UNSCରେ ଭାରତର ଜବାବ: ଗୁମ୍ଫାରେ ନୁହେଁ, ଆବୋଟାବାଦରେ ଥିଲା ଲାଡେନ୍‌

ହରିଶ ଓସାମା ବିନ୍ ଲାଡେନ୍‌ଙ୍କ ଉଦାହରଣ ଦେଇ କହିଥିଲେ, ୯/୧୧ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲାଡେନ୍‌ ଆଫଗାନିସ୍ତାନର କୌଣସି ଗୁମ୍ଫାରେ ନୁହେଁ, ପାକିସ୍ତାନର ଆବୋଟାବାଦର ଏକ ସୁରକ୍ଷିତ ଓ ଜନବହୁଳ ଅଞ୍ଚଳରେ ଥିଲେ।

ଆଫଗାନିସ୍ତାନର ପରିସ୍ଥିତି ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଆଲୋଚନା ବେଳେ ଭାରତ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ମିଳୁଥିବା ଆଶ୍ରୟ ପ୍ରସଙ୍ଗ ଉଠାଇଛି । ୧୬ ସେପ୍ଟେମ୍ବରର UNSC ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନୀ ହରିଶ ୯/୧୧ ଆକ୍ରମଣର ଉଦାହରଣ ଦେଇ କହିଥିଲେ ଯେ, ଆଲ୍‌କାଏଦାର ପ୍ରମୁଖ ନେତାମାନେ କୌଣସି ଦୁର୍ଗମ ଗୁମ୍ଫା କିମ୍ବା ଜନଶୂନ୍ୟ ଅଞ୍ଚଳରେ ଲୁଚି ରହିନଥିଲେ । ସେମାନେ ଜନବସତିପୂର୍ଣ୍ଣ ଅଞ୍ଚଳରେ ଆଶ୍ରୟ ନେଇଥିଲେ ।

ହରିଶ ଓସାମା ବିନ୍ ଲାଡେନ୍‌ଙ୍କ ଉଦାହରଣ ଦେଇ କହିଥିଲେ, ୯/୧୧ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲାଡେନ୍‌ ଆଫଗାନିସ୍ତାନର କୌଣସି ଗୁମ୍ଫାରେ ନୁହେଁ, ପାକିସ୍ତାନର ଆବୋଟାବାଦର ଏକ ସୁରକ୍ଷିତ ଓ ଜନବହୁଳ ଅଞ୍ଚଳରେ ଥିଲେ। ୨୦୧୧ରେ ଆମେରିକାର ‘ଅପରେସନ୍‌ ନେପଚ୍ୟୁନ୍‌ ସ୍ପିଅର୍‌’ରେ ତାଙ୍କୁ ହତ୍ୟା କରାଯାଇଥିଲା । ସେହିପରି ୯/୧୧ ଆକ୍ରମଣର ପ୍ରମୁଖ ଯୋଜନାକାରୀ ଖାଲିଦ ଶେଖ୍‌ ମହମ୍ମଦ ମଧ୍ୟ ପାକିସ୍ତାନର ଏକ ସାଧାରଣ ଆବାସିକ ଘରେ ଲୁଚିଥିବା ବେଳେ ଧରାପଡ଼ିଥିଲେ। ଏହି ଉଦାହରଣ ଦେଇ ଭାରତ ଆତଙ୍କବାଦୀ ସଂଗଠନଗୁଡ଼ିକୁ ମିଳୁଥିବା ଆଶ୍ରୟ ଓ ସହାୟତାର ପରିବେଶ ଉପରେ ଆନ୍ତର୍ଜାତିକ ସମୁଦାୟର ଧ୍ୟାନ ଆକର୍ଷଣ କରିଛି ।

ହରିଶ କହିଥିଲେ, ୯/୧୧ ପରେ ଆତଙ୍କବାଦ ବିରୋଧରେ ବିଶ୍ୱସ୍ତରୀୟ ଅଭିଯାନ ଚାଲିଥିଲେ ମଧ୍ୟ ଆତଙ୍କବାଦୀ ନେଟୱର୍କ ପାଇଁ ଅନୁକୂଳ ପରିବେଶର ଅବସାନ ହୋଇନାହିଁ। ତାଙ୍କ ବକ୍ତବ୍ୟରେ ଲସ୍କର-ଏ-ତୋଏବା ଓ ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର ନାଁ ମଧ୍ୟ ଉଲ୍ଲେଖ ହୋଇଥିଲା। ଭାରତ ଆନ୍ତର୍ଜାତିକ ସମୁଦାୟକୁ ଏଭଳି ଆତଙ୍କବାଦୀ ଆଶ୍ରୟସ୍ଥଳ ଓ ସହାୟତା ବ୍ୟବସ୍ଥା ବିରୋଧରେ ଏକାଠି ହେବାକୁ ଆହ୍ୱାନ କରିଛି।

ଆଫଗାନିସ୍ତାନ ପ୍ରସଙ୍ଗରେ ଭାରତ ନିଜର ମାନବୀୟ ସହାୟତା ଓ ବିକାଶମୂଳକ ପଦକ୍ଷେପର ମଧ୍ୟ ଉଲ୍ଲେଖ କରିଛି। ଭାରତର କହିବା ଅନୁସାରେ, ଆଫଗାନ ଲୋକଙ୍କ ପାଇଁ ମାନବୀୟ ସହାୟତା ଜାରି ରହିଛି ଏବଂ ଦେଶର ସ୍ଥିରତା ଓ ବିକାଶ ପାଇଁ ଆନ୍ତର୍ଜାତିକ ସହଯୋଗ ଆବଶ୍ୟକ । ଏହା ସହ ଆଫଗାନ ନାଗରିକଙ୍କ ବଳପୂର୍ବକ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ମଧ୍ୟ ଭାରତ ଉଠାଇଛି। ଭାରତର ମତ ହେଉଛି, ଆଫଗାନମାନଙ୍କ ପ୍ରତ୍ୟାବର୍ତ୍ତନ ସ୍ୱେଚ୍ଛାକୃତ, ନିରାପଦ ଓ ସମ୍ମାନଜନକ ହେବା ଆବଶ୍ୟକ ।  

Leave a Reply

Your email address will not be published. Required fields are marked *