ଖଣି ଅଞ୍ଚଳରେ ପାଉଁଶ ଜହର ! ଧୂଳି, ଧୂଆଁରେ ଅସ୍ତବ୍ୟସ୍ତ ଜନଜୀବନ

ଖଣି ଓ କାରଖାନା ପାଇଁ ଧନୀ ଜିଲ୍ଲାର ପରିଚୟ ପାଇଥିବା କେନ୍ଦୁଝର ଏବେ ପ୍ରଦୂଷଣର ଜ୍ୱାଳାରେ ଛଟପଟ । ଯେଉଁ ଖଣି ଓ କାରଖାନା ଅଞ୍ଚଳର ସମୃଦ୍ଧିର ପ୍ରତୀକ ଥିଲା, ତାହା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଅଭିଶାପ ପାଲଟିଥିବା ଅଭିଯୋଗ ହୋଇଛି ।

ଦିନେ ଖଣିଜ ସମ୍ପଦକୁ ନେଇ ଗର୍ବ କରୁଥିଲେ ଅଞ୍ଚଳବାସୀ । ଖଣି ଓ କାରଖାନା ପାଇଁ ଧନୀ ଜିଲ୍ଲାର ପରିଚୟ ପାଇଥିବା କେନ୍ଦୁଝର ଏବେ ପ୍ରଦୂଷଣର ଜ୍ୱାଳାରେ ଛଟପଟ । ଯେଉଁ ଖଣି ଓ କାରଖାନା ଅଞ୍ଚଳର ସମୃଦ୍ଧିର ପ୍ରତୀକ ଥିଲା, ତାହା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଅଭିଶାପ ପାଲଟିଥିବା ଅଭିଯୋଗ ହୋଇଛି । ଧୂଳି, ଧୂଆଁ ଓ ପ୍ରଦୂଷିତ ପରିବେଶ ଭିତରେ ଦୁର୍ବିସହ ହୋଇପଡ଼ିଛି ଜନଜୀବନ ।

ଏ ଚିତ୍ର କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଭଦ୍ରାସାହି ଓ ଏହାର ଆଖପାଖ ଗାଁର । ଯୁଆଡ଼େ ଦେଖିବେ, ସବୁଠି ପାଉଁଶର ପାହାଡ଼ । କାରଖାନାରୁ ନିର୍ଗତ ପାଉଁଶର ସଠିକ୍‌ ପରିଚାଳନା ହେଉନଥିବାରୁ ରାସ୍ତାଘାଟ ଓ ନାଳରେ ପାଉଁଶ ପକାଯାଉଥିବା ଅଭିଯୋଗ ହୋଇଛି । ପବନରେ ଉଡ଼ି ପାଉଁଶ ଘର ଭିତରେ ପଶୁଛି । ଏପରିକି ଖାଦ୍ୟରେ ମଧ୍ୟ ମିଶୁଛି ପାଉଁଶ ଗୁଣ୍ଡ । ବିଶୁଦ୍ଧ ବାୟୁ ଟିକିଏ ପାଇବା ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ଖଣି ଓ ଶିଳ୍ପାଞ୍ଚଳରେ ବିକାଶର ଚିତ୍ର ଏବେ ପ୍ରଦୂଷଣର କଳାଛାଇରେ ଢାଙ୍କି ହୋଇଯାଇଛି ।

କେବଳ ବାୟୁ ନୁହେଁ, ଜଳ ପ୍ରଦୂଷଣକୁ ନେଇ ମଧ୍ୟ ବଢ଼ିଛି ଚିନ୍ତା । ପାଉଁଶ ମିଶା ନାଳ ପାଣି ବୋହିଯାଇ ନଦୀରେ ମିଶୁଥିବାରୁ ଜଳ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ପରିବେଶ ସୁରକ୍ଷା ସହ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଉଠିଛି ଗମ୍ଭୀର ପ୍ରଶ୍ନ । ଅଞ୍ଚଳବାସୀଙ୍କ ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ହେଉନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଖଣିଜ ସମ୍ପଦରେ ଭରପୂର କେନ୍ଦୁଝରରେ ବିକାଶର ମୂଲ୍ୟ କ’ଣ ପ୍ରଦୂଷଣ ଓ ଦୁର୍ଦ୍ଦଶା ? କେବେ ହେବ ପାଉଁଶର ସୁପରିଚାଳନା? କେବେ ମିଳିବ ଅଞ୍ଚଳବାସୀଙ୍କୁ ସ୍ୱଚ୍ଛ ବାୟୁ ଓ ନିର୍ମଳ ଜଳ? ଏବେ ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ।

Leave a Reply

Your email address will not be published. Required fields are marked *