ଉତ୍ତରପ୍ରଦେଶର ବରେଲିରୁ ଆସିଛି ଏକ ଚାଞ୍ଚଲ୍ୟକର ଠକେଇ ଘଟଣା । ଜଣେ ମହିଳା ନିଜକୁ IAS ଅଧିକାରୀ ବୋଲି ପରିଚୟ ଦେଇ ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଥିଲେ ।
ଉତ୍ତରପ୍ରଦେଶର ବରେଲିରୁ ଆସିଛି ଏକ ଚାଞ୍ଚଲ୍ୟକର ଠକେଇ ଘଟଣା । ଜଣେ ମହିଳା ନିଜକୁ IAS ଅଧିକାରୀ ବୋଲି ପରିଚୟ ଦେଇ ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଥିଲେ । ପରେ ଏହି ପ୍ରେମ ବିବାହରେ ପରିଣତ ହୋଇଥିଲା କିନ୍ତୁ ବିବାହ ପରେ ମହିଳାଙ୍କ ସମସ୍ତ ଦାବି ମିଥ୍ୟା ବୋଲି ସାମ୍ନାକୁ ଆସିଥିବା ସହ ସେ ଟଙ୍କା ଓ ସୁନା ଗହଣା ପାଇଁ ଚାପ ପକାଇଥିବା ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁସାରେ, ଫରିଦପୁର ଅଞ୍ଚଳର ଅଭିଷେକଙ୍କ ସହ ବଦାଉଁ ଜିଲ୍ଲାର ସାଧନାଙ୍କ ପରିଚୟ ଫେସବୁକ ଜରିଆରେ ହୋଇଥିଲା । ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ବଢ଼ିବା ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ଏବଂ ପରେ ଉଭୟ ବିବାହ କରିଥିଲେ ।
ଅଭିଷେକଙ୍କ ଅଭିଯୋଗ ଅନୁସାରେ, ବିବାହ ପୂର୍ବରୁ ସାଧନା ନିଜକୁ UPSC ପରୀକ୍ଷାରେ ସଫଳ ହୋଇଥିବା ଏବଂ ଜଣେ IAS ଅଧିକାରୀ ବୋଲି କହିଥିଲେ । ଏପରିକି ଏକ କୋର୍ଟ ମାମଲା କାରଣରୁ ତାଙ୍କ ନିଯୁକ୍ତି ଅଟକି ରହିଥିବା ଏବଂ ମାମଲାର ରାୟ ଆସିଲେ ସେ ଚାକିରିରେ ଯୋଗଦେବେ ବୋଲି ଦାବି କରିଥିଲେ । ମାତ୍ର ବିବାହ ପରେ ସାଧନାଙ୍କ ପ୍ରକୃତ ପରିଚୟ ସାମ୍ନାକୁ ଆସିଥିଲା ।
ସେ IAS ଅଧିକାରୀ ନୁହେଁ ବୋଲି ଜଣାପଡ଼ିବା ସହ ସେ ଅଭିଷେକଙ୍କ ପରିବାରଠାରୁ ୪୦ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି । ଏହାଛଡ଼ା ସେ ଲକ୍ଷାଧିକ ଟଙ୍କାର ସୁନା ଗହଣା ନିଜ ଦଖଲକୁ ନେଇଥିବା ମଧ୍ୟ ଅଭିଯୋଗ ରହିଛି । ପୀଡ଼ିତ ପରିବାରର କହିବା ଅନୁସାରେ, ଟଙ୍କା ଦେବାକୁ ମନା କରିବାରୁ ସାଧନା ଘରୋଇ ହିଂସା ଓ ହତ୍ୟା ଭଳି ମିଥ୍ୟା ମାମଲାରେ ଫସାଇଦେବାକୁ ଧମକ ଦେଇଥିଲେ । ଅଭିଯୋଗ ଆଧାରରେ ବରେଲି ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଏହି ଘଟଣା ସୋସିଆଲ ମିଡିଆରେ ପରିଚୟ ଓ ବିବାହ ପୂର୍ବରୁ ପରିଚୟପତ୍ର ଓ ତଥ୍ୟର ସତ୍ୟତା ଯାଞ୍ଚ କରିବାର ଗୁରୁତ୍ୱକୁ ପୁଣିଥରେ ସାମ୍ନାକୁ ଆଣିଛି ।

