ଖୋର୍ଦ୍ଧା ଜଟଣୀସ୍ଥିତ ଇନ୍ଫୋ ଭ୍ୟାଲି-୨ରେ ୧୮ ଏକର ଜମିରେ ୧୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆରବିଆଇର ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଖୋର୍ଦ୍ଧା ଜଟଣୀସ୍ଥିତ ଇନ୍ଫୋ ଭ୍ୟାଲି-୨ରେ ଉଦ୍ଘାଟିତ ହୋଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ। ୧୮ ଏକର ଜମିରେ ୧୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଜାତୀୟ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ବ୍ରଜମୋହନ ରାମ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ବିକାଶର ପ୍ରାଥମିକତା ଓ ଏହାର ବିସ୍ତାରକୁ ଗୁରୁତ୍ୱ ଦେଉଛନ୍ତି। ଆରବିଆଇର ଏହି ଡାଟା ସେଣ୍ଟର ଓଡ଼ିଶା ସମେତ ସମଗ୍ର ଦେଶ ପାଇଁ ହିତକର ସାବ୍ୟସ୍ତ ହେବ। ଏହି ପ୍ରକଳ୍ପ ଓଡ଼ିଶାରେ ଡାଟା ସେଣ୍ଟର ଓ ଉନ୍ନତ କମ୍ପ୍ୟୁଟିଂ କ୍ଷେତ୍ରରେ ନିବେଶର ନୂଆ ସମ୍ଭାବନା ସୃଷ୍ଟି କରିବା ସହ ଯୁବଗୋଷ୍ଠୀଙ୍କ ପାଇଁ ନୂଆ ସୁଯୋଗ ଖୋଲିବ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ପରେ ଦେଶର ବଡ଼ ବଡ଼ ସହରରେ ବିକାଶ ହୋଇଥିଲା। ବଡ଼ ବଡ଼ ସଂସ୍ଥା, ହସ୍ପିଟାଲ ଓ ବିମାନବନ୍ଦର ନିର୍ମାଣ ହୋଇଥିଲା। କିନ୍ତୁ ଦେଶର ଅନେକ ଅଞ୍ଚଳର ଲୋକଙ୍କୁ ମୌଳିକ ଭିତ୍ତିଭୂମି ସୁବିଧା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା।
ଦିଲ୍ଲୀ ଭଳି ବଡ଼ ସହରରେ ଉନ୍ନତ ହସ୍ପିଟାଲ ଥିବାବେଳେ ଛୋଟ ସହରର ଲୋକଙ୍କୁ ଭଲ ସ୍ୱାସ୍ଥ୍ୟସେବା ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଥିଲା। ଛୋଟ ସହରଗୁଡ଼ିକୁ ଆକାଶମାର୍ଗରେ ଯୋଡ଼ିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁବିଧା ନଥିଲା। ଅନେକ ଗାଁରେ ବିଜୁଳି, ପାଣି ଓ ସଡ଼କ ଭଳି ମୌଳିକ ସୁବିଧା ଯୋଗାଇବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ରେଳ ଷ୍ଟେସନଗୁଡ଼ିକ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ସେଠାରେ ଆଧୁନିକ ସୁବିଧାର ଅଭାବ ରହିଥିଲା।
