ଏହି ଫର୍ମୁଲାରେ ୩୨ର ଅର୍ଥ ହେଉଛି ସମାଜବାଦୀ ପାର୍ଟିର ବର୍ତ୍ତମାନର ଭୋଟ୍ ସେୟାର, ଆଉ ୨୧ର ଅର୍ଥ ହେଉଛି ଉତ୍ତର ପ୍ରଦେଶର ପ୍ରାୟ ୨୧ ପ୍ରତିଶତ ଦଳିତ ଜନସଂଖ୍ୟା। କଂଗ୍ରେସ ଓ ସପାର ରଣନୀତି ହେଉଛି, ଯଦି ଅଖିଳେଶ ଯାଦବ ନିଜର ପାରମ୍ପରିକ ଭୋଟ୍ ବ୍ୟାଙ୍କକୁ ଦୃଢ଼ ରଖିପାରନ୍ତି ଏବଂ ରାହୁଲ ଗାନ୍ଧୀ ଦଳିତ ଭୋଟରଙ୍କ ମଧ୍ୟରେ କଂଗ୍ରେସର ପୁରୁଣା ପ୍ରଭାବକୁ ଫେରାଇ ଆଣିପାରନ୍ତି, ତେବେ ବିଜେପିର ସବୁଠାରୁ ବଡ଼ ଶକ୍ତିକୁ ଚ୍ୟାଲେଞ୍ଜ କରାଯାଇପାରିବ। ତେବେ ପ୍ରଶ୍ନ ହେଉଛି, ଏହା କି ଏତେ ସହଜ?
ନିର୍ବାଚନର ଆଗମନ ସହ ପୁଣି ଥରେ ‘ୟୁପିର ଦୁଇ ପୁଅ’ ବିଜୟର ସ୍ୱପ୍ନ ନେଇ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି। ସେମାନଙ୍କର ମୁକାବିଲା ସେହି ବିଜେପି ସହ, ଯିଏ ସାମାଜିକ ସମୀକରଣ (ସୋସିଆଲ୍ ଇଞ୍ଜିନିୟରିଂ)ର ବଳରେ ଲଗାତାର ଦୁଇଥର ବିରୋଧୀଙ୍କୁ ପରାସ୍ତ କରିଛି। ଏହି ପରିସ୍ଥିତିରେ ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ ନିଜ ରଣନୀତିରେ ‘୩୨-୨୧ ଫର୍ମୁଲା’କୁ ଆଗକୁ ଆଣିଛନ୍ତି।
ଏହି ଫର୍ମୁଲାରେ ୩୨ର ଅର୍ଥ ହେଉଛି ସମାଜବାଦୀ ପାର୍ଟିର ବର୍ତ୍ତମାନର ଭୋଟ୍ ସେୟାର, ଆଉ ୨୧ର ଅର୍ଥ ହେଉଛି ଉତ୍ତର ପ୍ରଦେଶର ପ୍ରାୟ ୨୧ ପ୍ରତିଶତ ଦଳିତ ଜନସଂଖ୍ୟା। କଂଗ୍ରେସ ଓ ସପାର ରଣନୀତି ହେଉଛି, ଯଦି ଅଖିଳେଶ ଯାଦବ ନିଜର ପାରମ୍ପରିକ ଭୋଟ୍ ବ୍ୟାଙ୍କକୁ ଦୃଢ଼ ରଖିପାରନ୍ତି ଏବଂ ରାହୁଲ ଗାନ୍ଧୀ ଦଳିତ ଭୋଟରଙ୍କ ମଧ୍ୟରେ କଂଗ୍ରେସର ପୁରୁଣା ପ୍ରଭାବକୁ ଫେରାଇ ଆଣିପାରନ୍ତି, ତେବେ ବିଜେପିର ସବୁଠାରୁ ବଡ଼ ଶକ୍ତିକୁ ଚ୍ୟାଲେଞ୍ଜ କରାଯାଇପାରିବ। ତେବେ ପ୍ରଶ୍ନ ହେଉଛି, ଏହା କି ଏତେ ସହଜ?
ଅଖିଳେଶଙ୍କ ପାଖରେ କ’ଣ ଅଛି?
