CHCରେ ଭୟଙ୍କର ଅଗ୍ନିକାଣ୍ଡ! ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ

ଅନୁଗୋଳ ବଅଁରପାଳ ସିଏଚ୍‌ସିରେ ଅଗ୍ନିକାଣ୍ଡ। ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ରକ୍ତ ପରୀକ୍ଷା କେନ୍ଦ୍ରର ମେସିନ୍‌ ସମେତ ବିଭିନ୍ନ ଉପକରଣ ପୋଡ଼ି ନଷ୍ଟ ହୋଇଛି।

ଅନୁଗୋଳ ଜିଲ୍ଲା ବଅଁରପାଳ CHC ମେଡିକାଲରେ ବୁଧବାର ରାତି ପ୍ରାୟ ୧୨ଟା ସମୟରେ ବିଜୁଳି ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ମେଡିକାଲ ପରିସରରେ ଥିବା ରକ୍ତ ପରୀକ୍ଷା କେନ୍ଦ୍ରର ବହୁ ମୂଲ୍ୟବାନ ମେସିନ୍ ଓ ଉପକରଣ ପୋଡ଼ି ନଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତି ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଅଗ୍ନିକାଣ୍ଡ ଘଟିବା ପରେ ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ବଅଁରପାଳ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । 

ତେବେ ୫୫ ନମ୍ବର ଜାତୀୟ ରାଜପଥ ଦୁରାବସ୍ଥା ରୁ ଗତ ତିନିଦିନ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଥିବାରୁ ଅଗ୍ନିଶମ ବାହିନୀର ଗାଡ଼ିକୁ ପୁଲିସ ପକ୍ଷରୁ ପାଇଲଟିଂ କରାଯାଇ ଘଟଣାସ୍ଥଳରେ ପହଞ୍ଚା ଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ରକ୍ତ ପରୀକ୍ଷା କେନ୍ଦ୍ରରେ ଥିବା ମେସିନ୍ ଓ ବିଭିନ୍ନ ଉପକରଣ ପୋଡ଼ି ନଷ୍ଟ ହୋଇସାରିଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ ରକ୍ତ ପରୀକ୍ଷା ସେବା ବ୍ୟାହତ ହେବା ନେଇ ରୋଗୀମାନଙ୍କୁ କିପରି ସେବା ପ୍ରଦାନ କରିବେ ମେଡିକାଲ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ ସମ୍ପୂର୍ଣ୍ଣ କ୍ଷୟକ୍ଷତି ସମ୍ପର୍କରେ ଅଧିକ ଯାଞ୍ଚ ପରେ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *