ବିଶେଷକରି ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ଏବଂ ଭାରତରେ ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ନଜରରେ ରଖି ଆଧାରର ବ୍ୟବହାର ବଢ଼ାଇବା ନେଇ ବିଚାର କରାଯାଉଛି।
ଭାରତରେ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା ଆଧାର ବ୍ୟବସ୍ଥାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଭାରତୀୟ ବିଶିଷ୍ଟ ପରିଚୟପତ୍ର ପ୍ରାଧିକରଣ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ଏବଂ ଭାରତରେ ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ନଜରରେ ରଖି ଆଧାରର ବ୍ୟବହାର ବଢ଼ାଇବା ନେଇ ବିଚାର କରାଯାଉଛି।
ଏକ କାର୍ଯ୍ୟକ୍ରମରେ ଯୋଗଦେଇ ୟୁଆଇଡିଏଆଇର ସିଇଓ ସୌରଭ ବିଜୟ କହିଛନ୍ତି ଯେ ଆଧାରକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ କାମ ଆରମ୍ଭ ହୋଇଛି। ଏହାକୁ କିପରି ବିଦେଶରେ ବ୍ୟବହାରଯୋଗ୍ୟ କରାଯାଇପାରିବ, ସେନେଇ ବିଚାରବିମର୍ଶ ଚାଲିଛି। ଏଥିସହ ଏହାର ଆଇନଗତ ଦିଗ ଉପରେ ମଧ୍ୟ ଆଲୋଚନା କରାଯାଉଛି।
ବିଦେଶରେ ରହୁଥିବା ଭାରତୀୟ ନାଗରିକମାନେ ଯେପରି ଆଧାର ସେବାର ଲାଭ ନେଇପାରିବେ, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ନେଇ ଯୋଜନା ହେଉଛି। ଅନ୍ୟପକ୍ଷରେ, ଆର୍ଥିକ କାରବାରରେ ଆଧାର ପ୍ରମାଣୀକରଣକୁ ଅଧିକ ସହଜ ଏବଂ ବ୍ୟାପକ କରିବା ପାଇଁ ୟୁଆଇଡିଏଆଇ, ନ୍ୟାସନାଲ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ ସହ ମିଶି କାମ କରୁଛି।
ଆଧାର ଆଧାରିତ ପ୍ରମାଣୀକରଣ ମାଧ୍ୟମରେ ଡିଜିଟାଲ୍ କେଓ୍ୱାଇସି ପ୍ରକ୍ରିୟା ସହଜ ହୋଇଛି। ଫଳରେ ନୂଆ ଗ୍ରାହକଙ୍କୁ ସାମିଲ କରିବାରେ ଲାଗୁଥିବା ସମୟ କମାଇବା ଦିଗରେ ୟୁଆଇଡିଏଆଇ ପଦକ୍ଷେପ ନେଉଛି। ଏହାସହ ଆଧାର ଲାଇଟ୍ ଭଳି ନୂଆ ଉତ୍ପାଦ ଆଣିବା ନେଇ ମଧ୍ୟ ଯୋଜନା ରହିଥିବା ଜଣାପଡ଼ିଛି।

