ପ୍ରଥମ ବର୍ଷାରେ ହିଁ ବେହାଲ ଅବସ୍ଥା । ଗାଁ ହେଉ କି ସହର, ସବୁଠି ପାଣିର ପ୍ରକୋପ। କେଉଁଠି ରାସ୍ତା ନଦୀରେ ପରିଣତ ହୋଇଛି, ତ କେଉଁଠି ଲୋକଙ୍କ ଘରେ ପଶିଛି ବର୍ଷା ପାଣି । ପ୍ରଥମ ବର୍ଷାରେ ହିଁ ଡ୍ରେନେଜ୍ ବ୍ୟବସ୍ଥାର ଅସଲ ଚିତ୍ର ସାମ୍ନାକୁ ଆସିଛି ।
ପ୍ରଥମ ବର୍ଷାରେ ହିଁ ବେହାଲ ଅବସ୍ଥା । ଗାଁ ହେଉ କି ସହର, ସବୁଠି ପାଣିର ପ୍ରକୋପ। କେଉଁଠି ରାସ୍ତା ନଦୀରେ ପରିଣତ ହୋଇଛି, ତ କେଉଁଠି ଲୋକଙ୍କ ଘରେ ପଶିଛି ବର୍ଷା ପାଣି । ପ୍ରଥମ ବର୍ଷାରେ ହିଁ ଡ୍ରେନେଜ୍ ବ୍ୟବସ୍ଥାର ଅସଲ ଚିତ୍ର ସାମ୍ନାକୁ ଆସିଛି । ଲଗାଣ ବର୍ଷା ଖୋଲିଦେଇଛି ସହର ବିକାଶର ମୁଖା । ପ୍ରଥମ ବର୍ଷା… ଆଉ ପ୍ରଥମ ପରୀକ୍ଷାରେ ଫେଲ୍ ସହରର ମୌଳିକ ବ୍ୟବସ୍ଥା । କିଛି ଘଣ୍ଟାର ବର୍ଷାରେ ରାସ୍ତା ହୋଇଗଲା ଜଳମଗ୍ନ । ଅଣ୍ଟାଏରୁ ଆଣ୍ଠୁଏ ପାଣି ଜମି ରହିଥିବାରୁ ଯାତାୟାତ ଠପ୍ ହୋଇଯାଇଛି । ଦୈନନ୍ଦିନ କାମରେ ବାହାରିଥିବା ଲୋକେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି । ସ୍ଥିତି ଏତେ ସଙ୍ଗିନ ଯେ, କେବଳ ରାସ୍ତା ନୁହେଁ, ବର୍ଷା ପାଣି ଘର ଭିତରକୁ ମଧ୍ୟ ପଶିଯାଇଛି । ଆସବାବପତ୍ର ଓ ଘରୋଇ ସାମଗ୍ରୀ ପାଣିରେ ଭାସୁଥିବା ବେଳେ ପରିବାର ଲୋକେ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି । ଡ୍ରେନ୍ ସଫେଇ ଓ ଜଳ ନିଷ୍କାସନ ବ୍ୟବସ୍ଥାର ଦୁର୍ବଳତା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ପ୍ରତିବର୍ଷ ବର୍ଷା ପୂର୍ବରୁ ଡ୍ରେନ୍ ସଫେଇ ଓ ଜଳ ନିଷ୍କାସନ ବ୍ୟବସ୍ଥା ସୁଦୃଢ଼ କରିବାକୁ ପ୍ରଶାସନ ଦାବି କରୁଥିଲେ ମଧ୍ୟ, ପ୍ରଥମ ବର୍ଷାରେ ହିଁ ସେହି ପ୍ରସ୍ତୁତିର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଅଳ୍ପ ସମୟର ବର୍ଷାରେ ସହର ଜଳବନ୍ଦୀ ହୋଇଯିବା ପ୍ରଶାସନିକ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଛି । କେବଳ ସହର ନୁହେଁ, ବହୁ ଗ୍ରାମାଞ୍ଚଳରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଗାଁ ରାସ୍ତାରେ ପାଣି ଲହଡ଼ା ମାରୁଛି । ଲୋକଙ୍କ ଦୈନନ୍ଦିନ ଜୀବନ ସହ ଯାତାୟାତ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ପ୍ରଥମ ବର୍ଷାରେ ହିଁ ଯଦି ଏଭଳି ସ୍ଥିତି, ତେବେ ଆଗକୁ ଆହୁରି ପ୍ରବଳ ବର୍ଷା ହେଲେ ପରିସ୍ଥିତି କେତେ ସଙ୍ଗିନ ହେବ, ତାହାକୁ ନେଇ ସହରବାସୀଙ୍କ ମନରେ ଚିନ୍ତା ବଢ଼ିଛି । ଏବେ ସମସ୍ତଙ୍କ ନଜର ପ୍ରଶାସନ ଉପରେ— କେବେ ଦୂର ହେବ ଜଳବନ୍ଦୀ ସମସ୍ୟା ଏବଂ କେବେ ସୁଧୁରିବ ଡ୍ରେନେଜ୍ ବ୍ୟବସ୍ଥା ।

