ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୁର୍କିକୁ ଏଫ-୩୫ ଷ୍ଟିଲଥ୍ ଯୁଦ୍ଧ ବିମାନ ବିକ୍ରୟ କରିବା ପ୍ରସ୍ତାବକୁ ଖୋଲାଖୋଲି ବିରୋଧ କରିଛନ୍ତି। ନେତାନ୍ୟାହୁଙ୍କ ଅନୁସାରେ ଏପରି ପଦକ୍ଷେପ ମଧ୍ୟପ୍ରାଚ୍ୟରେ ଶକ୍ତି ସନ୍ତୁଳନକୁ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ କରିବ ।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୁର୍କିକୁ ଏଫ-୩୫ ଷ୍ଟିଲଥ୍ ଯୁଦ୍ଧ ବିମାନ ବିକ୍ରୟ କରିବା ପ୍ରସ୍ତାବକୁ ଖୋଲାଖୋଲି ବିରୋଧ କରିଛନ୍ତି। ନେତାନ୍ୟାହୁଙ୍କ ଅନୁସାରେ ଏପରି ପଦକ୍ଷେପ ମଧ୍ୟପ୍ରାଚ୍ୟରେ ଶକ୍ତି ସନ୍ତୁଳନକୁ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ କରିବ । ନେତାନ୍ୟାହୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ବ୍ୟକ୍ତିଗତ ଭାବରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଚୁକ୍ତିକୁ ଅନୁମୋଦନ ନକରିବାକୁ ଅନୁରୋଧ କରିଛନ୍ତି। ଏହି ବିବୃତି ଏପରି ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ସୂଚିତ କରିଛନ୍ତି ଯେ, ସେ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ତୁର୍କି ଉପରେ ଲାଗୁ ହୋଇଥିବା କଟକଣାକୁ ଉଠାଇବା ବିଷୟରେ ବିଚାର କରୁଛନ୍ତି ।
ନେତାନ୍ୟାହୁ କହିଛନ୍ତି,ଆମେରିକାର ସବୁଠାରୁ ଉନ୍ନତ ଯୁଦ୍ଧ ବିମାନ ତୁର୍କିକୁ ଦେଲେ ମଧ୍ୟ ତୁର୍କି ସେମାନଙ୍କର ସହଯୋଗୀ ହେବ ନାହିଁ। ତୁର୍କି ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ଙ୍କ ବିଷୟରେ ଉଲ୍ଲେଖ କରି ନେତାନ୍ୟାହୁ କହିଛନ୍ତି, ତୁର୍କିରେ ମୁସଲିମ୍ ବ୍ରଦରହୁଡ୍ ବିଚାରଧାରା ଦ୍ୱାରା ପ୍ରଭାବିତ ଏକ ସରକାର ଅଛି। ଏହି ସରକାର ଆମେରିକାକୁ ଘୃଣା କରନ୍ତି। ଏର୍ଦୋଗାନ୍ ଆମେରିକା ପାଇଁ ଜଣେ ଆଦର୍ଶ ସହଯୋଗୀ ନୁହଁନ୍ତି । ସେ ବିଶ୍ୱର ଏକମାତ୍ର ଇହୁଦୀ ରାଷ୍ଟ୍ର, ମୋ ଦେଶ ଇସ୍ରାଏଲକୁ ଧ୍ୱଂସ କରିବାକୁ ଧମକ ଦେଉଛନ୍ତି ।
ନେତାନ୍ୟାହୁ ଚେତାବନୀ ଦେଇଛନ୍ତି ଯେ, ତୁର୍କିକୁ ଏଫ-୩୫ ଲଢୁଆ ବିମାନ ଯୋଗାଇଲେ ଏହାର ପରିଣାମ ଖରାପ ହେବ। ନେତାନ୍ୟାହୁ କହିଛନ୍ତି,ତୁର୍କି ଶାନ୍ତି ଏବଂ ସ୍ଥିରତା ପାଇଁ ଏକ ଶକ୍ତି ନୁହେଁ। ଯଦି ଆମେରିକା ସେମାନଙ୍କୁ ଏତେ ସାମରିକ ଶକ୍ତି ଦିଏ, ତେବେ ସେମାନେ କେବଳ ଆକ୍ରମଣ କରିବାକୁ ଚାହିଁବେ। ସେ ଟ୍ରମ୍ପଙ୍କୁ ସିଧାସଳଖ ଅପିଲ କରିଛନ୍ତି ଯେ, ତୁର୍କିକୁ ଲଢୁଆ ବିମାନ ବିକ୍ରି କରନ୍ତୁ ନାହିଁ।
ନାଟୋ ସମ୍ମିଳନୀରେ ଯୋଗଦେବା ପାଇଁ ଅଙ୍କାରାରେ ପହଞ୍ଚିଥିବା ଟ୍ରମ୍ପ କହିଛନ୍ତି, ତୁର୍କି ସହିତ ଆମର ଏକ ଭଲ ସମ୍ପର୍କ ଅଛି। ଯେଉଁ ଦେଶମାନଙ୍କଠାରୁ ଆମେ ବିଶ୍ୱସ୍ତତା ଆଶା କରୁଥିଲୁ ସେଭଳି ଦେଶମାନଙ୍କ ତୁଳନାରେ ତୁର୍କି ଅଧିକ ବିଶ୍ୱସ୍ତ ରହିଛି। ଏଫ-୩୫ ଏକ ଉତ୍କୃଷ୍ଟ ଯୁଦ୍ଧ ବିମାନ। ଆମେ ନିଶ୍ଚିତ ଭାବରେ ଏହାକୁ ତୁର୍କିକୁ ବିକ୍ରୟ କରିବାକୁ ବିଚାର କରିବୁ। ଟ୍ରମ୍ପ ଏହା ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଆମେରିକା ଶୀଘ୍ର ରୁଷଠାରୁ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ କ୍ରୟ କରିବା ପାଇଁ ତୁର୍କି ଉପରେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରିବ। ଟ୍ରମ୍ପ କହିଛନ୍ତି, ଆମେ କଟକଣାକୁ ପ୍ରତ୍ୟାହାର କରିବାକୁ ଯାଉଛୁ। ଆମେ ଆମର ସହଯୋଗୀ ଦେଶମାନଙ୍କ ଉପରେ କଟକଣା ଲାଗୁ କରିବାକୁ ଚାହୁଁନାହୁଁ।

