ବୋଲରମାନେ ଆୟର୍ଲାଣ୍ଡର ଆକ୍ରମଣାତ୍ମକ ବ୍ୟାଟିଂକୁ ରୋକିପାରି ନଥିଲେ। ପଡ଼ିଆ ଭିତ‌ରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହାତଛଡ଼ା ହୋଇଥିଲା, ଯାହାର ପୂରା ଫାଇଦା ଉଠାଇଥିଲା ଘରୋଇ ଆୟର୍ଲାଣ୍ଡ। ଏଭଳି ସ୍ଥିତିରେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ନୂଆ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି। ଅଭିଜ୍ଞ ଖେଳାଳିଙ୍କ ଉପରେ ଦଳକୁ ସଙ୍କଟରୁ ବାହାର କରିବାର ଦାୟିତ୍ୱ ରହିବା ସହ ଦଳ ପରିଚାଳନା ପ୍ଲେଇଂ ଏକାଦଶରେ କିଛି ପରିବର୍ତ୍ତନ ମଧ୍ୟ କରିପାରେ। ଅନ୍ୟପଟେ, ପ୍ରଥମ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ ପରେ ଆୟର୍ଲାଣ୍ଡ ଆତ୍ମବିଶ୍ୱାସରେ ଭରପୂର ରହିଛି। ଘରୋଇ ପରିବେଶର ସୁଯୋଗ ଉଠାଇ ଦଳ ଭାରତ ବିପକ୍ଷରେ ସିରିଜ୍‌କୁ ୨-୦ରେ ଜିତି ଐତିହାସିକ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ସମ୍ଭାବ୍ୟ ଭାରତ : ଅଭିଷେକ ଶର୍ମା, ସଞ୍ଜୁ ସାମସନ୍‌/ ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ, ଶ୍ରେୟସ୍‌ ଆୟର (ଅଧିନାୟକ), ତିଲକ ବର୍ମା, ୱାସିଂଟନ ସୁନ୍ଦର, ଶିବମ ଦୁବେ, ଅକ୍ଷର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା/ ରବି ବିଷ୍ଣୋଇ।

ସମ୍ଭାବ୍ୟ ଆୟର୍ଲାଣ୍ଡ : ଲର୍କାନ୍‌ ଟକର୍‌ (ଅଧିନାୟକ), ରସ୍‌ ଏଡାୟାର, ବେନ୍‌ କାଲିଜ୍‌, ଗାରେଥ୍‌ ଡେଲାନି, ଜର୍ଜ ଡକ୍‌ରେଲ୍‌, ମାଥ୍ୟୁ ହମ୍ଫ୍ରେସ୍‌, ଲିଆମ୍‌ ମାକ୍‌କାର୍ଥି, ଜୟ ମୁନ୍ଦ୍ରା, ହ୍ୟାରି ଟକର୍‌, ଟିମ୍‌ ଟକର୍‌, ମ୍ୟାଟ୍ ହୋଲାର୍ଡ।

Leave a Reply

Your email address will not be published. Required fields are marked *