୨୦୨୪ ଲୋକସଭା ନିର୍ବାଚନ ସମାଜବାଦୀ ପାର୍ଟିକୁ ନୂଆ ଶକ୍ତି ଦେଇଛି । ଦଳର ଭୋଟ୍ ଶେୟାର ପ୍ରାୟ ୩୩ ପ୍ରତିଶତକୁ ପହଞ୍ଚିଥିଲା। ଏହା କେବଳ ଏକ ପରିସଂଖ୍ୟାନ ନୁହେଁ, ବରଂ ଏକ ସନ୍ଦେଶ ମଧ୍ୟ ଥିଲା ଯେ ଅଖିଳେଶ ଯାଦବ କେବଳ ଯାଦବ ସମ୍ପ୍ରଦାୟର ନେତା ହୋଇ ରହିବାକୁ ଚାହୁଁନାହାନ୍ତି।
ସେ ‘ପିଡିଏ’ (ପଛୁଆ, ଦଳିତ ଓ ଅଳ୍ପସଂଖ୍ୟକ) ସ୍ଲୋଗାନ୍ ଦେଇ ନିଜର ରାଜନୈତିକ ଆଧାରକୁ ବିସ୍ତାର କରିବାର ପ୍ରୟାସ କରିଛନ୍ତି। ତଥାପି ବାସ୍ତବତା ହେଉଛି, ସମାଜବାଦୀ ପାର୍ଟିର ସବୁଠାରୁ ଦୃଢ଼ ସଂଗଠନ ଆଜି ମଧ୍ୟ ଯାଦବ ଓ ମୁସଲିମ ଭୋଟରଙ୍କ ଉପରେ ରହିଛି। ଏହି ଦୁଇ ବର୍ଗ ହିଁ ଦଳର ମୂଳ ଭୋଟ୍ ବ୍ୟାଙ୍କ ଏବଂ ନିର୍ବାଚନୀ ରାଜନୀତିର ମେରୁଦଣ୍ଡ ବୋଲି ଧରାଯାଏ।
ରାହୁଲଙ୍କ ନଜର ୨୧ ପ୍ରତିଶତ ଦଳିତ ଭୋଟ୍ ଉପରେ କାହିଁକି?
ଗତ କିଛି ବର୍ଷ ଧରି ରାହୁଲ ଗାନ୍ଧୀ ଯେଉଁ ପ୍ରକାରର ରାଜନୀତି କରୁଛନ୍ତି, ସେଥିରେ ଗୋଟିଏ ବିଷୟ ସ୍ପଷ୍ଟ ଭାବେ ଦେଖାଯାଉଛି। ସମ୍ବିଧାନ, ସଂରକ୍ଷଣ, ସାମାଜିକ ନ୍ୟାୟ, ଜାତିଭିତ୍ତିକ ଜନଗଣନା ଏବଂ ଦଳିତ ଅଧିକାର ତାଙ୍କ ଭାଷଣର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ସେ ଦଳିତ ବସ୍ତିକୁ ଯାଆନ୍ତି, ସଫେଇ କର୍ମଚାରୀଙ୍କ ସହ ସାକ୍ଷାତ କରନ୍ତି, ଡ. ବାବାସାହେବ ଆମ୍ବେଦକରଙ୍କ ଐତିହ୍ୟର କଥା କହନ୍ତି ଏବଂ କଂଗ୍ରେସ ହିଁ ସାମାଜିକ ନ୍ୟାୟର ପ୍ରକୃତ ଲଢ଼େଇ ଲଢ଼ୁଛି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରନ୍ତି। ଏହା ପଛରେ କେବଳ ଆଦର୍ଶ ନୁହେଁ, ବରଂ ନିର୍ବାଚନୀ ଗଣିତ ମଧ୍ୟ ରହିଛି।
ଉତ୍ତର ପ୍ରଦେଶରେ ଦଳିତ ଜନସଂଖ୍ୟା ପ୍ରାୟ ୨୧ ପ୍ରତିଶତ। ଗୋଟିଏ ସମୟରେ ଏହି ବର୍ଗ କଂଗ୍ରେସର ସବୁଠାରୁ ବିଶ୍ୱସ୍ତ ଭୋଟ୍ ବ୍ୟାଙ୍କ ଥିଲା। ପରେ କାଂଶୀରାମ ଓ ମାୟାବତୀଙ୍କ ନେତୃତ୍ୱରେ ଏହି ଭୋଟ୍ ବହୁଜନ ସମାଜ ପାର୍ଟି (ବିଏସପି) ଆଡ଼କୁ ଚାଲିଯାଇଥିଲା। ଗତ ଏକ ଦଶନ୍ଧିରେ ଏହି ଭୋଟର ବଡ଼ ଅଂଶ ବିଜେପି ସହ ଯୋଡ଼ି ହୋଇଥିବା ଦେଖାଯାଇଛି। ବର୍ତ୍ତମାନ କଂଗ୍ରେସର ମନେ ହେଉଛି ଯେ ବିଏସପି ଦୁର୍ବଳ ହୋଇପଡ଼ିଛି, ତେଣୁ ହରାଇଥିବା ଭୋଟ୍ ବ୍ୟାଙ୍କକୁ ଫେରାଇ ଆଣିବାର ଏହା ଏକ ସୁଯୋଗ।
କିନ୍ତୁ ଦଳିତ ଭୋଟର ସିଧାସଳଖ ସପା ସହ କାହିଁକି ଯାଉନାହାନ୍ତି?