ଏହାର ଅର୍ଥ, ଦେଶର ପ୍ରତ୍ୟେକ କୋଣ ଓ ପ୍ରତ୍ୟେକ ନାଗରିକଙ୍କ ପାଖରେ ବିକାଶର ଲାଭ ପହଞ୍ଚାଇବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ସରକାର ଏହି ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରିଛନ୍ତି ବୋଲି ମୋଦୀ କହିଛନ୍ତି।
ତାଙ୍କ କହିବା ଅନୁସାରେ, ସରକାର ଲୋକାଭିମୁଖୀ, ସକ୍ରିୟ ଓ ସୁଶାସନଭିତ୍ତିକ ମଡେଲକୁ ନେଇ କାର୍ଯ୍ୟ କରୁଛନ୍ତି। ସରକାରଙ୍କ ପାଇଁ ବିକାଶର ଅର୍ଥ ହେଉଛି ଭାରତର ସନ୍ତୁଳିତ ବିକାଶ। ଗାଁ ଓ ଛୋଟ ସହରଗୁଡ଼ିକୁ ସମାନ ଭାବେ ସୁଯୋଗ ଦେବା, ଦୂରଦୂରାନ୍ତ ଅଞ୍ଚଳରେ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ସୃଷ୍ଟି କରିବା ଏବଂ ଗରିବ ପରିବାରକୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ସରକାରଙ୍କ ଲକ୍ଷ୍ୟ। ବିକାଶ ଯାତ୍ରାରେ କୌଣସି ନାଗରିକ ପଛରେ ରହିବେ ନାହିଁ ବୋଲି ସରକାର ଲୋକଙ୍କୁ ଭରସା ଦେବାକୁ ଚାହୁଁଛନ୍ତି।
ଦେଶରେ ଏକ୍ସପ୍ରେସ୍ୱେ ନିର୍ମାଣ ଦ୍ୱାରା ଛୋଟ ସହରଗୁଡ଼ିକୁ ଯୋଡ଼ାଯାଉଛି। ଏମ୍ସ ଭଳି ପ୍ରତିଷ୍ଠାନର ବିକାଶ ବିଭିନ୍ନ ରାଜ୍ୟକୁ ସମ୍ପ୍ରସାରିତ ହୋଇଛି। ଛୋଟ ଛୋଟ ସହରରେ ମେଡିକାଲ କଲେଜ ଖୋଲାଯାଉଛି ଏବଂ ଗାଁରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନ କରାଯାଉଛି। ଦୂରଦୂରାନ୍ତ ଅଞ୍ଚଳରେ ଡିଜିଟାଲ୍ ସଂଯୋଗ ବ୍ୟବସ୍ଥାର ମଧ୍ୟ ବିକାଶ ହୋଇଛି।
ଏହା ହିଁ ସୁଶାସନର ପ୍ରକୃତ ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତାଙ୍କ ମତରେ, ବିକାଶର ସୁଫଳ କେବଳ ବଡ଼ ସହରରେ ସୀମିତ ନରହି ଦେଶର ପ୍ରତ୍ୟେକ ଅଞ୍ଚଳରେ ପହଞ୍ଚିବା ଆବଶ୍ୟକ। ଗରିବ ଓ ମଧ୍ୟବିତ୍ତ ପରିବାରକୁ ଦୀର୍ଘ ଦଶନ୍ଧି ଧରି ଅଭାବ ମଧ୍ୟରେ ରଖାଯାଇଥିବାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ବ୍ୟାଙ୍କିଂ କ୍ଷେତ୍ରର କଥା ଉଠାଇଛନ୍ତି। ଗରିବଙ୍କ ନାଁରେ ୧୯୬୦ ଓ ୧୯୭୦ ଦଶକରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ କରାଯାଇଥିଲା। କିନ୍ତୁ ୨୦୧୪ ପର୍ଯ୍ୟନ୍ତ ଦେଶର ଅଧାରୁ ଅଧିକ ଜନସଂଖ୍ୟା ବ୍ୟାଙ୍କିଂ ବ୍ୟବସ୍ଥାଠାରୁ ଦୂରରେ ଥିଲେ ବୋଲି ସେ କହିଛନ୍ତି।
