‘ଏହା କୌଣସି ଦଳର ନୁହେଁ, ଭାରତ ଆତ୍ମାର ପଦଯାତ୍ରା’: ନଭେମ୍ବର ୧ ରାଲିରେ ଯୋଗଦେବାକୁ ରାହୁଲଙ୍କ ଆହ୍ୱାନ

ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ହେବାକୁ ଥିବା ‘ଚଲୋ ଦିଲ୍ଲୀ’ ପଦଯାତ୍ରାରେ ଯୋଗଦେବାକୁ ସେ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି ।

ଦେଶରେ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଏକାଠି ହେବାକୁ ଆହ୍ୱାନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ହେବାକୁ ଥିବା ‘ଚଲୋ ଦିଲ୍ଲୀ’ ପଦଯାତ୍ରାରେ ଯୋଗଦେବାକୁ ସେ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ରାହୁଲ କହିଛନ୍ତି ଯେ, ଏହି ପଦଯାତ୍ରା କୌଣସି ରାଜନୈତିକ ଦଳର କାର୍ଯ୍ୟକ୍ରମ ନୁହେଁ। ଏହା ଭାରତର ଆତ୍ମାକୁ ରକ୍ଷା କରିବା ପାଇଁ ଏକ ଆନ୍ଦୋଳନ। ଗଣତନ୍ତ୍ରକୁ ବଞ୍ଚାଇବା, ଭୋଟ୍ ଚୋରି ରୋକିବା ଏବଂ ସମ୍ବିଧାନର ସୁରକ୍ଷା କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

କଥିତ ନିର୍ବାଚନୀ ଅନିୟମିତତା ବିରୋଧରେ ସ୍ୱର ଉଠାଇବାକୁ ରାହୁଲ ସମସ୍ତ ରାଜନୈତିକ ବିଚାରଧାରାର ଲୋକଙ୍କୁ ଆହ୍ୱାନ କରିଛନ୍ତି । ବିଶେଷକରି ଛାତ୍ରଛାତ୍ରୀମାନେ ନିଜ ନିଜର ରାଜନୈତିକ ମତଭେଦ ଭୁଲି ଏହି ପଦଯାତ୍ରାରେ ସାମିଲ ହୁଅନ୍ତୁ ବୋଲି ସେ ନିବେଦନ କରିଛନ୍ତି । ଏହା ସହ ପ୍ରତିବାଦ ସମୟରେ ପୁଲିସ କିମ୍ବା ଲାଠିଚାଳନାକୁ ନେଇ ଭୟଭୀତ ନହେବାକୁ ରାହୁଲ କହିଛନ୍ତି । ବିଜେପି ଏପରି କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରିବ ନାହିଁ ବୋଲି ସେ ଦାବି କରିଛନ୍ତି । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଏହା କେବଳ ଗୋଟିଏ ଦଳର ଲଢ଼େଇ ନୁହେଁ, ବରଂ ଦେଶର ସମସ୍ତ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ରାହୁଲ ଗାନ୍ଧୀ ନିଜ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *