SBI କ୍ରେଡିଟ୍ କାର୍ଡ ଥିଲେ ସାବଧାନ: ଡିସେମ୍ବର ୧ରୁ ବଦଳିବ ନିୟମ, ଦେବାକୁ ପଡ଼ିବ ଅଧିକ ଟଙ୍କା

ଡିସେମ୍ବର ୧ରୁ ଲାଗୁ ହେବାକୁ ଥିବା ଏହି ନିୟମ ପରେ କାର୍ଡଧାରୀଙ୍କୁ ନିଜ ଖର୍ଚ୍ଚ ଉପରେ ନଜର ରଖିବାକୁ ହେବ । ଟ୍ରାନ୍ସପୋର୍ଟେସନ୍ ଓ ଫ୍ୟୁଏଲ୍ ପେମେଣ୍ଟର ନିୟମ ଭିନ୍ନ ଥିବାରୁ ବିଲିଂ ଷ୍ଟେଟମେଣ୍ଟ ଯାଞ୍ଚ କରିବା ଜରୁରୀ ।

 ଦେଶର SBI କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର । ଏଣିକି କ୍ରେଡିଟ୍ କାର୍ଡରେ ଅଧିକ ଟଙ୍କାର ଟ୍ରାନ୍ସପୋର୍ଟେସନ୍ ଏବଂ ଫ୍ୟୁଏଲ୍ ପେମେଣ୍ଟ କଲେ ଦେବାକୁ ପଡ଼ିବ ଅତିରିକ୍ତ ଶୁଳ୍କ । ଆସନ୍ତା ଡିସେମ୍ବର ୧, ୨୦୨୬ରୁ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛି SBI କାର୍ଡ । କମ୍ପାନୀର ୱେବସାଇଟ୍‌ରେ ଅକ୍ଟୋବର ୨୭ ତାରିଖରେ ଜାରି ହୋଇଥିବା ନୋଟିସ୍ ଅନୁସାରେ, ନୂଆ ଫି’ ଷ୍ଟ୍ରକଚର ଦୁଇଟି କ୍ଷେତ୍ରରେ ଲାଗୁ ହେବ । ତେଣୁ ଯେଉଁମାନେ କ୍ରେଡିଟ୍ କାର୍ଡରେ ଅଧିକ ଫ୍ୟୁଏଲ୍ କିମ୍ବା ଟ୍ରାନ୍ସପୋର୍ଟେସନ୍ ପେମେଣ୍ଟ କରୁଛନ୍ତି, ସେମାନଙ୍କୁ ଏଣିକି ସତର୍କ ରହିବାକୁ ପଡ଼ିବ ।

ନୂଆ ନିୟମ ଅନୁସାରେ, ଗୋଟିଏ ଟ୍ରାନ୍ସପୋର୍ଟେସନ୍ ଟ୍ରାଞ୍ଜାକ୍ସନ୍‌ର ମୂଲ୍ୟ ୩୦ ହଜାର ଟଙ୍କାରୁ ଅଧିକ ହେଲେ ସେଥିରେ ୧ ପ୍ରତିଶତ ଅତିରିକ୍ତ ଫି’ ଦେବାକୁ ପଡ଼ିବ । MCC 4111, 4784 ଏବଂ 4131 ଅଧୀନରେ ଥିବା ଯୋଗ୍ୟ ଟ୍ରାନ୍ସପୋର୍ଟେସନ୍ ପେମେଣ୍ଟ ଉପରେ ଏହି ଚାର୍ଜ ଲାଗୁ ହେବ । ଉଦାହରଣ ସ୍ୱରୂପ, ଯଦି କେହି ୩୫ ହଜାର ଟଙ୍କାର ପେମେଣ୍ଟ କରନ୍ତି, ତେବେ ତାଙ୍କୁ ଅତିରିକ୍ତ ୩୫୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ୫୦ ହଜାର ଟଙ୍କାର ପେମେଣ୍ଟରେ ୫୦୦ ଟଙ୍କା ଅଧିକ ଚାର୍ଜ ଲାଗିବ । ଏହି ଶୁଳ୍କ ପ୍ରତ୍ୟେକ ଯୋଗ୍ୟ ଟ୍ରାଞ୍ଜାକ୍ସନ୍ ଉପରେ ଲାଗୁ ହେବ ।

କେବଳ ଟ୍ରାନ୍ସପୋର୍ଟେସନ୍ ନୁହେଁ, ଫ୍ୟୁଏଲ୍ ପେମେଣ୍ଟ ଉପରେ ମଧ୍ୟ ନୂଆ ଚାର୍ଜ ଲାଗୁ ହେବ । ଗୋଟିଏ ବିଲିଂ ସାଇକେଲ୍‌ରେ ସମସ୍ତ ଯୋଗ୍ୟ ଫ୍ୟୁଏଲ୍ ଟ୍ରାଞ୍ଜାକ୍ସନ୍‌ର ମୋଟ ମୂଲ୍ୟ ୫୦ ହଜାର ଟଙ୍କା ଅତିକ୍ରମ କଲେ, ସମ୍ପୂର୍ଣ୍ଣ ଫ୍ୟୁଏଲ୍ ଖର୍ଚ୍ଚ ଉପରେ ୧ ପ୍ରତିଶତ ଫି’ ଲାଗିବ । ଅର୍ଥାତ୍ କେବଳ ୫୦ ହଜାରରୁ ଅଧିକ ଟଙ୍କା ଉପରେ ନୁହେଁ, ବରଂ ମୋଟ ଖର୍ଚ୍ଚ ଉପରେ ଚାର୍ଜ ହିସାବ କରାଯିବ । ଯଦି ଜଣେ କାର୍ଡଧାରୀ ଗୋଟିଏ ବିଲିଂ ସାଇକେଲ୍‌ରେ ୫୫ ହଜାର ଟଙ୍କାର ଫ୍ୟୁଏଲ୍ କିଣନ୍ତି, ତେବେ ତାଙ୍କୁ ୫୫୦ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ ।

ଡିସେମ୍ବର ୧ରୁ ଲାଗୁ ହେବାକୁ ଥିବା ଏହି ନିୟମ ପରେ କାର୍ଡଧାରୀଙ୍କୁ ନିଜ ଖର୍ଚ୍ଚ ଉପରେ ନଜର ରଖିବାକୁ ହେବ। ଟ୍ରାନ୍ସପୋର୍ଟେସନ୍ ଓ ଫ୍ୟୁଏଲ୍ ପେମେଣ୍ଟର ନିୟମ ଭିନ୍ନ ଥିବାରୁ ବିଲିଂ ଷ୍ଟେଟମେଣ୍ଟ ଯାଞ୍ଚ କରିବା ଜରୁରୀ । ବିଶେଷକରି ଅଧିକ ଟଙ୍କାର ପେମେଣ୍ଟ କରୁଥିବା SBI କ୍ରେଡିଟ୍ କାର୍ଡଧାରୀ ଏହି ପରିବର୍ତ୍ତନ ପ୍ରତି ସତର୍କ ରହିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *