ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସ୍ୱାଟ୍ ଟିମ୍କୁ ମୁତୟନ କରାଯାଇଥିଲା। ଘର ଭିତରେ ଲୁଚି ରହିଥିବା ଆକ୍ରମଣକାରୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ପୁଲିସ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହି ସମୟରେ ଘର ଭିତରୁ ଏକାଧିକ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା ।
ଆମେରିକାରେ ପୁଣି ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ପେନସିଲଭାନିଆର ଏରି ସହରରେ ଜଣେ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ୨ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି। ମୃତକଙ୍କ ମଧ୍ୟରେ ଗୁଳିଚାଳନା କରିଥିବା ସନ୍ଦିଗ୍ଧ ଆକ୍ରମଣକାରୀ ମଧ୍ୟ ରହିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଆମେରିକାର ବନ୍ଧୁକ ସଂସ୍କୃତିକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଶୁକ୍ରବାର ଅପରାହ୍ଣ ପ୍ରାୟ ୫ଟା ସମୟରେ ଏରି ସହରର ପେରି ଷ୍ଟ୍ରିଟ୍ରେ ଏହି ଗୁଳିକାଣ୍ଡ ଘଟିଥିଲା। ଜଣେ ବ୍ୟକ୍ତି ଘର ବାହାରେ ବନ୍ଧୁକରୁ ଗୁଳିଚାଳନା କରିବା ପରେ ଘର ଭିତରକୁ ପଶିଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ରାସ୍ତାରେ ଦୁଇଜଣ ମହିଳାଙ୍କ ମୃତଦେହ ପଡ଼ିଥିଲା। ଏହାପରେ ପୁଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସ୍ୱାଟ୍ ଟିମ୍କୁ ମୁତୟନ କରାଯାଇଥିଲା। ଘର ଭିତରେ ଲୁଚି ରହିଥିବା ଆକ୍ରମଣକାରୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ପୁଲିସ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହି ସମୟରେ ଘର ଭିତରୁ ଏକାଧିକ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା। ପରେ ପୁଲିସ ଘର ଭିତରେ ପ୍ରବେଶ କରିବାରୁ ଦୁଇ ଶିଶୁଙ୍କ ସମେତ ଅନ୍ୟ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସନ୍ଦିଗ୍ଧ ଆକ୍ରମଣକାରୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।
ଏରି ପୁଲିସ ମୁଖ୍ୟ ରିକ୍ ଲୋରାହ ଏହି ଘଟଣାକୁ ଅତ୍ୟନ୍ତ ହୃଦୟବିଦାରକ ବୋଲି କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ପୁଲିସ ଅଧିକାରୀମାନେ ସାମ୍ନା କରିଥିବା ସବୁଠାରୁ ଭୟାନକ ଘଟଣା ମଧ୍ୟରୁ ଏହା ଅନ୍ୟତମ। ତେବେ ଗୁଳିକାଣ୍ଡ ପଛର ପ୍ରକୃତ କାରଣ, ମୃତକଙ୍କ ପରିଚୟ ଏବଂ ଆକ୍ରମଣକାରୀଙ୍କ ସହ ସେମାନଙ୍କ ସମ୍ପର୍କ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଆକ୍ରମଣକାରୀଙ୍କ ମୃତ୍ୟୁ ପରେ ସାଧାରଣ ଲୋକଙ୍କ ପ୍ରତି ଆଉ କୌଣସି ତତ୍କାଳ ବିପଦ ନଥିବା ପୁଲିସ ସ୍ପଷ୍ଟ କରିଛି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି।

