ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୧୭,୪୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଓ ସେନା, ୧୪୦ଟି ହେଲିକପ୍ଟର ଏବଂ ୪ଟି ସାମରିକ C-130 ଏୟାର ଟ୍ୟାଙ୍କର ନିୟୋଜିତ ହୋଇଛନ୍ତି । ଏହି ବର୍ଷ ଏପର୍ଯ୍ୟନ୍ତ ପ୍ରାୟ ୩୭.୨ ଲକ୍ଷ ଏକର ଜମି ଜଙ୍ଗଲ ନିଆଁରେ ପୋଡ଼ିଯାଇଛି। ଗତବର୍ଷ ତୁଳନାରେ ଏହା ୧୦ ଲକ୍ଷ ଏକରରୁ ଅଧିକ ।
ଆମେରିକା ଏବେ ଏକା ସହିତ ତିନୋଟି ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ଟେକ୍ସାସରେ ଲଗାତାର ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିବାବେଳେ, ୧୫ଟି ରାଜ୍ୟରେ ଜଙ୍ଗଲ ନିଆଁ ବେକାବୁ ହୋଇପଡ଼ିଛି । ସେହିପରି କାନାଡାର ଜଙ୍ଗଲ ନିଆଁରୁ ଉଠୁଥିବା ଧୂଆଁ ଆମେରିକାର ଅନେକ ଅଞ୍ଚଳକୁ ଢାଙ୍କି ଦେଇଛି । ଏହି ତିନୋଟି ବିପର୍ଯ୍ୟୟ ଯୋଗୁଁ ୧୦ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଆମେରିକାର ନ୍ୟାସନାଲ ଇଣ୍ଟରଏଜେନ୍ସି ଫାୟାର ସେଣ୍ଟର (NIFC)ଅନୁସାରେ, ଦେଶର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ୬୮ଟି ବଡ଼ ଜଙ୍ଗଲ ନିଆଁ ଜଳୁଛି । କେବଳ ପ୍ୟାସିଫିକ ନର୍ଥୱେଷ୍ଟ ଅଞ୍ଚଳରେ ବିଜୁଳି ପଡ଼ିବା ପରେ ୧୭ଟି ନୂଆ ନିଆଁ ଲାଗିଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୧୭,୪୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଓ ସେନା, ୧୪୦ଟି ହେଲିକପ୍ଟର ଏବଂ ୪ଟି ସାମରିକ C-130 ଏୟାର ଟ୍ୟାଙ୍କର ନିୟୋଜିତ ହୋଇଛନ୍ତି । ଏହି ବର୍ଷ ଏପର୍ଯ୍ୟନ୍ତ ପ୍ରାୟ ୩୭.୨ ଲକ୍ଷ ଏକର ଜମି ଜଙ୍ଗଲ ନିଆଁରେ ପୋଡ଼ିଯାଇଛି। ଗତବର୍ଷ ତୁଳନାରେ ଏହା ୧୦ ଲକ୍ଷ ଏକରରୁ ଅଧିକ ।
ଅନ୍ୟପଟେ ଟେକ୍ସାସର ହିଲ୍ କଣ୍ଟ୍ରି ଅଞ୍ଚଳରେ ମଙ୍ଗଳବାରଠାରୁ କେତେକ ସ୍ଥାନରେ ୨୭ ଇଞ୍ଚରୁ ଅଧିକ ବର୍ଷା ହୋଇଛି। ଏହି ବନ୍ୟାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ଶତାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି। ପ୍ରଶାସନ କହିଛି, ବର୍ଷା କମିଥିଲେ ମଧ୍ୟ ନଦୀର ଜଳସ୍ତର ଆହୁରି ବଢ଼ିପାରେ। ଏପଟେ କାନାଡାର ଜଙ୍ଗଲ ନିଆଁରୁ ବାହାରୁଥିବା ଧୂଆଁ ଆମେରିକାର ମିଡୱେଷ୍ଟ, ନର୍ଥଇଷ୍ଟ ଓ ୱାଶିଂଟନ ଡି.ସି. ପର୍ଯ୍ୟନ୍ତ ବ୍ୟାପିଯାଇଛି। ଏହା ଫଳରେ ୧୦ କୋଟିରୁ ଅଧିକ ଲୋକ ଏୟାର କ୍ୱାଲିଟି ଆଲର୍ଟ ଅଧୀନରେ ରହିଛନ୍ତି। ଶିକାଗୋର ବାୟୁ ଗୁଣବତ୍ତା ବିଶ୍ୱର ଦ୍ୱିତୀୟ ସବୁଠାରୁ ପ୍ରଦୂଷିତ ବୋଲି ରେକର୍ଡ ହେବା ପରେ ସେଠାର କେତେକ ପାର୍କ ଓ ସମୁଦ୍ରତଟକୁ ସାମୟିକ ଭାବେ ବନ୍ଦ କରାଯାଇଛି।
ଜଳବାୟୁ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହି ତିନୋଟି ବିପର୍ଯ୍ୟର ପଛରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ କାରଣ । ବଢୁଥିବା ବିଶ୍ୱ ତାପମାତ୍ରା ଯୋଗୁଁ ଗୋଟେ ପଟେ ମରୁଡି ଏ ଜଙ୍ଗଲ ନିଆଁ ବଢ଼ୁଥିବା ବେଳେ, ଅନ୍ୟପଟେ ଅଧିକ ବର୍ଷା ହେବାରୁ ବନ୍ୟା ଭଳି ଘଟଣା ମଧ୍ୟ ବାରମ୍ବାର ଦେଖାଯାଉଛି । ବିଶେଷଜ୍ଞମାନଙ୍କ କହିଛନ୍ତି ଯେ, ଏଭଳି ପରିସ୍ଥିତି ଜାରି ରହିଲେ ଆଗାମୀ ଦିନରେ ଏପରି ଏକାସଙ୍ଗେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆହୁରି ବଢ଼ିପାରେ ।

