ଭାରତୀୟ ରେଳବାଇର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ନୂଆ ଟ୍ରେନ୍, ଅତ୍ୟାଧୁନିକ ରେଳ ଷ୍ଟେସନ୍ ଏବଂ ଉନ୍ନତ ରେଳ ଭିତ୍ତିଭୂମି ମାଧ୍ୟମରେ ରେଳ ଯାତ୍ରାର ଚିତ୍ର ବଦଳୁଛି
ଭାରତୀୟ ରେଳବାଇର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ନୂଆ ଟ୍ରେନ୍, ଅତ୍ୟାଧୁନିକ ରେଳ ଷ୍ଟେସନ୍ ଏବଂ ଉନ୍ନତ ରେଳ ଭିତ୍ତିଭୂମି ମାଧ୍ୟମରେ ରେଳ ଯାତ୍ରାର ଚିତ୍ର ବଦଳୁଛି। ତେବେ ଏହି ପରିବର୍ତ୍ତନର ପ୍ରକୃତ ଲାଭ ସାଧାରଣ ଯାତ୍ରୀଙ୍କୁ କେତେ ମିଳୁଛି, ତାହା ଏବେ ବଡ଼ ପ୍ରଶ୍ନ।
୧,୩୩୭ ରେଳ ଷ୍ଟେସନର ନବୀକରଣ ଯୋଜନା
ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ୨୦୨୫ ଡିସେମ୍ବର ସୁଦ୍ଧା ଦେଶର ୧,୩୩୭ଟି ଷ୍ଟେସନକୁ ନବୀକରଣ ପାଇଁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୧୫୫ଟି ଷ୍ଟେସନର କାର୍ଯ୍ୟ ଶେଷ ହୋଇଥିଲା । ଏହି ଯୋଜନାରେ ଯାତ୍ରୀଙ୍କ ପାଇଁ ଉନ୍ନତ ଅପେକ୍ଷାଳୟ, ଶୌଚାଳୟ, ପାନୀୟ ଜଳ, ବସିବା ବ୍ୟବସ୍ଥା, ଲିଫ୍ଟ, ଏସ୍କାଲେଟର ଏବଂ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି।
ବନ୍ଦେ ଭାରତ ଟ୍ରେନ୍ ପ୍ରତି ବଢ଼ୁଛି ଚାହିଦା
ଆଧୁନିକ ରେଳ ଯାତ୍ରାର ପ୍ରମୁଖ ପ୍ରତୀକ ପାଲଟିଛି ବନ୍ଦେ ଭାରତ ଏକ୍ସପ୍ରେସ୍। ରେଳ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରାୟ ୩.୯୮ କୋଟି ଯାତ୍ରୀ ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିଥିଲେ । ୨୦୨୪-୨୫ରେ ଏହି ସଂଖ୍ୟା ୨.୯୭ କୋଟି ଥିଲା। ଅର୍ଥାତ୍ ଯାତ୍ରୀ ସଂଖ୍ୟାରେ ପ୍ରାୟ ୩୪ ପ୍ରତିଶତ ବୃଦ୍ଧି ହୋଇଛି। ଏହା ସହିତ ୨୦୨୬ ଜାନୁଆରୀରେ ବନ୍ଦେ ଭାରତ ସ୍ଲିପର୍ ସେବା ଆରମ୍ଭ ହୋଇଥିଲା। ପ୍ରଥମ ତିନି ମାସରେ ଏହି ଟ୍ରେନରେ ୧.୨୧ ଲକ୍ଷ ଯାତ୍ରୀ ଯାତ୍ରା କରିଥିବା ରିପୋର୍ଟରେ କୁହାଯାଇଛି ।
ମୌଳିକ ସୁବିଧାରେ ଏବେ ବି ରହିଛି ଅଭାବ
ରେଳବାଇର ଆଧୁନିକୀକରଣ ସତ୍ତ୍ୱେ ଯାତ୍ରୀଙ୍କ ମୌଳିକ ସୁବିଧାକୁ ନେଇ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଅନେକ ଟ୍ରେନ ବିଳମ୍ଭରେ ଚାଲୁଛି। ରେଳ ମନ୍ତ୍ରଣାଳୟ ଅନୁସାରେ, ୨୦୨୩-୨୪ରେ ଟ୍ରେନ୍ର ସମୟାନୁବର୍ତ୍ତିତା ହାର ୭୩.୬୨ ପ୍ରତିଶତ ଥିବାବେଳେ ୨୦୨୪-୨୫ରେ ଏହା ୭୭.୧୨ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୨୦୨୫-୨୬ରେ ଫେବୃଆରୀ ପର୍ଯ୍ୟନ୍ତ ଏହା ୭୭.୨୪ ପ୍ରତିଶତ ରହିଥିଲା।ଚାକିରିଆ, ଛାତ୍ରଛାତ୍ରୀ ଏହି ସମସ୍ୟାରେ ନିତି କଷ୍ଟ ପାଉଛନ୍ତି । ସିଏଜି (CAG)ର ୨୦୨୬ ମସିହାର ଅଡିଟ୍ ରିପୋର୍ଟ ଅନୁସାରେ, ଯାଞ୍ଚ କରାଯାଇଥିବା ୫୧୨ଟି ରେଳ ଷ୍ଟେସନ ମଧ୍ୟରୁ ୪୫୮ଟିରେ ମୌଳିକ ଯାତ୍ରୀ ସୁବିଧାର କିଛି ନା କିଛି ଅଭାବ ରହିଛି।
ଟ୍ରେନ୍ ଭିତରେ ପରିମଳ ବ୍ୟବସ୍ଥାକୁ ନେଇ ଅସନ୍ତୋଷ
ଟ୍ରେନ ଯାତ୍ରାବେଳେ ଅନେକ କିଛି ଦୂରଗାମୀ ଟ୍ରେନ୍ଗୁଡ଼ିକରେ ଶୌଚାଳୟର ପରିଷ୍କାର ପରିଚ୍ଛନ୍ନତା ଏବଂ ହାଉସକିପିଂ ବ୍ୟବସ୍ଥାକୁ ନେଇ ମଧ୍ୟ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସିଏଜିର ଅଡିଟ୍ ଅନୁସାରେ, ସର୍ଭେରେ ସାମିଲ ହୋଇଥିବା ୪୦ ପ୍ରତିଶତରୁ ଅଧିକ ଯାତ୍ରୀ ଟ୍ରେନ୍ର ଶୌଚାଳୟ ପରିଷ୍କାର ନଥିବା ନେଇ ଅସନ୍ତୋଷ ଜଣାଇଥିଲେ। ଅନ୍ୟପଟେ ୩୬୬ ଜଣ ଯାତ୍ରୀ ଶୌଚାଳୟ ଓ ୱାଶବେସିନ୍ରେ ପାଣି ଅଭାବ ଥିବା କହିଥିଲେ। ଟ୍ରେନ୍ ବିଳମ୍ବର କାରଣ ଭାବେ କୁହୁଡ଼ି, ରେଳ ଲାଇନ୍ର କ୍ଷମତା, ରକ୍ଷଣାବେକ୍ଷଣ, ସିଗନାଲ୍ ସମସ୍ୟା ଓ ଅନ୍ୟାନ୍ୟ କାରଣକୁ ଦର୍ଶାଯାଇଛି। ଏହାର ସମାଧାନ ପାଇଁ ଡେଡିକେଟେଡ୍ ଫ୍ରେଟ୍ କରିଡର୍ ଏବଂ କବଚ ଭଳି ଆଧୁନିକ ସୁରକ୍ଷା ବ୍ୟବସ୍ଥା ଉପରେ କାମ ଚାଲିଛି।
ରେଳ ଷ୍ଟେସନରେ ଭିଡ଼ ନିୟନ୍ତ୍ରଣ ବଡ଼ ଚ୍ୟାଲେଞ୍ଜ
ବଡ଼ ବଡ଼ ରେଳ ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ନିୟନ୍ତ୍ରଣ ମଧ୍ୟ ରେଳବାଇ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ୨୦୨୫ ଫେବୃଆରୀରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣାରେ ଅତି କମରେ ୧୮ ଜଣଙ୍କ ଜୀବନ ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ୨୦୨୬ ମାର୍ଚ୍ଚରେ ୭୬ଟି ଚିହ୍ନଟ ଷ୍ଟେସନରେ ସ୍ଥାୟୀ ହୋଲ୍ଡିଂ ଏରିଆ ନିର୍ମାଣ ସମେତ ଭିଡ଼ ନିୟନ୍ତ୍ରଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରାଯାଇଥିଲା।
କେବଳ ନୂଆ ଷ୍ଟେସନ୍ ନୁହେଁ, ଉନ୍ନତ ସେବା ମଧ୍ୟ ଜରୁରୀ
ରେଳବାଇର ଆଧୁନିକୀକରଣ କେବଳ ନୂଆ ଟ୍ରେନ୍ ଓ ଆକର୍ଷଣୀୟ ଷ୍ଟେସନ୍ ନିର୍ମାଣରେ ସୀମିତ ରହିବା ଉଚିତ୍ ନୁହେଁ। ଯାତ୍ରୀଙ୍କୁ ସୁରକ୍ଷିତ ପାନୀୟ ଜଳ, ପରିଷ୍କାର ଶୌଚାଳୟ, ଠିକ୍ ସମୟରେ ଟ୍ରେନ୍ ଏବଂ ଭିଡ଼ମୁକ୍ତ ପ୍ଲାଟଫର୍ମ ଯୋଗାଇବା ମଧ୍ୟ ସେତିକି ଜରୁରୀ। ସାରାଂଶରେ କହିବାକୁ ଗଲେ, ଭାରତୀୟ ରେଳବାଇରେ ଆଧୁନିକୀକରଣର ଗତି ବଢ଼ିଛି। କିନ୍ତୁ ଏହାର ପ୍ରକୃତ ସଫଳତା ସେତେବେଳେ ମିଳିବ, ଯେତେବେଳେ ଦେଶର ପ୍ରତ୍ୟେକ ସାଧାରଣ ଯାତ୍ରୀ ଉନ୍ନତ ରେଳ ସେବାର ଲାଭ ପାଇପାରିବେ।