ଏହି ପ୍ରଶ୍ନଟି ହିଁ ସମଗ୍ର ‘୩୨-୨୧ ଫର୍ମୁଲା’ର ସବୁଠାରୁ ଦୁର୍ବଳ କଡ଼ି ବୋଲି ମନେ କରାଯାଉଛି। ଉତ୍ତର ପ୍ରଦେଶରେ ଦଳିତ ସମାଜର ଏକ ବଡ଼ ଅଂଶ ସମାଜବାଦୀ ପାର୍ଟିକୁ ନେଇ ସହଜ ନୁହେଁ। ଏହା ପଛରେ କେବଳ ରାଜନୀତିକ କାରଣ ନୁହେଁ, ବରଂ ସ୍ଥାନୀୟ ସାମାଜିକ ସମୀକରଣ ମଧ୍ୟ ରହିଛି।
ରାଜ୍ୟର ଅନେକ ଜିଲ୍ଲାରେ ଦୀର୍ଘଦିନ ଧରି ଦଳିତ ଓ ଯାଦବ ସମ୍ପ୍ରଦାୟ ମଧ୍ୟରେ ସାମାଜିକ ପ୍ରାଧାନ୍ୟକୁ ନେଇ ଟଣାଓଟରା ଲାଗିରହିଛି। ପଞ୍ଚାୟତ ନିର୍ବାଚନ, ଗ୍ରାମ ରାଜନୀତି କିମ୍ବା ସ୍ଥାନୀୟ ବିବାଦରେ ଉଭୟ ସମ୍ପ୍ରଦାୟ ଅନେକ ସ୍ଥାନରେ ପରସ୍ପରର ସାମ୍ନାସାମ୍ନି ହୋଇଛନ୍ତି। ସେହିପରି ପଶ୍ଚିମ ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ଦଳିତ ଓ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ମଧ୍ୟ ଉତ୍ତେଜନା ଦେଖାଯାଇଥିବା ଘଟଣା ରହିଛି।
ଏହି କାରଣରୁ ଦଳିତ ସମାଜର ଏକ ବଡ଼ ବର୍ଗ ସମାଜବାଦୀ ପାର୍ଟିକୁ ସହଜରେ ନିଜର ରାଜନୀତିକ ବିକଳ୍ପ ଭାବେ ଗ୍ରହଣ କରୁନାହାନ୍ତି। ବିରୋଧୀ ଦଳଗୁଡ଼ିକ ବର୍ଷ ବର୍ଷ ଧରି ସପା ଉପରେ ‘ଯାଦବବାଦ’ ଏବଂ ‘ଗୁଣ୍ଡାରାଜ’ର ଅଭିଯୋଗ ଆଣିଆସୁଛନ୍ତି। ସପା ଏହି ଅଭିଯୋଗକୁ ଖଣ୍ଡନ କରୁଥିଲେ ମଧ୍ୟ, ରାଜନୀତିରେ ବାସ୍ତବତା ଯେତିକି ଗୁରୁତ୍ୱପୂର୍ଣ୍ଣ, ଧାରଣା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।
ବିଜେପି ପୂର୍ବରୁ ହିଁ ପ୍ରସ୍ତୁତ…
ବିରୋଧୀ ଦଳମାନଙ୍କ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଏହା ହିଁ। ୨୦୧୪ ପରଠାରୁ ବିଜେପି କେବଳ ଭାଷଣ ନୁହେଁ, ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଦଳିତ ସମାଜ ସହ ସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସ କରିଛି। ସରକାରୀ ଯୋଜନାର ଲାଭ ଗରିବ ପରିବାରଙ୍କ ପାଖକୁ ପହଞ୍ଚିଛି ଏବଂ ଏହାର ସବୁଠାରୁ ଅଧିକ ଲାଭ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ, ବିଶେଷକରି ଦଳିତ ସମାଜ ପାଇଛି।
କେହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଛନ୍ତି, କାହା ଘରେ ଶୌଚାଳୟ ନିର୍ମାଣ ହୋଇଛି, କେହି ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ ପାଇଛନ୍ତି, କେହି ମାଗଣା ରାସନ ପାଇଛନ୍ତି ଏବଂ ଅନେକ ପରିବାର ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଚିକିତ୍ସା ସୁବିଧା ପାଇଛନ୍ତି। ଏହି ସବୁ ଯୋଜନା ଜାତି ରାଜନୀତିଠାରୁ ଉପରକୁ ଉଠି ‘ଲାଭାର୍ଥୀ ରାଜନୀତି’ର ଏକ ନୂଆ ଧାରା ସୃଷ୍ଟି କରିଛି। ବିଜେପି ଲଗାତାର ଏହି ସନ୍ଦେଶ ଦେଇଆସୁଛି ଯେ, ତା’ର ସମ୍ପର୍କ ଭୋଟରଙ୍କ ସହ ଜାତି ଆଧାରରେ ନୁହେଁ, ବରଂ ଲାଭାର୍ଥୀ ଭାବେ।
କେବଳ ଯୋଜନା ନୁହେଁ, ସମ୍ମାନର ରାଜନୀତି ମଧ୍ୟ
ବିଜେପି ବୁଝିଥିଲା ଯେ କେବଳ ସରକାରୀ ଯୋଜନା ଯଥେଷ୍ଟ ନୁହେଁ। ସେଥିପାଇଁ ଦଳ ଦଳିତ ମହାପୁରୁଷ ଓ ସନ୍ଥମାନଙ୍କୁ କେନ୍ଦ୍ର କରି ମଧ୍ୟ ଲଗାତାର କାର୍ୟ୍ୟକ୍ରମ କରିଆସୁଛି। ଡଃ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ସହ ଜଡ଼ିତ କାର୍ୟ୍ୟକ୍ରମ, ସନ୍ଥ ରବିଦାସ ଜୟନ୍ତୀ, ସମ୍ବିଧାନ ଦିବସ ପାଳନ ଭଳି ଆୟୋଜନକୁ ବିଜେପି ନିଜର ରାଜନୈତିକ ବାର୍ତ୍ତାର ଅଂଶ କରିଛି। ସରକାର ଆମ୍ବେଦକରଙ୍କ ସହ ସମ୍ପୃକ୍ତ ସ୍ଥାନଗୁଡ଼ିକର ବିକାଶ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଛି। ସଂଗଠନ ସ୍ତରରେ ଅନୁସୂଚିତ ଜାତି ସମ୍ମିଳନୀ, ସମରସତା ସହଭୋଜ ଏବଂ ଦଳିତ ସମ୍ପର୍କ ଅଭିଯାନ ଭଳି କାର୍ୟ୍ୟକ୍ରମ ଚଳାଯାଇଛି। ଅର୍ଥାତ୍, ବିଜେପି ଦଳିତ ଭୋଟରଙ୍କ ସହ ଉଭୟ ଭାବନାତ୍ମକ ଓ ରାଜନୈତିକ ସମ୍ପର୍କକୁ ସୁଦୃଢ଼ କରିବାକୁ ଲଗାତାର ପ୍ରୟାସ କରିଆସୁଛି।
ବିଏସପିର ଦୁର୍ବଳତାରୁ କିଏ ଫାଇଦା ପାଇବ?
ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଏହି ପ୍ରଶ୍ନ ଉଠିଥାଏ ଯେ, ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି) ଆଉ ପୂର୍ବଭଳି ଶକ୍ତିଶାଳୀ ଦେଖାଯାଉନାହିଁ। କିନ୍ତୁ ଏହାର ଅର୍ଥ ଏନୁହେଁ ଯେ ତାଙ୍କର ସମସ୍ତ ଭୋଟ୍ ବ୍ୟାଙ୍କ ଅନ୍ୟ କୌଣସି ଦଳ ପାଖକୁ ଚାଲିଯିବ।
ଦଳିତ ସମାଜ ଏକରୂପ ନୁହେଁ। ଜାଟବ, ପାସୀ, ବାଲ୍ମୀକି, କୋରୀ, ଧୋବୀ, ଖଟିକ ପରି ଅନେକ ଉପଜାତି ରହିଛନ୍ତି ଏବଂ ପ୍ରତ୍ୟେକ ସମୁଦାୟର ରାଜନୈତିକ ବ୍ୟବହାର ଭିନ୍ନ ହୋଇପାରେ। କେତେକ ଅଞ୍ଚଳରେ ବିଏସପି ଏବେ ମଧ୍ୟ ପ୍ରଭାବ ରଖିଛି, ଆଉ ଅନେକ ସ୍ଥାନରେ ବିଜେପି ଶକ୍ତିଶାଳୀ। କେତେକ ଅଞ୍ଚଳରେ କଂଗ୍ରେସ ମଧ୍ୟ ନିଜର ଜନାଧାର ଫେରାଇ ଆଣିବାକୁ ଚେଷ୍ଟା କରୁଛି। ଅର୍ଥାତ୍, ଦଳିତ ଭୋଟ୍ ଆଉ ପୂର୍ବଭଳି ଗୋଟିଏ ଦଳକୁ ଏକାଥରେ ଯାଉନାହିଁ।
କେବଳ ଜାତି ଗଣିତ ପର୍ୟ୍ୟାପ୍ତ କି?
