ଉତ୍ତରାଖଣ୍ଡର କୁଞ୍ଜାପୁରୀ ମେଳାରେ ଦଲେର ମେହେନ୍ଦିଙ୍କ ପ୍ରଦର୍ଶନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଜାରି ରହିଛି। ମୀକା ସିଂହଙ୍କ ଟିମ୍ ମନ୍ତ୍ରୀ ସୁବୋଧ ଉନିୟାଲ କ୍ଷମା ମାଗିଥିବା ଦାବି କରିଥିବା ବେଳେ ମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି।
ଉତ୍ତରାଖଣ୍ଡର କୁଞ୍ଜାପୁରୀ ମେଳାରେ ପଞ୍ଜାବୀ ଗାୟକ ଦଲେର ମେହେନ୍ଦିଙ୍କ ସହ ଘଟିଥିବା ଘଟଣାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଗାୟକଙ୍କୁ ମଞ୍ଚ ଉପରେ ଅପମାନିତ କରିବା ଅଭିଯୋଗକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ନୂଆ ମୋଡ଼ ନେଇଛି କ୍ଷମା ମାଗିବା ପ୍ରସଙ୍ଗ । ଦଲେର ମେହେନ୍ଦିଙ୍କୁ ମନ୍ତ୍ରୀ ସୁବୋଧ ଉନିୟାଲ କ୍ଷମା ମାଗିଥିବା ନେଇ ମୀକା ସିଂହଙ୍କ ଟିମ୍ ଦାବି କରିଥିଲା । ହେଲେ ଏହି ଦାବିକୁ ଖଣ୍ଡନ କରିଛନ୍ତି ନିଜେ ମନ୍ତ୍ରୀ ।
ଏକ ସାକ୍ଷାତକାରରେ ଦଲେର ମେହେନ୍ଦିଙ୍କୁ କ୍ଷମା ମାଗିଛନ୍ତି କି ବୋଲି ପଚରାଯିବାରୁ ସୁବୋଧ ଉନିୟାଲ କହିଥିଲେ, କ୍ଷମା ମାଗିବାର ପ୍ରଶ୍ନ ହିଁ ଉଠୁନାହିଁ । ସେ କ’ଣ କୌଣସି ଅପରାଧ କରିଛନ୍ତି ଯେ କ୍ଷମା ମାଗିବେ ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ। ଦଲେର ମେହେନ୍ଦିଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ନିଜ ପକ୍ଷ ରଖିଛନ୍ତି ମନ୍ତ୍ରୀ । ଯଦି ଗାୟକଙ୍କ ଦେହ ଖରାପ ଥିଲା, ତେବେ ସେ କାର୍ଯ୍ୟକ୍ରମକୁ ଆସିବା ଉଚିତ ନଥିଲା ବୋଲି ସେ କହିଛନ୍ତି । ଯଦି ଆସିଥିଲେ, ତେବେ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଆୟୋଜକ ଓ ଉପସ୍ଥିତ ଲୋକଙ୍କୁ ଆଗରୁ ଜଣାଇବା ଆବଶ୍ୟକ ଥିଲା ବୋଲି ମନ୍ତ୍ରୀ ଯୁକ୍ତି ରଖିଛନ୍ତି ।
ଏହି ଘଟଣାରେ ଭୁଲ୍ କାହାର ଏବଂ କିଏ କ୍ଷମା ମାଗିବା ଉଚିତ, ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୁବୋଧ ଉନିୟାଲ। ଯିଏ ଭୁଲ୍ କରିଛନ୍ତି, ସେ ହିଁ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମ ପାଇଁ ଦଲେର ମେହେନ୍ଦିଙ୍କୁ ଅର୍ଥ ଦିଆଯାଇଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ଦର୍ଶକଙ୍କ ଆଶା ପୂରଣ କରିନଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି।
ଉତ୍ତରାଖଣ୍ଡର କୁଞ୍ଜାପୁରୀ ମେଳାରେ ଦଲେର ମେହେନ୍ଦିଙ୍କ ସଙ୍ଗୀତ ପରିବେଷଣ ବେଳେ ଏହି ବିବାଦ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ମଝିରେ ମଞ୍ଚକୁ ଆସି ମନ୍ତ୍ରୀ ସୁବୋଧ ଉନିୟାଲ ଗାୟକଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଇଥିଲେ। ଦଲେର ମେହେନ୍ଦି ଠିକ୍ ଭାବେ ଗାଉନଥିବା, ମଦ୍ୟପାନ କରି ଆସିଥିବା ଏବଂ ଲିପ୍-ସିଙ୍କ୍ କରୁଥିବା ନେଇ ମନ୍ତ୍ରୀ ଅଭିଯୋଗ କରିଥିଲେ ।
ଏହାପରେ ଦଲେର ମେହେନ୍ଦିଙ୍କ ଭାଇ ତଥା ଗାୟକ ମୀକା ସିଂହ ତାଙ୍କ ସମର୍ଥନରେ ବାହାରିଥିଲେ । ମନ୍ତ୍ରୀଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଇବା ସହ କ୍ଷମା ମାଗିବାକୁ ଦାବି କରିଥିଲେ । ବିବାଦର ସମାଧାନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଦଲେର ମେହେନ୍ଦି ଓ ମୀକା ସିଂହଙ୍କ ସହ କଥା ହୋଇଥିଲେ ଏବଂ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିଥିଲେ । କିନ୍ତୁ ଏବେ ସୁବୋଧ ଉନିୟାଲ ନିଜେ କ୍ଷମା ମାଗିଥିବା ଖବରକୁ ଅସ୍ୱୀକାର କରିବା ପରେ ବିବାଦ ପୁଣି ଚର୍ଚ୍ଚାକୁ ଆସିଛି ।

