ରଥଯାତ୍ରା ପାଇଁ ପୁରୀରେ NDRF ସଜାଗ , ମୁତୟନ ହେଲେ ୪ଟି ସ୍ୱତନ୍ତ୍ର ଦଳ

ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା-୨୦୨୬ ପାଇଁ ପୁରୀରେ ବଢ଼ିଛି ସୁରକ୍ଷା ପ୍ରସ୍ତୁତି । ରଥଯାତ୍ରା ସମୟରେ ଦୁର୍ଯ୍ୟୋଗ ପରିଚାଳନା ଓ ଜରୁରୀକାଳୀନ ସହାୟତା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି NDRFର ସ୍ୱତନ୍ତ୍ର ଟିମ୍‌ ।

ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା-୨୦୨୬ ପାଇଁ ପୁରୀରେ ବଢ଼ିଛି ସୁରକ୍ଷା ପ୍ରସ୍ତୁତି । ରଥଯାତ୍ରା ସମୟରେ ଦୁର୍ଯ୍ୟୋଗ ପରିଚାଳନା ଓ ଜରୁରୀକାଳୀନ ସହାୟତା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି NDRFର ସ୍ୱତନ୍ତ୍ର ଟିମ୍‌ । ଓଡ଼ିଶା ସରକାରଙ୍କ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SRC)ର ଅନୁରୋଧ କ୍ରମେ ୦୩ ବାଟାଲିଅନ୍‌ NDRF, ମୁଣ୍ଡଳୀର ୪ଟି ସ୍ୱତନ୍ତ୍ର ଦଳ ପୁରୀ ଅଭିମୁଖେ ଗସ୍ତ କରିଛନ୍ତି । ମୁତୟନ ହୋଇଥିବା ୪ଟି ଦଳ ମଧ୍ୟରୁ ୩ଟି ଦଳ ଭିଡ଼ ନିୟନ୍ତ୍ରଣ, ଉଦ୍ଧାର କାର୍ଯ୍ୟ ଓ ଜରୁରୀ ସହାୟତା ପାଇଁ ସମ୍ପୂର୍ଣ୍ଣ ସଜ୍ଜିତ ରହିଛନ୍ତି । ଏହି ଦଳ ସହ ରହିଛି ମେଡିକାଲ ଫର୍ଷ୍ଟ ରେସପଣ୍ଡର କିଟ୍‌, ଉଦ୍ଧାର ଉପକରଣ, ଯୋଗାଯୋଗ ସାମଗ୍ରୀ ସହ ଆବଶ୍ୟକ ଆଧୁନିକ ଯନ୍ତ୍ରପାତି ।

କୌଣସି ଅପ୍ରତ୍ୟାଶିତ ଦୁର୍ଯ୍ୟୋଗ କିମ୍ବା ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ମୁକାବିଲା କରିବା ପାଇଁ ଏହି ଦଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । ଅନ୍ୟ ଏକ ଦଳକୁ CBRN ଅର୍ଥାତ୍ ରାସାୟନିକ, ଜୀବାଣୁ, ବିକିରଣ ଓ ପରମାଣବିକ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ମୁତୟନ କରାଯାଇଛି । ଏହି ଟିମ୍‌ରେ CBRN କ୍ଷେତ୍ରରେ ପ୍ରଶିକ୍ଷିତ ଯବାନଙ୍କ ସହ ଆଧୁନିକ ସୁରକ୍ଷା ଉପକରଣ ଉପଲବ୍ଧ ରହିଛି । ରଥଯାତ୍ରା ପୂର୍ବରୁ ସମସ୍ତ NDRF ଟିମ୍‌କୁ ଆବଶ୍ୟକ ବ୍ରିଫିଂ ଦିଆଯାଇଛି । ଯେକୌଣସି ସ୍ଥିତିରେ ଭକ୍ତମାନଙ୍କ ସୁରକ୍ଷା ଓ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ସେମାନେ ପ୍ରସ୍ତୁତ ରହିଛନ୍ତି । ୦୩ ବାଟାଲିଅନ୍‌ NDRF ମୁଣ୍ଡଳୀର କମାଣ୍ଡାଣ୍ଟ ନାଗେନ୍ଦ୍ର ଶର୍ମା ସମଗ୍ର ରଥଯାତ୍ରା ଅବଧିରେ ମୁତୟନ ହୋଇଥିବା ସମସ୍ତ ଦଳର କାର୍ଯ୍ୟକଳାପ ଓ ପ୍ରସ୍ତୁତି ଉପରେ ନଜର ରଖିବେ । ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି, ସୁରକ୍ଷିତ ଓ ସୁଚାରୁ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର କରାଯାଉଛି ।

Leave a Reply

Your email address will not be published. Required fields are marked *