ଉତ୍ତର ପ୍ରଦେଶ ରାଜନୀତିରେ ଜାତିର ଗୁରୁତ୍ୱ କେବେ କମିବ ନାହିଁ। କିନ୍ତୁ ବର୍ତ୍ତମାନ କେବଳ ଜାତିଗତ ସମୀକରଣ ନିର୍ବାଚନ ଜିତାଇ ପାରେନାହିଁ। ଆଜିର ଭୋଟର ଏହା ମଧ୍ୟ ଦେଖୁଛନ୍ତି ଯେ, ତାଙ୍କ ଘରକୁ କେଉଁ ସରକାରୀ ଯୋଜନା ପହଞ୍ଚିଛି, ରାସ୍ତା ହୋଇଛି କି ନାହିଁ, ଆଇନଶୃଙ୍ଖଳାର ସ୍ଥିତି କେମିତି, ସ୍ଥାନୀୟ ବିଧାୟକଙ୍କ କାର୍ୟ୍ୟଦକ୍ଷତା କେମିତି ଏବଂ ସରକାର ପାଞ୍ଚ ବର୍ଷରେ କ’ଣ କାମ କରିଛି। ସେଥିପାଇଁ ପ୍ରତ୍ୟେକ ନିର୍ବାଚନରେ ଜାତି ସହ ବିକାଶ, ନେତୃତ୍ୱ ଓ କଲ୍ୟାଣକାରୀ ଯୋଜନା ମଧ୍ୟ ନିର୍ଣ୍ଣାୟକ ଭୂମିକା ନିଭାଉଛି।
ଶେଷରେ, ‘୩୨-୨୧ ଫର୍ମୁଲା’ କେତେ ଶକ୍ତିଶାଳୀ?
କାଗଜରେ ଦେଖିଲେ ‘୩୨-୨୧ ଫର୍ମୁଲା’ ବେଶ୍ ଶକ୍ତିଶାଳୀ ଲାଗୁଛି। ଗୋଟିଏ ପଟେ ସମାଜବାଦୀ ପାର୍ଟିର ମଜବୁତ ଭୋଟ୍ ଆଧାର ଏବଂ ଅନ୍ୟପଟେ ଦଳିତ ଭୋଟର ବଡ଼ ଅଂଶ। କିନ୍ତୁ ରାଜନୀତିରେ କେବଳ ଭୋଟ୍ ଯୋଡ଼ିଦେଲେ ସଫଳତା ମିଳେନାହିଁ, ଲୋକଙ୍କର ବିଶ୍ୱାସ ଜିତିବାକୁ ପଡ଼େ। କଂଗ୍ରେସକୁ ପ୍ରଥମେ ପ୍ରମାଣ କରିବାକୁ ପଡ଼ିବ ଯେ ସେ ପୁଣିଥରେ ଦଳିତଙ୍କ ସ୍ୱାଭାବିକ ରାଜନୈତିକ ପସନ୍ଦ ହୋଇପାରିବ। ସେହିପରି ସମାଜବାଦୀ ପାର୍ଟିକୁ ମଧ୍ୟ ଏହି ଭରସା ଦେବାକୁ ପଡ଼ିବ ଯେ ତା’ର ରାଜନୀତି କେବଳ ଯାଦବ ସମ୍ପ୍ରଦାୟରେ ସୀମିତ ନୁହେଁ। ଏହା ସହ ଉଭୟ ଦଳକୁ ମିଶି ବିଜେପିର ସେହି ମଜବୁତ ପକଡ଼କୁ ଦୁର୍ବଳ କରିବାକୁ ହେବ, ଯାହାକି ଗତ ଦଶ ବର୍ଷ ଧରି କଲ୍ୟାଣକାରୀ ଯୋଜନା, ସଂଗଠନ ଓ ସାମାଜିକ ପହଞ୍ଚ ମାଧ୍ୟମରେ ଗଢ଼ି ଉଠିଛି। ଏହା ହିଁ ‘୩୨-୨୧ ଫର୍ମୁଲା’ର ସବୁଠାରୁ ବଡ଼ ପରୀକ୍ଷା।

