ଏଭଳି ଠକେଇକୁ ‘ଡିଜିଟାଲ୍ ଡକାୟତି’ ବୋଲି କହିବା ସହ ଅପରାଧୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ କୋର୍ଟ ମତ ଦେଇଛନ୍ତି । ଅବସରପ୍ରାପ୍ତ ବ୍ୟକ୍ତି ଓ ବୟସ୍କ ଲୋକଙ୍କୁ ଭୟଭୀତ କରି ଠକୁଥିବା ସଂଗଠିତ ସାଇବର ଅପରାଧୀଙ୍କ ମାମଲାର ଶୁଣାଣି ବେଳେ ଏହି ମନ୍ତବ୍ୟ ଆସିଛି ।
ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରି ଡିଜିଟାଲ୍ ଆରେଷ୍ଟ ନାଁରେ କୋଟି କୋଟି ଟଙ୍କା ଠକୁଥିବା ସାଇବର ଅପରାଧୀଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଭଳି ଠକେଇକୁ ‘ଡିଜିଟାଲ୍ ଡକାୟତି’ ବୋଲି କହିବା ସହ ଅପରାଧୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ କୋର୍ଟ ମତ ଦେଇଛନ୍ତି । ଅବସରପ୍ରାପ୍ତ ବ୍ୟକ୍ତି ଓ ବୟସ୍କ ଲୋକଙ୍କୁ ଭୟଭୀତ କରି ଠକୁଥିବା ସଂଗଠିତ ସାଇବର ଅପରାଧୀଙ୍କ ମାମଲାର ଶୁଣାଣି ବେଳେ ଏହି ମନ୍ତବ୍ୟ ଆସିଛି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସାରା ଦେଶରେ ପଞ୍ଜିକୃତ ସାଇବର ଅପରାଧ ମାମଲାଗୁଡ଼ିକୁ ଏକାଠି କରିବା ସମ୍ପର୍କିତ ଏକ ଆବେଦନର ଶୁଣାଣି କରୁଥିଲେ । ଏହି ସମୟରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ମାମଲାଗୁଡ଼ିକୁ ଏକାଠି କରିବା ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିଲେ ।
ଜଷ୍ଟିସ୍ ବାଗଚୀ କହିଥିଲେ ଯେ, ଜଣେ ଅଭିଯୁକ୍ତଙ୍କ ସୁବିଧା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଠକେଇର ଶିକାର ହୋଇଥିବା ପୀଡ଼ିତମାନଙ୍କୁ କାହିଁକି ଦିଲ୍ଲୀ ଯିବାକୁ ପଡ଼ିବ ? ଯେଉଁ ସ୍ଥାନରେ ଅପରାଧ ଘଟିଛି, ସେହି ସ୍ଥାନର ଅଦାଲତରେ ମାମଲାର ବିଚାର ହେବା ଉଚିତ ବୋଲି ସେ ସ୍ପଷ୍ଟ କରିଥିଲେ । ଏଥିସହ ବ୍ୟାଙ୍କକ୍ କିମ୍ବା ସିଙ୍ଗାପୁରର କୌଣସି ବ୍ୟାଙ୍କ ଆକାଉଣ୍ଟରେ ଠକେଇ ଟଙ୍କା ଜମା ହେଲେ ମଧ୍ୟ ଏହାଦ୍ୱାରା ଅପରାଧର କ୍ଷେତ୍ରାଧିକାର ସେହି ଦେଶକୁ ସ୍ଥାନାନ୍ତର ହୋଇଯାଏ ନାହିଁ ବୋଲି କୋର୍ଟ ମତ ଦେଇଥିଲେ ।
ଖଣ୍ଡପୀଠ ଏହା ମଧ୍ୟ ଦର୍ଶାଇଥିଲେ ଯେ, ମାମଲାଗୁଡ଼ିକୁ ଏକାଠି କରିବା ପାଇଁ ଅଭିଯୁକ୍ତଙ୍କ ଦାବି ବିଚାର କରିବା ସମୟରେ ପୀଡ଼ିତଙ୍କ ଅସୁବିଧା ଓ ତଦନ୍ତର ଆବଶ୍ୟକତାକୁ ଅଣଦେଖା କରାଯାଇପାରିବ ନାହିଁ । ଡିଜିଟାଲ୍ ଆରେଷ୍ଟ ଠକେଇରେ ଅପରାଧୀମାନେ ପୁଲିସ କିମ୍ବା ଅନ୍ୟ ତଦନ୍ତକାରୀ ସଂସ୍ଥାର ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରନ୍ତି ଏବଂ ଟଙ୍କା ଆଦାୟ କରନ୍ତି । ବିଶେଷକରି ବୟସ୍କ ଲୋକଙ୍କୁ ଟାର୍ଗେଟ୍ କରାଯାଉଥିବାରୁ ଏଭଳି ଅପରାଧ ଉପରେ କଠୋର ନଜର ରଖିବା ଜରୁରୀ । ସୁପ୍ରିମକୋର୍ଟଙ୍କ ଏହି ମନ୍ତବ୍ୟ ସାଇବର ଠକେଇ ମାମଲାରେ ପୀଡ଼ିତଙ୍କ ସ୍ୱାର୍ଥ ଓ ନ୍ୟାୟ ପ୍ରକ୍ରିୟାକୁ ଗୁରୁତ୍ୱ ଦେଇଛି ।