ମଧ୍ୟବିତ୍ତଙ୍କ ପାଇଁ ବ୍ୟାଙ୍କରୁ ଋଣ ନେବା ଏକ ସ୍ୱପ୍ନ ଥିଲା। ସେହି ସମୟରେ ଫୋନ୍ ବ୍ୟାଙ୍କିଂ ଜରିଆରେ ଦିଲ୍ଲୀର କିଛି ପ୍ରଭାବଶାଳୀ ଲୋକଙ୍କୁ ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଦିଆଯାଉଥିବା ନେଇ ସେ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଅନ୍ୟପଟେ ଗରିବ ଓ ମଧ୍ୟବିତ୍ତଙ୍କୁ ବ୍ୟାଙ୍କ ଖାତା ଖୋଲିବା ପାଇଁ ମଧ୍ୟ ଗ୍ୟାରେଣ୍ଟର ଆବଶ୍ୟକ ହେଉଥିଲା ବୋଲି ସେ କହିଛନ୍ତି।
ତାଙ୍କ ମତରେ, ଏହି ବ୍ୟବସ୍ଥାର ପରିଣାମ ସ୍ୱରୂପ ଭାରତୀୟ ବ୍ୟାଙ୍କିଂ କ୍ଷେତ୍ର ଅଣକାର୍ଯ୍ୟକ୍ଷମ ସମ୍ପତ୍ତି (ଏନ୍ପିଏ)ର ଚାପରେ ପଡ଼ିଥିଲା। କୌଣସି ବଡ଼ ପରିବର୍ତ୍ତନ ଆଣିବା ପାଇଁ ବଡ଼ ଚିନ୍ତାଧାରା ଆବଶ୍ୟକ। ଚିନ୍ତାଧାରା ଓ ଉଦ୍ଦେଶ୍ୟ ସଚ୍ଚା ଥିଲେ ଅସମ୍ଭବ ମନେ ହେଉଥିବା କାମ ମଧ୍ୟ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତର ବ୍ୟାଙ୍କିଂ କ୍ଷେତ୍ର ବିଶ୍ୱର ଅନ୍ୟତମ ସଶକ୍ତ ବ୍ୟାଙ୍କିଂ ବ୍ୟବସ୍ଥା ଭାବେ ଉଭା ହୋଇଛି। ପୂର୍ବରୁ ଫୋନ୍ ବ୍ୟାଙ୍କିଂର ସୁବିଧା କିଛି ପ୍ରଭାବଶାଳୀ ଲୋକଙ୍କ ପର୍ଯ୍ୟନ୍ତ ସୀମିତ ଥିବାବେଳେ ଏବେ ଡିଜିଟାଲ୍ ବ୍ୟାଙ୍କିଂ ମାଧ୍ୟମରେ ସାଧାରଣ ଲୋକ ମଧ୍ୟ ଚବିଶ ଘଣ୍ଟିଆ ବ୍ୟାଙ୍କିଂ ସୁବିଧା ପାଇପାରୁଛନ୍ତି।
ଓଡ଼ିଶାର ମାଟିରୁ ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀରୁ ଗୋଟିଏ ଟଙ୍କା ପଠାଗଲେ ଲୋକଙ୍କ ପାଖରେ ମାତ୍ର ୧୫ ପଇସା ପହଞ୍ଚୁଛି। ସେହି ସମୟ ଓ ଆଜିର ସମୟ ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି ମୋଦୀ କହିଛନ୍ତି। ଏବେ ଦିଲ୍ଲୀରୁ ପଠାଯାଉଥିବା ଟଙ୍କାର ସମ୍ପୂର୍ଣ୍ଣ ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ପହଞ୍ଚୁଛି ବୋଲି ସେ ଦାବି କରିଛନ୍ତି।
ଦେଶରେ ୬୦ କୋଟି ଜନଧନ ଖାତା ଖୋଲାଯିବା ଫଳରେ ଏହା ସମ୍ଭବ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏବେ ଯେଉଁମାନଙ୍କ ପାଖରେ ବ୍ୟାଙ୍କକୁ ଗ୍ୟାରେଣ୍ଟି ଦେବା ପାଇଁ କିଛି ନାହିଁ, ସେମାନେ ମଧ୍ୟ ଋଣ ନେଇ ନିଜର କାମ ଆରମ୍ଭ କରିପାରୁଛନ୍ତି। ଛୋଟ ଉଦ୍ୟୋଗୀଙ୍କଠାରୁ ଆରମ୍ଭ କରି ପାରମ୍ପରିକ କାରିଗରଙ୍କ ପର୍ଯ୍ୟନ୍ତ ଅନେକଙ୍କୁ ପ୍ରଥମ ଥର ପାଇଁ ଔପଚାରିକ ବ୍ୟାଙ୍କିଂ ବ୍ୟବସ୍ଥାର ଲାଭ ମିଳିଛି।
