IAF ଅଧିକାରୀଙ୍କୁ ହନିଟ୍ରାପ୍‌ରେ ଫସାଇଲେ ପାକ୍ ଏଜେଣ୍ଟ ! ସାମରିକ ତଥ୍ୟ ଲିକ୍ ଆଶଙ୍କା

ଅଧିକାରୀ ଜଣକ ସାମରିକ ୟୁନିଟ୍‌ର ଗତିବିଧି ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସୂଚନା ମହିଳାଙ୍କ ସହ ଶେୟାର କରିଥିଲେ । ଏହା ସହ କିଛି ଗୁରୁତ୍ୱପୂର୍ଣ୍ଣ ଦଲିଲ ଓ ଡିଜିଟାଲ୍ ଡାଟା ମଧ୍ୟ ପଠାଯାଇଥିବା ଅଭିଯୋଗ ହୋଇଛି ।

ପାକିସ୍ତାନୀ ଗୁପ୍ତଚର ଏଜେଣ୍ଟଙ୍କ ହନିଟ୍ରାପ୍‌ରେ ଫସିଥିବା ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ୱିଙ୍ଗ୍ କମାଣ୍ଡର ଗିରଫ ହୋଇଛନ୍ତି । ଅଧିକାରୀ ଜଣକ ସାମରିକ କାର୍ଯ୍ୟକଳାପ ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ଶେୟାର କରିଥିବା ପୋଲିସ ଅଭିଯୋଗ କରିଛି । ଭାରତୀୟ ବାୟୁସେନାର ଅଭିଯୋଗ ଆଧାରରେ ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଥିଲା । ମେ’ ୩୦ ତାରିଖରେ ଅଧିକାରୀଙ୍କୁ ଗିରଫ କରାଯାଇଥିବାବେଳେ, ଜୁଲାଇ ୩୦ରେ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ତାଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ୍‌ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଛି ।

ରିପୋର୍ଟ ଅନୁସାରେ, ସୋସିଆଲ ମିଡିଆ ଜରିଆରେ ଜଣେ ମହିଳା ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା । ଭିଡିଓ କଲ୍ ସହ ଅନ୍ୟାନ୍ୟ ଡିଜିଟାଲ୍ ମାଧ୍ୟମରେ ମଧ୍ୟ ନିୟମିତ ଯୋଗାଯୋଗ ହେଉଥିଲା । ମହିଳା ଜଣକ ପାକିସ୍ତାନରେ ଥିବା ଗୁପ୍ତଚର ଏଜେଣ୍ଟଙ୍କ ନିର୍ଦ୍ଦେଶରେ କାମ କରୁଥିଲେ । ପ୍ରଥମେ ବିଶ୍ୱାସ ଜିତିବା ପରେ ସେ ଅଧିକାରୀଙ୍କଠାରୁ ସାମରିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ରହିଛି । ଅଧିକାରୀ ଜଣକ ସାମରିକ ୟୁନିଟ୍‌ର ଗତିବିଧି ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସୂଚନା ମହିଳାଙ୍କ ସହ ଶେୟାର କରିଥିଲେ । ଏହା ସହ କିଛି ଗୁରୁତ୍ୱପୂର୍ଣ୍ଣ ଦଲିଲ ଓ ଡିଜିଟାଲ୍ ଡାଟା ମଧ୍ୟ ପଠାଯାଇଥିବା ଅଭିଯୋଗ ହୋଇଛି । କେଉଁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ ହୋଇଛି ଏବଂ ଏହାର ବ୍ୟବହାର କେଉଁ ଉଦ୍ଦେଶ୍ୟରେ ହେବାର ଥିଲା, ସେ ନେଇ ତଦନ୍ତ ଜାରି ରହିଛି ।


ସେପଟେ ତଦନ୍ତରେ ଆଉ ଏକ ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ମହିଳା ଏଜେଣ୍ଟ ଅଧିକାରୀଙ୍କୁ ତାଙ୍କ ଜଣେ ସହକର୍ମୀଙ୍କ ମୋବାଇଲ୍‌ରେ ଏକ ଆପ୍ ଇନ୍‌ଷ୍ଟଲ୍ କରିବାକୁ କହିଥିଲେ । ଏହି ଆପ୍ ସ୍ପାଏୱେର୍ କିମ୍ବା ରିମୋଟ୍-ଆକ୍ସେସ୍ ମାଲୱେର୍ ହୋଇପାରେ। ଏପରି ସଫ୍ଟୱେର୍ ଜରିଆରେ ମୋବାଇଲ୍‌ର ତଥ୍ୟ, ଲୋକେସନ୍ ଏବଂ ଡିଜିଟାଲ୍ ଯୋଗାଯୋଗ ଉପରେ ଅନଧିକୃତ ପ୍ରବେଶ ମିଳିପାରେ ବୋଲି ତଦନ୍ତକାରୀ ଦଳ ଆଶଙ୍କା କରୁଛି । ଏହା କେବଳ ଜଣେ ଅଧିକାରୀଙ୍କ ମାମଲା ନୁହେଁ, ବରଂ ଭାରତୀୟ ସେନା ଓ ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ହାସଲ ପାଇଁ ଚାଲିଥିବା ଏକ ବଡ଼ ଗୁପ୍ତଚର ନେଟୱର୍କର ଅଂଶ ହୋଇପାରେ ବୋଲି ପୁଲିସ ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *