ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଦୀର୍ଘଦିନ ଧରି ସମୁଦ୍ରରେ ମୁତୟନ ଥିବା ଆମେରିକା ର ବିମାନବାହୀ ଯୁଦ୍ଧଜାହାଜ ‘ୟୁଏସ୍ଏସ୍ ଆବ୍ରାହମ୍ ଲିଙ୍କନ୍’ରେ ସୈନିକଙ୍କ ମନୋବଳ ଓ ମାନସିକ ସ୍ଥିତିକୁ ନେଇ ଚିନ୍ତା ବଢ଼ିଛି
ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଦୀର୍ଘଦିନ ଧରି ସମୁଦ୍ରରେ ମୁତୟନ ଥିବା ଆମେରିକା ର ବିମାନବାହୀ ଯୁଦ୍ଧଜାହାଜ ‘ୟୁଏସ୍ଏସ୍ ଆବ୍ରାହମ୍ ଲିଙ୍କନ୍’ରେ ସୈନିକଙ୍କ ମନୋବଳ ଓ ମାନସିକ ସ୍ଥିତିକୁ ନେଇ ଚିନ୍ତା ବଢ଼ିଛି। ଏହି ସମୟରେ ଆମେରିକା ତା’ର ଅନ୍ୟ ଏକ ବିମାନବାହୀ ଯୁଦ୍ଧଜାହାଜ ‘ୟୁଏସ୍ଏସ୍ ଜର୍ଜ ୱାସିଂଟନ୍’କୁ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଇଛି।
‘ୟୁଏସ୍ଏସ୍ ଲିଙ୍କନ୍’ ୨୬୦ ଦିନରୁ ଅଧିକ ସମୟ ଧରି ସମୁଦ୍ରରେ ରହିଛି। ସାଧାରଣତଃ ଆମେରିକୀୟ ନୌସେନାର ମୁତୟନ ୬ରୁ ୯ ମାସ ଯାଏ ହୋଇଥାଏ। କିନ୍ତୁ ଯୁଦ୍ଧ ପରିସ୍ଥିତି ଯୋଗୁଁ ଏହି ମୁତୟନ ଅବଧି ବଢ଼ିଛି। ଜାହାଜଟି ୨୧ ନଭେମ୍ବର ୨୦୨୫ରେ ସାନ୍ ଡିଏଗୋରୁ ଯାତ୍ରା ଆରମ୍ଭ କରିଥିଲା ଏବଂ ୨୦୨୬ ଜାନୁଆରିରେ ମଧ୍ୟପ୍ରାଚ୍ୟରେ ପହଞ୍ଚିଥିଲା ।
ଦୀର୍ଘ ମୁତୟନ ଯୋଗୁଁ ଜାହାଜରେ ନୌସୈନିକଙ୍କ ମନୋବଳ ହ୍ରାସ ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଯୁଦ୍ଧ କାରଣରୁ ମଧ୍ୟପ୍ରାଚ୍ୟର ପାରମ୍ପରିକ ଯୋଗାଣ କେନ୍ଦ୍ରଗୁଡ଼ିକ ପ୍ରଭାବିତ ହେବାରୁ ଖାଦ୍ୟ, ପରିଚ୍ଛନ୍ନତା ସାମଗ୍ରୀ ଓ ଅନ୍ୟାନ୍ୟ ଯୋଗାଣରେ ଅଭାବ ଦେଖାଦେଇଥିବା ନୌସେନା ସ୍ୱୀକାର କରିଛି ।
ଆମେରିକାର ପ୍ରତିରକ୍ଷାମନ୍ତ୍ରୀ ପିଟ୍ ହେଗସେଥ୍ ଜାହାଜରେ ଖରାପ ପରିସ୍ଥିତି ଥିବା ଖବରକୁ ଖଣ୍ଡନ କରି ଏହାକୁ ‘ସମ୍ପୂର୍ଣ୍ଣ ଭୁଲ ଭାବେ ଉପସ୍ଥାପିତ’ ବୋଲି କହିଛନ୍ତି। ଅନ୍ୟପକ୍ଷରେ, କେତେକ ଆମେରିକୀୟ ସାଂସଦ ଏହି ଘଟଣାର ତଦନ୍ତ ଓ ଜାହାଜରେ ସୈନିକଙ୍କ ସ୍ଥିତି ସମ୍ପର୍କରେ ଅଧିକ ତଥ୍ୟ ଦାବି କରିଛନ୍ତି। ଏହା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆମେରିକା ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ହାସଲ କରିଥିବା ଏବଂ ଏହାକୁ ବଜାୟ ରଖିବ ବୋଲି ଦାବି କରିଛନ୍ତି। ଇରାନର ବନ୍ଦରଗୁଡ଼ିକ ଉପରେ ଆମେରିକା ନୌସେନା ପୁଣି ଅବରୋଧ ଲଗାଇଛି। ଯୁଦ୍ଧ କେବେ ଶେଷ ହେବ, ସେନେଇ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ସ୍ପଷ୍ଟତା ନଥିବା ବେଳେ ହେଗସେଥ୍ ଅବରୋଧକୁ ‘ଅନିର୍ଦ୍ଦିଷ୍ଟ କାଳ’ ପର୍ଯ୍ୟନ୍ତ ଜାରି ରଖିବା ସମ୍ଭବ ବୋଲି କହିଛନ୍ତି।

