କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ତୁଳସୀପୁର ଗାଁର ଦମୟନ୍ତୀଙ୍କ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ କାଟୁଛି। ଘରର କାନ୍ଥ ପଡ଼ି ସ୍ୱାମୀ ହୃଷିକେଶଙ୍କ ମୃତ୍ୟୁ ପରେ ପୁଅ ପାଠପଢ଼ା ଛାଡ଼ି ମୂଲ ଲାଗୁଥିବା ବେଳେ ଝିଅର ପାଠପଢ଼ା ମଧ୍ୟ ବନ୍ଦ ହୋଇଛି।
କେମିତି ଜରିପାଲ ତଳେ ବିତୁଛି ଜୀବନ । କାନ୍ଥରୁ ପୁଳା ପୁଳା ମାଟି ଖସିଯାଇଛି । ଭଙ୍ଗା ଛପର ଘରେ ରହୁଛି ଅସହାୟ ପରିବାର । ଅଳିଆ ଆବର୍ଜନାରେ ବଞ୍ଚିଛି ମଣିଷ । ପିନ୍ଧିବାକୁ ଲୁଗା ଖଣ୍ତେ ନାହିଁ । ରହିବାକୁ ଭଲ ବାସସ୍ଥାନ ନାହିଁ । ସଭ୍ୟ ସଭ୍ୟତାରେ ନଗ୍ନନାଚ କରୁଛି ମଣିଷର ମୌଳିକ ଅଧିକାର । କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ତୁଳସୀପୁରରେ ପରିବାର ସହ ରୁହନ୍ତି ଦମୟନ୍ତୀ । କାନ୍ଥ ପଡ଼ି ସ୍ବାମୀ ହୃଷିକେଶଙ୍କ ଜୀବନ ଚାଲିଯାଇଛି । ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ପରିବାର । ପୁଅ ପାଠପଢ଼ା ଛାଡ଼ି ମୂଲ ଲାଗୁଛି । ଝିଅର ପାଠପଢ଼ା ବନ୍ଦ । ନିଜ ଜମି ନଥିବାରୁ ପର ଜମିରେ ମୁଣ୍ତ ଗୁଞ୍ଜିଛି ପରିବାର । ପଟ୍ଟା ପାଇଁ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ିବା ପରେ ବି ସମସ୍ୟାର ସମାଧାନ ନାହିଁ ।
ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଘର । କାନ୍ଥ ନଥିବାରୁ ଛିଣ୍ଡା ଜରିପାଲରେ ଢଙ୍କା ହୋଇଛି ଦାରିଦ୍ର୍ୟ । ଭୂମିହୀନ ପଟ୍ଟା ଖଣ୍ଡିଏ ପାଇଁ ଗତ ୫ ବର୍ଷ ହେବ ତହସିଲ କାର୍ଯ୍ୟାଳୟକୁ ହୃଷିକେଶ ଦୌଡି ଦୌଡି ଆରପାରକୁ ଚାଲିଗଲେ । ହେଲେ ଖଣ୍ଡିଏ ଭୂମିହୀନ ପଟ୍ଟା ଆଜି ପର୍ଯ୍ୟନ୍ତ ମିଳିଲାନି ବୋଲି କହିଛନ୍ତି ମୃତ ହୃଷିକେଶଙ୍କ ମାଆ ଓ ପରିବାର ।
କାନ୍ଥପଡି ମୃତ୍ୟୁବରଣ କରିଥିବା ହୃଷିକେଶଙ୍କ ପରିବାରକୁ ଭୂମିହୀନ ପଟ୍ଟା ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହା ସହ ଆବାସ ଗୃହ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ଗ୍ରାମବାସୀ । ଆପଣ ମଧ୍ୟ ଚାହିଁଲେ ଅସହାୟ ପରିବାରକୁ ସହାୟତାର ହାତ ବଢାଇ ପାରିବେ ।

