RSS ମୁଖ୍ୟଙ୍କ କାର୍ଯ୍ୟକ୍ରମରେ କଂଗ୍ରେସ ସାଂସଦ ଶଶୀ ଥରୁର: ରାଜନୀତିରେ ଚର୍ଚ୍ଚା, ହାଇକମାଣ୍ଡଙ୍କୁ ଅସନ୍ତୋଷର ବାର୍ତ୍ତା?

କଂଗ୍ରେସର ବରିଷ୍ଠ ସାଂସଦ ଶଶୀ ଥରୁର ମୋହନ ଭାଗବତ ଯୋଗଦେଉଥିବା ଏକ ଯୁବଛାତ୍ର ସମାବେଶରେ ଅଧ୍ୟକ୍ଷତା କରିବେ। ମୁମ୍ବାଇରେ ହେବାକୁ ଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମ RSS ଦ୍ୱାରା ଆୟୋଜିତ ନୁହେଁ ବୋଲି ଥରୁର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଇଣ୍ଡିଆ ଇଣ୍ଟରନ୍ୟାସନାଲ ମୁଭମେଣ୍ଟ ଟୁ ୟୁନାଇଟ ନେସନ ନାମକ ସ୍ୱାଧୀନ ସଂଗଠନ ପକ୍ଷରୁ ଏହା ଆୟୋଜିତ ହେଉଛି ଏବଂ ସେ ଏହାର ପରାମର୍ଶଦାତା ମଣ୍ଡଳୀର ଅଧ୍ୟକ୍ଷ ଅଛନ୍ତି। ତେବେ ଭାଗବତ ଓ ଥରୁରଙ୍କ ଏକାଠି ମଞ୍ଚରେ ଉପସ୍ଥିତିକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ଯୋଗଦେଉଥିବା ଏକ ଯୁବ-ଛାତ୍ର ସମାବେଶରେ କଂଗ୍ରେସର ବରିଷ୍ଠ ସାଂସଦ ଶଶୀ ଥରୁର ଭାଗ ନେବାକୁ ଯାଉଛନ୍ତି । ମୁମ୍ବାଇରେ ଆୟୋଜିତ ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ମୋହନ ଭାଗବତ ଯୁବ ଛାତ୍ରମାନଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଶଶୀ ଥରୁର ଏହାର ବିଭିନ୍ନ ଅଧିବେଶନରେ ଅଧ୍ୟକ୍ଷତା କରିବେ । କଂଗ୍ରେସ ନେତା ଓ ଆରଏସ୍‌ଏସ୍‌ ପ୍ରମୁଖ ଗୋଟିଏ ମଞ୍ଚରେ ନଜର ଆସିବାକୁ ନେଇ ଏବେ ଜାତୀୟ ରାଜନୀତିରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି ହୋଇଛି ।

ନିଜ ସଫେଇରେ ସାଂସଦ ଶଶୀ ଥରୁର ସ୍ପଷ୍ଟ କରିଛନ୍ତି ଯେ, ଏହି କାର୍ଯ୍ୟକ୍ରମ RSS ଦ୍ୱାରା ଆୟୋଜିତ ନୁହେଁ । ‘ଇଣ୍ଡିଆ ଇଣ୍ଟରନ୍ୟାସନାଲ ମୁଭମେଣ୍ଟ ଟୁ ୟୁନାଇଟ ନେସନ’ (IIMUN) ଦ୍ୱାରା ଆୟୋଜିତ ଏହି ସମାବେଶର ଆରମ୍ଭରୁ ସେ ଏହାର ପରାମର୍ଶଦାତା ମଣ୍ଡଳୀର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ଆୟୋଜକ ସଂଗଠନ ଏକ ସ୍ୱାଧୀନ ସଂସ୍ଥା ଏବଂ ଏଥିରେ ସମାଜର ବିଭିନ୍ନ ବର୍ଗର ପ୍ରମୁଖ ବ୍ୟକ୍ତି ଯୋଗଦେଉଛନ୍ତି । RSS ମୁଖ୍ୟଙ୍କ ଅଂଶଗ୍ରହଣରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ଶଶୀ ପରୋକ୍ଷରେ ସଫେଇ ଦେଇଛନ୍ତି ।

ଏହି ସମାବେଶରେ “ସମଗ୍ର ପୃଥିବୀକୁ ଏକାଠି କରିବାରେ ଭାରତୀୟ ଯୁବକମାନଙ୍କ ଭୂମିକା” ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ହେବ, ଯେଉଁଥିରେ ପ୍ରାୟ ୨୦୦୦ ଛାତ୍ର ଓ ଯୁବକ ଅଂଶଗ୍ରହଣ କରିବେ । ତେବେ ଦିଲ୍ଲୀ ଯନ୍ତର ମନ୍ତର ଯୁବ-ଛାତ୍ର ଆନ୍ଦୋଳନ ପରିପ୍ରେକ୍ଷୀରେ ଏହି ସମାବେଶର ଗୁରୁତ୍ୱ ବୃଦ୍ଧି ପାଇଛି, କାରଣ ଯନ୍ତର ମନ୍ତର ଆନ୍ଦୋଳନ ସମୟରେ ମୋହନ ଭାଗବତ ଯୁବକମାନଙ୍କୁ ଧୈର୍ଯ୍ୟର ସହ ଶୁଣିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଭଳି ସ୍ଥିତିରେ ସଂଗଠନର ଆରମ୍ଭରୁ ଅଧ୍ୟକ୍ଷ ଥିବା ଥରୁର ଅତିଥି ଚୟନରେ ନିଜ ଭୂମିକାକୁ ଏଡ଼ାଇ ଯାଉଥିଲେ ହେଁ ପ୍ରଶ୍ନବାଚୀ ଏଡ଼ାଇ ହେଉନାହିଁ ।

ଅନ୍ୟପକ୍ଷରେ, ବିଭିନ୍ନ ପ୍ରସଙ୍ଗରେ ଦଳୀୟ ଆଭିମୁଖ୍ୟ ଠାରୁ ଅଲଗା ବୟାନ ଦେଉଥିବା ଶଶୀ ଥରୁରଙ୍କ ଏହି ପଦକ୍ଷେପ ପଛରେ କଂଗ୍ରେସ ପ୍ରତି ତାଙ୍କର ଅସନ୍ତୋଷ ଥିବା କୁହାଯାଉଛି । କେରଳ ନିର୍ବାଚନ ପୂର୍ବରୁ ତାଙ୍କୁ ମନାଇବା ପାଇଁ କଂଗ୍ରେସ ହାଇକମାଣ୍ଡ ସାଙ୍ଗଠନିକ କିମ୍ବା ଲୋକସଭାରେ ବଡ଼ ଭୂମିକା ଦେବାର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ନିର୍ବାଚନ ସରିବାର ତିନି ମାସ ବିତିଯାଇଥିଲେ ବି ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥଇଥାନ କରାଯାଇନାହିଁ । ବୋଧହୁଏ ମୋହନ ଭାଗବତଙ୍କ ସହ ଏହି ସମାବେଶରେ ସାମିଲ ହୋଇ ଶଶୀ ଥରୁର କଂଗ୍ରେସ ହାଇକମାଣ୍ଡଙ୍କୁ ନିଜ ଅସନ୍ତୋଷର ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ।

Leave a Reply

Your email address will not be published. Required fields are marked *