ମହିଳା ବିଭାଗରେ ଭାରତୀୟ ଦଳ ନାଇଜେରିଆକୁ ୩୮-୧୦ ପଏଣ୍ଟରେ ପରାସ୍ତ କରିଛି। ମ୍ୟାଚ୍ ଆରମ୍ଭରୁ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୨୪-୬ ପଏଣ୍ଟରେ ଆଗୁଆ ରହିଥିଲା।
ରାଜ୍ୟଗୋଷ୍ଠୀ କବାଡ଼ି ପ୍ରତିଯୋଗିତାରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ। ପ୍ରଥମ ଥର ପାଇଁ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଅହମଦାବାଦରେ ଅନୁଷ୍ଠିତ ଗ୍ରୁପ୍ ପର୍ଯ୍ୟାୟ ମୁକାବିଲାରେ ନାଇଜେରିଆକୁ ଶୋଚନୀୟ ଭାବେ ପରାସ୍ତ କରି ଉଭୟ ଦଳ ନିଜର ଦବଦବା ଜାହିର କରିଛନ୍ତି। ଏହା ସହିତ ଲଗାତାର ଚତୁର୍ଥ ବିଜୟ ହାସଲ କରି ଭାରତ ସେମିଫାଇନାଲ୍ ଟିକେଟ୍ ହାତେଇଛି।
ମହିଳା ବିଭାଗରେ ଭାରତୀୟ ଦଳ ନାଇଜେରିଆକୁ ୩୮-୧୦ ପଏଣ୍ଟରେ ପରାସ୍ତ କରିଛି। ମ୍ୟାଚ୍ ଆରମ୍ଭରୁ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୨୪-୬ ପଏଣ୍ଟରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଆଉ ୧୪ ପଏଣ୍ଟ ଯୋଡ଼ି ଦଳ ଏକପାଖିଆ ବିଜୟ ହାସଲ କରିଥିଲା।
ଭାରତୀୟ ମହିଳା ଦଳ ପକ୍ଷରୁ ଅନୁ ଚମତ୍କାର ପ୍ରଦର୍ଶନ କରି ୧୭ଟି ରେଡ୍ରୁ ୧୧ ପଏଣ୍ଟ ସଂଗ୍ରହ କରିଥିଲେ। ସାକ୍ଷୀ ୪ ଏବଂ ନିଧି ଶର୍ମା ୨ ପଏଣ୍ଟ ହାସଲ କରିଥିଲେ। ସେହିପରି ରକ୍ଷଣଭାଗରେ ସାଭାଇ ଗଧାବୀ ୩ଟି ଟ୍ୟାକେଲ୍ ପଏଣ୍ଟ ଅର୍ଜନ କରିଥିବା ବେଳେ ରିତୁ ଓ ପ୍ରିୟା ୨ଟି ଲେଖାଏଁ ଟ୍ୟାକେଲ୍ ପଏଣ୍ଟ ହାସଲ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଅନ୍ୟପଟେ ପୁରୁଷ ବିଭାଗରେ ମଧ୍ୟ ଭାରତର ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ନାଇଜେରିଆକୁ ୫୦-୨୩ ପଏଣ୍ଟରେ ପରାସ୍ତ କରିଥିଲା ଭାରତୀୟ ପୁରୁଷ ଦଳ। ପ୍ରଥମାର୍ଦ୍ଧରେ ହିଁ ୨୫-୭ ପଏଣ୍ଟର ବିଶାଳ ଅଗ୍ରଣୀ ହାସଲ କରି ମ୍ୟାଚ୍କୁ ନିଜ ନିୟନ୍ତ୍ରଣକୁ ନେଇଥିଲା ଭାରତ।
ପୁରୁଷ ଦଳ ପକ୍ଷରୁ ସଚିନ ଓ ଆଦିତ୍ୟ ସିନ୍ଧେ ଆକର୍ଷଣୀୟ ରେଡିଂ ପ୍ରଦର୍ଶନ କରିଥିଲେ। ପଙ୍କଜ ମୋହିତେ ୮ ରେଡ୍ ଓ ୨ ଟ୍ୟାକେଲ୍ ପଏଣ୍ଟ ହାସଲ କରିଥିବା ବେଳେ ସୁର୍ଜିତ ନରୱାଲ ୪ ଟ୍ୟାକେଲ୍ ପଏଣ୍ଟ ଯୋଡ଼ିଥିଲେ। ଉଭୟ ଦଳର ଏହି ଦମଦାର ବିଜୟ ପରେ ଏବେ ସେମିଫାଇନାଲ୍ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି। ପ୍ରତିଯୋଗିତାରେ ଅପରାଜେୟ ରହିଥିବା ଭାରତୀୟ ପୁରୁଷ ଓ ମହିଳା ଦଳ ଏବେ ଫାଇନାଲ୍ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛନ୍ତି।

