ସାନିଆଙ୍କ ଏକାଡେମୀ ଜମିରେ ମସଜିଦ ନିର୍ମାଣ ଖବର ମିଛ;ବାପା ଇମ୍ରାନ କଲେ ବଡ଼ ଖୁଲାସା

ଇମ୍ରାନ ମିର୍ଜା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଭାଇରାଲ ଖବରର ସତ୍ୟତା ସ୍ପଷ୍ଟ କରିଛନ୍ତି। ପୂର୍ବତନ କ୍ରିକେଟର ମହମ୍ମଦ ଆଜହରୁଦ୍ଦିନ ଏବଂ ସାନିଆ ମିର୍ଜାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ସୋସିଆଲ ମିଡିଆରେ ପୂର୍ବତନ ଟେନିସ୍ ତାରକା ସାନିଆ ମିର୍ଜାଙ୍କୁ ନେଇ ଭାଇରାଲ ହେଉଥିବା ମସଜିଦ ନିର୍ମାଣ ଖବରକୁ ନେଇ ଏବେ ମୁହଁ ଖୋଲିଛନ୍ତି ତାଙ୍କ ବାପା ଇମ୍ରାନ ମିର୍ଜା। ସାନିଆଙ୍କ ଟେନିସ୍ ଏକାଡେମୀ ଥିବା ଜମିରେ ମସଜିଦ ନିର୍ମାଣ ହେଉଥିବା ନେଇ ପ୍ରଚାରିତ ଖବରକୁ ସେ ମିଥ୍ୟା ବୋଲି କହିଛନ୍ତି। ଏଥିସହ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋକୁ ନେଇ ମଧ୍ୟ ସେ ବଡ଼ ସ୍ପଷ୍ଟୀକରଣ ଦେଇଛନ୍ତି। ତେବେ ଏହି ଖବରର ସତ୍ୟତା କ’ଣ?

ଇମ୍ରାନ ମିର୍ଜା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଭାଇରାଲ ଖବରର ସତ୍ୟତା ସ୍ପଷ୍ଟ କରିଛନ୍ତି। ପୂର୍ବତନ କ୍ରିକେଟର ମହମ୍ମଦ ଆଜହରୁଦ୍ଦିନ ଏବଂ ସାନିଆ ମିର୍ଜାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ଫଟୋକୁ ଆଧାର କରି ବିଭିନ୍ନ ଦାବି କରାଯାଉଥିବା ବେଳେ ଏହା ଏଆଇ (AI) ଦ୍ୱାରା ପ୍ରସ୍ତୁତ ବୋଲି ଇମ୍ରାନ କହିଛନ୍ତି। ତେଣୁ ଏଭଳି ଫଟୋ ଓ ଦାବି ଆଧାରରେ କୌଣସି ନିଷ୍କର୍ଷରେ ପହଞ୍ଚିବା ଉଚିତ ନୁହେଁ ବୋଲି ତାଙ୍କ ସ୍ପଷ୍ଟୀକରଣରୁ ଜଣାପଡ଼ିଛି।

ଇମ୍ରାନ ଆହୁରି କହିଛନ୍ତି ଯେ, ସାନିଆ ମିର୍ଜାଙ୍କ ଟେନିସ୍ ଏକାଡେମୀ ଥିବା ଜମିରେ ମସଜିଦ ନିର୍ମାଣ ହେବା ନେଇ କୌଣସି ଯୋଜନା ନାହିଁ। ସୋସିଆଲ ମିଡିଆରେ ଏହାକୁ ନେଇ ଯେଉଁ ଦାବି କରାଯାଉଛି, ତାହା ଭୁଲ୍। ଏଥିସହ ସାନିଆ କିମ୍ବା ତାଙ୍କ ପରିବାର ନିଜେ କିଣିଥିବା ଜମିକୁ ନିଜ ଇଚ୍ଛା ଅନୁସାରେ ବ୍ୟବହାର କରିବାର ଅଧିକାର ରଖିଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସାନିଆଙ୍କ ସାମାଜିକ କାର୍ଯ୍ୟକଳାପକୁ ନେଇ ମଧ୍ୟ ଇମ୍ରାନ ନିଜ ମତ ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ, ସାନିଆଙ୍କ ସାମାଜିକ କାର୍ଯ୍ୟ ତାଙ୍କର ବ୍ୟକ୍ତିଗତ ବିଷୟ। ସାନିଆ ନିଜେ ଏହାର ପୁଷ୍ଟି ନକରିବା ପର୍ଯ୍ୟନ୍ତ ଏହାକୁ ସାର୍ବଜନୀନ କରିବା ଉଚିତ ନୁହେଁ। ଇମ୍ରାନଙ୍କ ଏହି ସ୍ପଷ୍ଟୀକରଣ ପରେ ସାନିଆଙ୍କୁ ନେଇ ଭାଇରାଲ ହେଉଥିବା ମସଜିଦ ନିର୍ମାଣ ଖବର ଉପରେ ସ୍ଥିତି ସ୍ପଷ୍ଟ ହୋଇଛି। ଏଆଇ ଦ୍ୱାରା ପ୍ରସ୍ତୁତ ଫଟୋ ଓ ଅପ୍ରମାଣିତ ତଥ୍ୟକୁ ନେଇ ଭ୍ରମିତ ନହେବା ସହ କୌଣସି ଖବର ସେୟାର କରିବା ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବା ଜରୁରୀ।

Leave a Reply

Your email address will not be published. Required fields are marked *