ଜଣେ ଅତିରିକ୍ତ ଜିଲ୍ଲା ଜଜଙ୍କ ୧୭ ବର୍ଷୀୟ ପୁଅ ଚଳାଉଥିବା କାର୍ ଧକ୍କାରେ ୫୫ ବର୍ଷୀୟ ଜୟବାଲକୃଷ୍ଣନଙ୍କ ମୃତ୍ୟୁ ପରେ ତଦନ୍ତରେ ଅବହେଳା ଅଭିଯୋଗ ଉଠିଛି । ଏହାପରେ କୋଚି ସହର ପୁଲିସ କମିଶନର କାଲିରାଜ୍ ମହେଶ କୁମାରଙ୍କୁ ବଦଳି କରାଯାଇଥିବା ବେଳେ ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।
କୋଚିର ମର୍ସିଡିଜ୍ ଦୁର୍ଘଟଣା ମାମଲାରେ ପୁଲିସର କାର୍ଯ୍ୟକୁ ନେଇ ବଢ଼ିଲା ବିବାଦ । ଜଣେ ଅତିରିକ୍ତ ଜିଲ୍ଲା ଜଜଙ୍କ ୧୭ ବର୍ଷୀୟ ପୁଅ ଚଳାଉଥିବା କାର୍ ଧକ୍କାରେ ୫୫ ବର୍ଷୀୟ ଜୟବାଲକୃଷ୍ଣନଙ୍କ ମୃତ୍ୟୁ ପରେ ତଦନ୍ତରେ ଅବହେଳା ଅଭିଯୋଗ ଉଠିଛି । ଏହାପରେ କୋଚି ସହର ପୁଲିସ କମିଶନର କାଲିରାଜ୍ ମହେଶ କୁମାରଙ୍କୁ ବଦଳି କରାଯାଇଥିବା ବେଳେ ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।
ଅକ୍ଟୋବର ୨୫ରେ ଘଟିଥିବା ଏହି ଦୁର୍ଘଟଣା ସମୟରେ ମର୍ସିଡିଜ୍ଟି ଘଣ୍ଟାପ୍ରତି ପ୍ରାୟ ୧୦୪ କିଲୋମିଟର ବେଗରେ ଚାଲୁଥିବା ଭିଡିଓରୁ ଜଣାପଡ଼ିଛି । ଦୁର୍ଘଟଣା ପରେ ଅଭିଯୁକ୍ତ ନାବାଳକକୁ ଥାନାରୁ ଜାମିନରେ ଛାଡ଼ିବା ଏବଂ ପରେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ପକ୍ଷରୁ ଜାମିନ ମିଳିବାକୁ ନେଇ ମୃତକଙ୍କ ପରିବାର ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା । ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଥିଲା ।
ତଦନ୍ତରେ ତ୍ରୁଟି ହୋଇଥିବା ସ୍ୱୀକାର କରି ରାଜ୍ୟ ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ, କେରଳ ହାଇକୋର୍ଟଙ୍କ ଅନୁମତି ପରେ ଅତିରିକ୍ତ ଜିଲ୍ଲା ଜଜଙ୍କୁ ମୋଟର ଯାନ ଆଇନର ଧାରା ୧୯୯ଏ ଅନୁଯାୟୀ ଅଭିଯୁକ୍ତ ଭାବେ ନାମିତ କରାଯାଇଛି । ପୁଲିସ ତାଙ୍କ ବାସଭବନରେ ଚଢ଼ାଉ କରି ସିସିଟିଭି ଫୁଟେଜ୍ ଜବତ କରିଛି । ମାମଲାର ଗମ୍ଭୀରତାକୁ ଦେଖି ଏହାର ତଦନ୍ତ ଭାର ଜିଲ୍ଲା କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଏବେ ତଦନ୍ତରେ କେଉଁ ତଥ୍ୟ ସାମ୍ନାକୁ ଆସୁଛି ଏବଂ ଦୋଷୀଙ୍କ ବିରୋଧରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର ରହିଛି ।