ମୁଦ୍ରା ଯୋଜନା ଅଧୀନରେ ୧୩ କୋଟି ଲୋକ ପ୍ରଥମ ଥର ପାଇଁ ଉଦ୍ୟୋଗୀ ହୋଇଥିବା କଥା ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଉଲ୍ଲେଖ କରିଛନ୍ତି। ସେହିପରି ୧୦ କୋଟି ଗ୍ରାମୀଣ ମହିଳାଙ୍କୁ ବ୍ୟାଙ୍କିଂ ବ୍ୟବସ୍ଥା ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର ସହାୟତା ମିଳିଥିବା ସେ କହିଛନ୍ତି। ପୂର୍ବରୁ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଧନୀଙ୍କ ସାଧନ ଭାବେ ପରିଚିତ ଥିଲା। କିନ୍ତୁ ଏବେ ଏହି ସୁବିଧା ସାଧାରଣ ଲୋକଙ୍କ ପାଖରେ ମଧ୍ୟ ଉପଲବ୍ଧ ହୋଇଛି। ଓଡ଼ିଶାର ୩୦ ଲକ୍ଷ ଲୋକ ଅଟଳ ପେନ୍ସନ୍ ଯୋଜନାରେ ଲାଭ ପାଉଥିବା ମଧ୍ୟ ସେ କହିଛନ୍ତି।
ନାଗରିକଙ୍କ ସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ହିଁ ସୁଶାସନର ମନ୍ତ୍ର ବୋଲି ଉଲ୍ଲେଖ କରି ମୋଦୀ କହିଛନ୍ତି, ଦୁର୍ଘଟଣା ସମୟରେ ଆର୍ଥିକ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଆରମ୍ଭ କରାଯାଇଛି। ବର୍ଷକୁ ମାତ୍ର ୨୦ ଟଙ୍କା ପ୍ରିମିୟମ୍ରେ ୨ ଲକ୍ଷ ଟଙ୍କାର ବୀମା ସୁବିଧା ମିଳୁଥିବା ସେ କହିଛନ୍ତି। ଓଡ଼ିଶାରେ ମଧ୍ୟ ବିଭିନ୍ନ ଯୋଜନା ଲୋକଙ୍କୁ ସଶକ୍ତ କରିଛି ବୋଲି ସେ ମତ ଦେଇଛନ୍ତି।
ପୂର୍ବ ଭାରତ ବିକଶିତ ଭାରତର ଅଭିବୃଦ୍ଧିର ଇଞ୍ଜିନ୍ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଆସିବା ପରେ ବିକାଶକୁ ନୂଆ ଗତି ମିଳୁଥିବା ସେ ଦାବି କରିଛନ୍ତି। ରାଜ୍ୟରେ ଖଣିଜଭିତ୍ତିକ ଶିଳ୍ପର ବିକାଶ ହେଉଥିବାବେଳେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ମଧ୍ୟ କାମ ଚାଲିଛି। ଓଡ଼ିଶା ଖଣିଜ ସମ୍ପଦରୁ ମାଇକ୍ରୋଚିପ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନୂଆ ଭବିଷ୍ୟତ ଗଢ଼ିବାକୁ ଯାଉଛି ବୋଲି ମୋଦୀ କହିଛନ୍ତି।
ରାଜ୍ୟରେ ଡାଟା ସେଣ୍ଟର ଓ ଉନ୍ନତ କମ୍ପ୍ୟୁଟିଂ କ୍ଷେତ୍ରରେ ନିବେଶର ନୂଆ ସମ୍ଭାବନା ସୃଷ୍ଟି ହେଉଛି। ଏହାଦ୍ୱାରା ଓଡ଼ିଶାର ଯୁବଗୋଷ୍ଠୀଙ୍କ ପାଇଁ ନୂଆ ନିଯୁକ୍ତି ଓ କାର୍ଯ୍ୟସୁଯୋଗ ସୃଷ୍ଟି ହେବାର ଆଶା ରହିଛି। ଯୁବଗୋଷ୍ଠୀଙ୍କ ସ୍ୱପ୍ନ ପୂରଣ ହେବ ବୋଲି ଆଶା ପ୍ରକାଶ କରିବା ସହ ଆରବିଆଇର ଏହି ନୂଆ ପ୍ରତିଷ୍ଠାନ ଭାରତର ବଦଳୁଥିବା ପ୍ରାଥମିକତାକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

